ବୈଜ୍ଞାନିକଙ୍କ ଆଶଙ୍କା: ଟିକା ପ୍ରଭାବ କମାଇବ କରୋନାର ନୂଆ ରୂପ

ଜୋହାନ୍ସବର୍ଗ,୧୪/୦୧: ବୈଜ୍ଞାନିକମାନେ କରୋନା ଭାଇରସର ଏକ ନୂଆ ରୂପର ସନ୍ଧାନ କରିଛନ୍ତି ଯିଏକି ଏବେ ପ୍ରସ୍ତୁତ କରାଯାଉଥିବା ଟିକାର ପ୍ରଭାବ କମ କରିଦେଇପାରେ ବୋଲି କୁହାଯାଉଛି। ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲରେ ଏହାର ସନ୍ଧାନ ମିଳିଛି । ଏହାର ନାମ ରଖାଯାଇଛି ଇ୪୮୪କେ । ଏହାକୁ ‘ ଏସକେପ୍‌ ମ୍ୟୁଟେସନ’ ବୋଲି ମଧ୍ୟ କୁହାଯାଉଛି । କାରଣ କରୋନା ଟିକା ଯୋଗୁ ଦେହରେ ଯେତେ ସବୁ ଆଣ୍ଟିବଡି ସୃଷ୍ଟି ହେବ, ଏହି ମ୍ୟୁଟେସନ(ନୂଆ ରୂପ ବା ପରିବର୍ତ୍ତନ) ସେଥିରୁ ନିଜକୁ ସୁରକ୍ଷିତ ରଖିପାରିବ ।

ବୈଜ୍ଞାନିକମାନଙ୍କ ଅନୁସାରେ, ଦକ୍ଷିଣ ଆଫ୍ରିକାରେ ଦୁଇ ମାସ ତଳେ ଠାବ କରାଯାଇଥିବା କରୋନା ଭାଇରସର ଏକ ଷ୍ଟ୍ରେନରେ ସେମାନେ ଏଭଳି ମ୍ୟୁଟେସନ ପ୍ରଥମେ ଲକ୍ଷ୍ୟ କରିଥିଲେ । ଏହା ଉପରେ ବିସ୍ତୃତ ଅଧ୍ୟୟନ କରାଯିବା ପରେ ସେମାନେ ଆଶଙ୍କିତ ହୋଇଉଠିଛନ୍ତି । ସେମାନେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଯେ ଏହା ଉପରେ କରୋନା ଟିକା କାମ ଦେବ ନାହିଁ ।

ଜଣେ ଗବେଷକ କହିଛନ୍ତି ଯେ ସେମାନେ ଜାଣିଛନ୍ତି କି ଏହି ମ୍ୟୁଟେସନ ଯୋଗୁ ମାନବ ସମାଜ ଉପରେ ଖୁବ୍‌ ପ୍ରଭାବ ପଡ଼ିବ । କିନ୍ତୁ କେତେ ତାହା ସେମାନେ ଏବେ ଠାରୁ କହିପାରିବେ ନାହିଁ । ଆଉ ଜଣେ ଗବେଷକ କହିଛନ୍ତି ଯେ କରୋନା ଭାଇରସ ଏତେ ଶୀଘ୍ର ଟିକାକୁ ପ୍ରତିରୋଧ କଲା ଭଳିଆ କ୍ଷମତା ବିକଶିତ କରିଦେବା ତାଙ୍କୁ ଆଚମ୍ବିତ କରିଛି । ଯଦି ଏତେ କମ ସମୟ ଭିତରେ ଏମିତିଆ ମ୍ୟୁଟେସନ ବାହାରିପାରୁଛି, ତାହାହେଲେ ଆଗାମୀ ଦିନରେ କରୋନାର ଆହୁରି ମାରାତ୍ମକ ରୂପ ସବୁ ସାମ୍ନାକୁ ଆସିପାରେ । ଏହି କଥା ଭାବି ସେ ବେଶୀ ଆଶଙ୍କିତ ହୋଇପଡିଛନ୍ତି ।

ସବୁଠାରୁ ଚିନ୍ତାର ବିଷୟ ହେଉଛି କି, ଦକ୍ଷିଣ ଆଫ୍ରିକାରେ ଠାବ କରାଯାଇଥିବା କରୋନା ଭାଇରସର ଉକ୍ତ ଷ୍ଟ୍ରେନ ପ୍ରାୟ ୧୨ଟି ଦେଶକୁ ବ୍ୟାପିସାରିଲାଣି । ସେଥିମଧ୍ୟରୁ ଦୁଇଟି ଦେଶରେ କରୋନା ଟିକା ପ୍ରତିରୋଧୀ ମ୍ୟୁଟେସନର ସନ୍ଧାନ କରାଯାଇଛି । ଯଦି ବାକି ଦେଶଗୁଡିକରେ ବି ଏହାର ସନ୍ଧାନ ମିଳେ, ତାହାହେଲେ ପରିସ୍ଥିତି ଆହୁରି ବିଗିଡ଼ିପାରେ ।