ନୂଆ ମୋଟରଯାନ ଆଇନ ବିରେଧରେ ଆନ୍ଦୋଳନକୁ ଓହ୍ଲାଇବେ ଟ୍ରକ୍‌, ବସ୍‌, ଅଟୋ ମାଲିକସଂଘ

ଭୁବନେଶ୍ୱର ୮/୯ : ନୂଆ ମୋଟର ଯାନ ଆଇନକୁ ନେଇ ଚାରିଆଡ଼େ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି । ଗାଡ଼ି ଚାଳକଙ୍କ ଭିତରେ ଆତଙ୍କ ପଶିଗଲାଣି । ଏହା ବିରୋଧରେ ମେଳି ହେଲେଣି ଟ୍ରକ ମାଲିକ ସଂଘ, ଘରୋଇ ବସ୍‌ ମାଲିକ ସଂଘ ଓ ଅଟୋ ଚାଳକ ମହସଂଘ । ଏ ନେଇ ଆସନ୍ତା ୯ ତାରିଖରେ ଟ୍ରକ୍‌ ମାଲିକ ସଂଘ, ଘରୋଇ ବସ୍‌ ମାଲିକ ସଂଘ, ଅଟୋ ଚାଳକ ମହାସଂଘ ଓ ଟ୍ରାନ୍ସପୋର୍ଟ ଫେଡେରେସନ୍‌ ପ୍ରତିନିଧିମାନେ ମିଳିତ ବୈଠକ ଡାକିଛନ୍ତି । ଏଥିରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ।

ଅଲ୍‌ ଓଡ଼ିଶା ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ୍‌ ସଭାପତି ଜନାର୍ଦ୍ଦନ ପତି କହିଛନ୍ତି, ଦୁର୍ଘଟଣା କମାଇବା ପାଇଁ ଏହି ବିଲ୍‌ ଅଣାଯିବ ବୋଲି ପୂର୍ବରୁ କୁହାଯାଇଥିଲା । ମାତ୍ର ଏବେ ଲୋକଙ୍କ ଉପରେ ଜୁଲମ୍‌ କରାଯାଉଛି । ଏଥିଯୋଗୁ ପରିବହନ ସେବା ଗୁରୁତର ପ୍ରଭାବିତ ହୋଇଛି । ଗୁଜରାଟ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ପଞ୍ଜାବ ଆଦି ରାଜ୍ୟ ଏଯାବତ୍‌ ଏହାକୁ କାର୍ଯ୍ୟକାରୀ କରିନାହାନ୍ତି ।

ଓଡ଼ିଶା ସରକାର ତୁରନ୍ତ ଏହାକୁ ଲାଗୁ କରିଦେଲେ । ଲୋକଙ୍କୁ ସଚେତନ ନକରି ଅଚାନକ ବର୍ଦ୍ଧିତ ଜରିମାନା ଆଦାୟ କରିବା ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି । ଜଣେ ଅଟୋ ଚାଳକଙ୍କୁ ୪୭ ହଜାର ୫ ଶହ ଟଙ୍କା ଜରିମାନା କରିବା କେତେ ଦୂର ଯଥାର୍ଥ? ପୁଲିସ ରାସ୍ତାରେ ବିଚାରକ ସାଜି ଲୋକଙ୍କଠାରୁ ଜରିମାନା ଆଦାୟ କରୁଛି । ଏଭଳି ଅନ୍ୟାୟକୁ ପ୍ରତିବାଦ କରିବାକୁ ହେବ । ଏଥିପାଇଁ ଆସନ୍ତା ୯ ତାରିଖରେ ଟ୍ରକ୍‌ ମାଲିକ ସଂଘ, ଘରୋଇ ବସ୍‌ ମାଲିକ ସଂଘ, ଅଟୋ ଚାଳକ ମହାସଂଘ ଓ ଟ୍ରାନ୍ସପୋର୍ଟ ଫେଡେରେସନ୍‌ ପ୍ରତିନିଧିମାନଙ୍କର ମିଳିତ ବୈଠକ ହେବ । ସରକାର ଏଭଳି ଅନ୍ୟାୟ ବନ୍ଦ ନ କଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ।

ସେହିପରି ଆଜି ଅଟୋ ଚାଳକ ମହାସଂଘର ଏକ ବୈଠକ ବସିଥିଲା । ଏଥିରେ ନିଖିଳ ଓଡ଼ିଶା ଅଟୋ ଚାଳକ ମହାସଂଘ ଅଧୀନ ସମସ୍ତ ମହାସଂଘ ସାମିଲ ହୋଇଥିଲେ । ବୈଠକରେ ନୂଆ ମୋଟର ଯାନ ଆଇନ ବାବଦରେ ବିସ୍ତୃତ ଆଲୋଚନା ହୋଇଥିଲା । ଜଣେ ଅଟୋ ଚାଳକଙ୍କ ଉପରେ ୪୭ ହଜାର ୫ଶହ ଟଙ୍କା ଜରିମାନା ଧାର୍ଯ୍ୟ କରିବା ପ୍ରସଙ୍ଗ ବି ଉଠିଥିଲା । ଏଭଳି ନୀତି ବିରୋଧରେ ଆନ୍ଦୋଳନ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା । ନୂଆ ଟ୍ରାଫିକ ନିୟମକୁ ୩ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଦାବି ଉଠିଥିଲା । ବୈଠକରେ ନବକିଶୋର ମହାନ୍ତି, ସୁର ଜେନା, ପଦ୍ମନ କୁମାର ସାମଲ, ରାଧାକାନ୍ତ ଶତପଥୀ, ବିଶ୍ୱନାଥ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

   ସମ୍ବନ୍ଧିତ ଖବର


ପହିଲାରୁ କାର୍ତ୍ତିକ ବ୍ରତ ଆରମ୍ଭ: ଏଥର କରୋନା ପାଇଁ ହବିଷ୍ୟାଳିଙ୍କୁ ଧର୍ମଶାଳା ମନା, ମିଳିବନି ମନ୍ଦିର ହବିଷ ଡାଲମା

ଗାଡ଼ି ପାର୍କିଂରୁ ନେଇ ଚାଳକଙ୍କୁ ମାଡ଼ ମାରି ରକ୍ତାକ୍ତ କଲା ପୁଲିସ୍‌, ଅନ୍ୟ କାର୍‌ ଚାଳକ ଧାରଣାରେ ବସିବା ପରେ ଭୁଲ୍ ମାଗିଲେ ପୁଲିସ୍ ବାବୁ

ଲିଙ୍ଗରାଜ ମନ୍ଦିରକୁ 5-T ସଚିବ ଭି.କେ. ପାଣ୍ଡିଆନ ଅଚାନକ ଗସ୍ତ: ଉନ୍ନତିମୂଳକ କାର୍ଯ୍ୟର କଲେ ତଦାରଖ

ରାଜ୍ୟକୁ ଧୀରେ ଧୀରେ ଛୁଉଁଛି ଶୀତ, ୫ରୁ ଥଣ୍ଡା ଆହୁରି ବଢ଼ିବ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର

ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ