PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜ୍ଞାନବାପୀ ମସଜିଦ ବିବାଦ ମାମଲାରେ ଶୁଣାଣି ଶେଷ, ମଙ୍ଗଳବାର ପ୍ରକାଶ ପାଇବ ରାୟ
  • ||
  • ଭୁବନେଶ୍ୱର : ଆଜି ଉପକୂଳରେ ବଢ଼ିବ ତାତି, କାଲି ପୁଣି ବର୍ଷିବ
  • ||
  • ଗଜପତି : ପାରଳାଖେମୁଣ୍ଡି ଟାଉନ୍‌ ହଲ୍ ପରିସରରେ ଥିବା ପାର୍କିଂରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୫ଟି କାର୍‌
  • ||
  • କରଞ୍ଜିଆ : ଭାରସାମ୍ୟ ହରାଇ କଲଭର୍ଟରେ ପିଟିହେଲା ବରଯାତ୍ରୀ ଗାଡି, ୨ ମୃତ ୫ ଗୁରୁତର
  • ||

ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୪ ।୨(ବ୍ୟୁରୋ): ଦିନ ପ୍ରାୟ ୧୧ଟାରୁ ଆରମ୍ଭ ହୋଇଯାଇଥିଲା ପାର୍ବଣର ମାହୋଲ । ନିଜ ନିଜ ଜିଲ୍ଲା ଅନୁସାରେ ତୀର୍ଥଯାତ୍ରୀମାନେ ଲମ୍ବା ଲାଇନ୍‌ରେ ପଶିଥିଲେ ପ୍ଲାଟଫର୍ମ ପରିସରକୁ । ସେମାନଙ୍କୁ ପାଛୋଟି ନେବା ପାଇଁ ଠିଆ ହୋଇଥିଲେ ପର୍ଯ୍ୟଟନ ବିଭାଗର ଅଧିକାରୀମାନେ । ଫୁଲମାଳ ଦେଇ କରିଥିଲେ ସ୍ୱାଗତ । ଆଉ ଖାଦ୍ୟପୁଡିଆ, ପାଣି ବୋତଲ ଦେଇ ଆପ୍ପାୟିତ କରି ପାଛୋଟି ନେଇଥିଲେ ବଗିକୁ । ଭକ୍ତି ଭାବନାରେ ସମସ୍ତ ତୀର୍ଥଯାତ୍ରୀ ଥିଲେ ମସ୍‌ଗୁଲ୍‌ । କିଏ ଆନନ୍ଦେ ଏକବାର୍‌ ‘ହରିବୋଲ୍‌’ କହି ପକାଉଥିବା ବେଳେ ଆଉ କିଏ ହୁଳହୁଳି ଦେଇ ପରିବେଶକୁ ଭକ୍ତିମୟ କରୁଥିଲେ । ତୀର୍ଥଯାତ୍ରୀ ଟ୍ରେନ୍‌ ପାଖକୁ ମୁଖ୍ୟମନ୍ତ୍ରୀ ପଶିବା କ୍ଷଣି ଏଭଳି ଧ୍ୱନିରେ କମ୍ପି ଉଠିଥିଲା ସମ୍ପୂର୍ଣ୍ଣ ବଗି । ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ଦେଖି ତୀର୍ଥଯାତ୍ରୀମାନେ ଭାବ ବିହ୍ୱଳ ହୋଇ ପଡିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ହାତ ଯୋଡ଼ି ବରିଷ୍ଠ ନାଗରିକମାନଙ୍କୁ ତୀର୍ଥଯାତ୍ରାର ଶୁଭକାମନା ଜଣାଇଥିଲେ ।
ରବିବାର ଅପରାହ୍ନ ପ୍ରାୟ ୧୨.୪୫ରେ ଭୁବନେଶ୍ୱରୁ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଏଥିପାଇଁ ଆଜି କଲିକତା ଓ କାମାକ୍ଷା ଅଭିମୁଖେ ଯାତ୍ରା କରିଛି । ଯାହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଉଦ୍‌ଘାଟନ କରିଛନ୍ତି । ମାର୍ଚ୍ଚ ଏକ ତାରିଖରେ ଶେଷ ହେବାକୁ ଥିବା ଏହି ଯାତ୍ରାରେ ସାମିଲ ହୋଇଥିବା ତୀର୍ଥଯାତ୍ରୀମାନେ ପ୍ରଥମେ କଲିକତା ଯାଇ ସେଠାରେ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର ଓ ପରେ ବେଲୁର ମଠ ଯିବେ । ପରେ ସେଠାରୁ ଆସାମର କାମାକ୍ଷା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ଭୁବନେଶ୍ୱରରୁ ବାହାରିଥିବା ଏହି ବରିଷ୍ଠ ନାଗରିକ ତୀର୍ଥଯାତ୍ରରେ ୫ଟି ଜିଲ୍ଲା ଖୋର୍ଦ୍ଧା, କଟକ, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂପୁର ଜିଲ୍ଲାର ପ୍ରାୟ ୯୬୪ ତୀର୍ଥଯାତ୍ରୀ ସାମିଲ ହୋଇଛନ୍ତି । ଏଥିପାଇଁ ଟ୍ରେନ୍‌କୁ ବେଲୁନ୍‌, ଫୁଲ ଓ କଦଳୀ ଗଛ ଦ୍ୱାରା ସୁସଜ୍ଜିତ କରାଯାଇଥିଲା । ୧୫ଟି ବଗି ବିଶିଷ୍ଟ ଏହି ଟ୍ରେନ୍‌ରେ ବରିଷ୍ଠ ନାଗରିକଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ପ୍ରତି ବଗିରେ ଦୁଇଜଣ ଏସକର୍ଟଙ୍କ ସମେତ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୫ ଜଣ ଡାକ୍ତରଙ୍କ ସମେତ ୧୦ ଜଣ ପାରାମେଡିକାଲ୍‌ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏହାଛଡା ସ୍ୱତନ୍ତ୍ର ଟୁରିଷ୍ଟ ଗାଇଡଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଆଇଆର୍‌ସିଟିସିର ପ୍ରାୟ ୧୦୦ରୁ ଅଧିକ କର୍ମଚାରୀଙ୍କୁ ବରିଷ୍ଠ ନାଗରିକଙ୍କ ସେବା ପାଇଁ ନିୟୋଜନ କରାଯାଇଛି ।
ରାଜ୍ୟର ଆର୍ଥିକ ଅନଗ୍ରସର ଓ ଦାରିଦ୍ର‌୍ୟ ସୀମାରେଖାତଳେ ରହିଥିବା ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁବିଧା ନିମନ୍ତେ ୨୦୧୬ ମସିହାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରାଯାଇଛି । ଏହି ଯୋଜନା ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଆଇଆର୍‌ସିଟିର ସହଯୋଗରେ କାର୍ଯ୍ୟକାରୀ ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୦ଟି ପର୍ଯ୍ୟାୟରେ ଏହି ତୀର୍ଥଯାତ୍ରା କାର୍ଯ୍ୟକ୍ରମ ହୋଇଛି । ପାଖାପାଖି ୧୦ ହଜାର ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ସୁଯୋଗ ଲାଭ କରିଛନ୍ତି ।
ଆଜିର କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପର୍ଯ୍ୟଟନ ବିଭାଗର ଶସନ ସଚିବ ବିଶାଲ ଦେବ, ଭୁବନେଶ୍ୱର ପର୍ଯ୍ୟଟନ ଅଧିକାରୀ ଅଜୟ ରାଉତ, ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକଙ୍କ ସମେତ ପର୍ଯ୍ୟଟନ ଉନ୍ନୟନ ନିଗମର ବରିଷ୍ଠ କର୍ମକର୍ତ୍ତା ଓ ଆଇଆରସିଟିସିର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର