ରାଜଧାନୀବାସୀଙ୍କୁ ଟ୍ରାଫିକ୍‌ ଛାଟର ପ୍ରଭାବ: ୭ ଦିନରେ ୧୦ ହଜାର ଲାଇସେନ୍ସ ଆବେଦନ

ଭୁବନେଶ୍ୱର ୩/୯ : ଟ୍ରାଫିକ୍‌ ଛାଟ ପଡି଼ବା ପରେ ଗାଡ଼ିଚାଳକ ଏବେ ଆପେ ସଚେତନ ହେଉଥିବା ଦେଖିିବାକୁ ମିଳିଛି । ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ଚାଳକଙ୍କ ଉପରେ ସବୁଠୁ ଅଧିକ ଚଡ଼କ ପଡ଼଼ିଛି । କେମିତି ଲାଇସେନ୍ସ ଖଣ୍ଡେ ହାତେଇବେ ସେଥିପାଇଁ ଫୁଲ୍‌ ବାଉଳି ହେଲେଣି । ଅନ୍‌ଲାଇନ୍‌ରେ ହେଉ କି ଦଲାଲକୁ ହାତେଇ ଯେନ ତେନ ପ୍ରକାରେ ଲାଇସେନ୍ସ ପାଇବାକୁ ଲାଗି ପଡି଼ଛନ୍ତି ।

ପ୍ରଥମେ ଭୁବନେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)-୧ ଏବଂ ୨ କଥା ଦେଖନ୍ତୁ । ଗତ ୭ ଦିନ ମଧ୍ୟରେ ପାଖାପାଖି ୧୦ ହଜାର ଲୋକ ଲାଇସେନ୍ସ ପାଇଁ ଆବେଦନ କରିଥିବା ଆର୍‌ଟିଓର ଜଣେ କର୍ମଚାରୀ କହିଛନ୍ତି । ୧୦ ହଜାର ଆବେଦନକାରୀଙ୍କ ମଧ୍ୟରୁ ସବୁଠୁ ଅଧିକ ହେଉଛନ୍ତି ବାଇକ୍‌ ଚାଳକ । ସେହି କର୍ମଚାରୀଙ୍କ ଆକଳନ ମୁତାବକ, ଆରଟିଓ-୧ ଓ ୨ କାର୍ଯ୍ୟାଳୟରେ ପ୍ରତିଦିନ ପ୍ରାୟ ୪ ଶହ ଲୋକଙ୍କୁ ଲାଇସେନ୍ସ ଦିଆଯାଉଛି । କର୍ମଚାରୀ ଅଭାବ ଯୋଗୁଁ ଅଧିକ ଲୋକଙ୍କୁ ଲାଇସେନ୍ସ ପ୍ରଦାନ କରିବାରେ ସମସ୍ୟା ହେଉଛି ।

ବର୍ତ୍ତମାନ ଯେତିକି ଚାଳକ ଆବେଦନ କରିଛନ୍ତି ଯଦି ଉପରୋକ୍ତ ହାରରେ ଲାଇସେନ୍ସ ଦିଆଯାଏ, ତା ହେଲେ ସମସ୍ତଙ୍କୁ ଲାଇସେନ୍ସ ମିଳିଲା ବେଳକୁ ଅକ୍ଟୋବର ମାସ ଡେଇଁଯିବ । ଖାଲି ଲାଇସେନ୍ସ ନୁହେଁ ଗାଡ଼ିର ଇନ୍‌ସ୍ୟୁରାନ୍ସ, ଫିଟ୍‌ନେସ୍‌, ପଲ୍ୟୁସନ ସାର୍ଟିଫିକେଟ୍‌ ପାଇଁ ବି ଆର୍‌ଟିଓ ଅଫିସ ସାମ୍ନାରେ ଗାଡ଼ିମାଲିକଙ୍କ ଲମ୍ବା ଭିଡ଼ ଲାଗିଲାଣି । ଦିନ ଥିଲା, ଏସବୁ ନିୟମକୁ ହେୟ ଜ୍ଞାନ କରିଦେଉଥିଲେ ଅନେକ ଗାଡ଼ିଚାଳକ । ଏବେ କିନ୍ତୁ ନୂଆ ମୋଟର ଯାନ ଆଇନର ବହୁ ଗୁଣା ତଣ୍ଡ ଏମାନଙ୍କ ଅକଲ ଗୁଡୁମ୍‌ କରିଦେଇଛି ।

ସେପଟେ ସହରର ପ୍ରାୟ ସବୁ ହେଲ୍‌ମେଟ୍‌ ଦୋକାନରେ ବାଇକ୍‌ ଚାଳକଙ୍କ ଭିଡ଼ ଲାଗିଲାଣି । ବିନା ହେଲମେଟ୍‌ରେ ଚୁଟି ଫର୍‌ଫର କରି ଉଡ଼ାଉଥିବା ଯୁବପିଢ଼ି ବି ହେଲ୍‌ମେଟ୍‌ ପିନ୍ଧିବାକୁ ବାଉଳି ହେଲେଣି । ରାସ୍ତାକଡ଼ ହେଲମେଟ୍‌ ଦୋକାନରେ ବି ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଲାଣି । ୧୮ ବର୍ଷରୁ କମ୍‌ ଛାତ୍ରଛାତ୍ରୀଙ୍କୁ ସ୍କୁଲ କଲେଜ ଯିବା ପାଇଁ ବାଇକ୍‌ ଖଣ୍ଡେ ଖଣ୍ଡେ ଧରାଇଦେଉଥିବା ଅଭିଭାବକମାନଙ୍କ ମୁଣ୍ଡରେ ବି ଏବେ ଚଡକ ପଡିଛି । ନିଜ ପିଲାଙ୍କ ହାତରୁ ବାଇକ୍‌ ଚାବି ଛଡାଇ ନେଲେଣି । ସେମାନଙ୍କୁ ନବା ଆଣିବା କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଚିନ୍ତା କଲେଣି ।

   ସମ୍ବନ୍ଧିତ ଖବର


ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ବଧିରଙ୍କ ପାଇଁ ଖୁସି ଖବର: ଲଞ୍ଚ ହେଲା ନୂଆ ସାଉଣ୍ଡ ୱାଚ୍‌

ଆଜି ଧରାପୃଷ୍ଠରେ ଅବତରଣ କରିବେ ମା’ ଗଜଲକ୍ଷ୍ମୀ: ସବୁଠି କୋଭିଡ୍‌ ନିୟମ ଅନୁସାରେ ହେବ ପୂଜା, ଦର୍ଶନ କରିବେନି ଭକ୍ତ

ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ, ଆଜି କ୍ରାଇମବ୍ରାଞ୍ଚ କର୍ତ୍ତୃପକ୍ଷଙ୍କୁ ଭେଟିବେ ଆଦିତ୍ୟଙ୍କ ମା’

ପୁଣି କରୋନାରେ ଆଖିବୁଜିଲେ ୧୧ ଜଣ ଆକ୍ରାନ୍ତ: ମୃତ୍ୟୁସଂଖ୍ୟା ୧୩ଶହ ପାର୍

ପାର୍ବଣ ପରେ ବଢ଼ିଲା କରୋନା: ପୁଣି ଚିହ୍ନଟ ହେଲେ ୧୫୪୭ ଜଣ ଆକ୍ରାନ୍ତ, ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୮ ହଜାର ଟପିଲା