ଜାନୁଆରୀରେ ଆସିବ ନୂଆ ଭୋଟର ତାଲିକା, ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…

ଭୁବନେଶ୍ବର: ଆସନ୍ତା ଜାନୁଆରୀରେ ପ୍ରକାଶ ପାଇବ ନୂଆ ଭଟର ତାଲିକା । ୨୦୨୧ ପାଇଁ ଜାନୁଆରୀ ୧୫ରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା । ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ ଏହି ସୂଚନା ଦେଇଛନ୍ତି । ଭୋଟର ମାନେ ନାମ ସଂଶୋଧନ କିମ୍ବା ଯୋଡିବା ପାଇଁ ଡିସେମ୍ବର ୧୫ ମଧ୍ୟରେ ଆବେଦନ କରି ପାରିବେ । ଉଭୟ ଅନଲାଇନ୍ ଏବଂ ଅଫଲାଇନ ମାଧ୍ୟମରେ ଭୋଟର ନିଜର ନିଜର ନାମ ସଂଶୋଧନ କରି ପାରିବେ ।

ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ତାଲିକାରେ ନାମ ଯୋଡିବା, କାଟିବା  ଏବଂ ସଂଶୋଧନ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ନାମ ଯୋଡିବାକୁ ଫର୍ମ ୬, କାଟିବାକୁ ୭ ଏବଂ ସଂଶୋଧନ ପାଇଁ ଡିସେମ୍ବର ୮ରେ ଆବେଦନ କରି ହେବ । ନାମ ଯୋଡିବା ପାଇଁ ଲୋକଙ୍କୁ ନିଜର ଫଟୋ, ବାସସ୍ଥାନ ପ୍ରମାଣପତ୍ର ଦେଇ ଆବେଦନ କରିବାକୁ ପଡିବ । ଅନଲାଇନ କିମ୍ବା ବୁଥ୍ ସ୍ତରରେ ପହଞ୍ଚି ଆବେଦନ କରାଯାଇ ପାରିବ ।

ନୂଆ ଭୋଟର ତାଲିକା ପାଇଁ ସ୍ଵତନ୍ତ୍ର ଅଭିଯାନ ଚଳାଯିବ । ଆବେଦନ ପତ୍ର ଗୁଡିକୁ ଡିସେମ୍ବର ୧୫ରୁ ଜାନୁଆରୀ ୫ ମଧ୍ୟରେ ଯାଞ୍ଚ ହେବ । ଯାଞ୍ଚ ପରେ ଜାନୁଆରୀ ୧୫ରେ ନୂଆ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସିଇଓ କହିଛନ୍ତି ।