
ମାଉଣ୍ଟ ମୋନଗାନୁଇ, ୩୦/ ୧୧: ନ୍ୟୁଜିଲାଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ସୋମବାର ଦିନ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ଥିଲା। ହେଲେ ବର୍ଷା କାରଣରୁ ମ୍ୟାଚଟି ବାତିଲ ହୋଇଛି। ଯାହାଫଳରେ ନ୍ୟୁଜିଲାଣ୍ଡ ଟିମ୍ ୨-୦ରେ ଟି-୨୦ ଶୃଙ୍ଖଳା ନିଜ ନାମରେ କରିଛି। ସୋମବାର ଖେଳାଯାଇଥିବା ମ୍ୟାଚରେ କେବଳ ୨.୨ ଓଭର ବୋଲିଂ ହୋଇଥିଲା। ଆଜି ଅଧିନାୟକ ଭାବେ ପଦାପର୍ଣ କରିଥିଲେ ନ୍ୟୁଜିଲାଣ୍ଡର ବାମହାତୀ ସ୍ପିନର ମିଶେଲ ସ୍ୟାଣ୍ଟନର।
ପ୍ରଥମେ ଓ୍ବେଷ୍ଟଇଣ୍ଡିଜ ବ୍ୟାଟିଂ କରିବା ପାଇଁ ମଇଦାନକୁ ଓହ୍ଲାଇଥିଲା। ଦଳ ପକ୍ଷରୁ ଓପନିଙ୍ଗ୍ କରିବାକୁ ଆସିଥିବା ବ୍ୟାଟସମ୍ୟାନ୍ ଆନ୍ଦ୍ରେ ଫ୍ଲେଚର ଓ ବ୍ରେଣ୍ଡନ୍ କିଙ୍ଗ ପ୍ରଥମ ଓଭରରେ ହିଁ ୧୨ ରନ୍ ସ୍କୋର କରିଥିଲେ। କିଙ୍ଗ୍ ୭ଟି ବଲ ଖେଳି ଗୋଟିଏ ଚୌକା ଓ ଛକା ବଳରେ ୧୧ ରନ୍ ସଂଗ୍ରହ କରିଥିଲେ।
ପରେ ମ୍ୟାଚ୍ ମଝିରେ ବର୍ଷା ବାଧକ ସାଜିଥିଲା। ଜୋର ବର୍ଷା ଲାଗି ରହିବାରୁ ଦୁଇ ଘଣ୍ଟା ପରେ ମ୍ୟାଚ୍ ରଦ୍ଦ କରିଥିଲେ ମ୍ୟାଚ୍ ପରିଚାଳକ। ଏହାପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ରେ ୫ ଓ୍କିକେଟ ଓ ଦ୍ବିତୀୟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଦଳକୁ ୭୨ ରନ ହରାଇ ବିଜୟୀ ହୋଇଥିଲା।
ନ୍ୟୁଜିଲାଣ୍ଡର ଖେଳାଳି ଫର୍ଗୁସନ ପ୍ଲେୟାର ଅଫ୍ ଦି ସିରିଜ ବିଜେତା ହୋଇଛନ୍ତି। ଏହାପରେ ଦୁଇ ଟିମ୍ ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ।