ବଡ଼ ନିଷ୍ପତ୍ତି ନେଲେ ମୋଦୀ ସରକାର: ଫାର୍ମା କମ୍ପାନୀରେ ବଢ଼ିବ ନିଯୁକ୍ତି ସୁଯୋଗ, ଶସ୍ତା ହେବ ଔଷଧ

ନୂଆଦିଲ୍ଲୀ, ୨୩/ ୦୧: କେନ୍ଦ୍ର ସରକାର ଶୁକ୍ରବାର ଦିନ ନେଇଛନ୍ତି ବଡ଼ ପଦକ୍ଷେପ। ଫାର୍ମା କମ୍ପାନୀକୁ ପିଏଲଆଇ ଯୋଜନା ଅନ୍ତର୍ଗତ ଆବେଦନକୁ ଅନୁମୋଦନ କରିଛନ୍ତି। ଅରବିନ୍ଦ ଫାର୍ମା, ମିସର୍ସ କର୍ଣ୍ଣାଟକ ଆଣ୍ଟିବାୟୋକ୍ଟିସ୍ ଆଣ୍ଡ ଫାର୍ମାସୁଟିକଲସ୍ ଲିମିଟେଡ, ମିସର୍ସ କିନଓ୍ବାନ ପ୍ରାଇଭେଟ ଲିମିଟେଡ ପରି ପ୍ରମୁଖ କମ୍ପାନୀକୁ ମଞ୍ଜୁରୀ ମିଳିଛି। ଏବେ ଏହି ସବୁ କମ୍ପାନୀ ଗୁଡ଼ିକ ଭାରତରେ କିଛି ଔଷଧର କଞ୍ଚାମାଲ ପ୍ରସ୍ତୁତ କରିବେ। ଯାହାଫଳରେ ଅଧିକ ଲୋକ ଚାକିରି ପାଇବେ।
ଫାର୍ମା କମ୍ପାନୀ ଗୁଡ଼ିକ ଏବେ ଔଷଧ ଉତ୍ପାଦନ ପାଇଁ ନୂଆ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ପାଖାପାଖି ୩୭୬୧ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହାରି ଫଳରେ ପାଖାପାଖି ୩୮୨୫ ପଦରେ ନିଯୁକ୍ତି ସୁଯୋଗ ମିଳିପାରେ। ଦେଶରେ କଞ୍ଚାମାଲ ବନାଇବା ଫଳରେ ଔଷଧ ଗୁଡ଼ିକର ଦର ମଧ୍ୟ ଭାରତୀୟ ବଜାରେ ହ୍ରାସ ହେବ। ଏହି ସବୁ ପ୍ଲାଣ୍ଟରେ ବ୍ୟବସାୟିକ ଉତ୍ପାଦନ ୨୦୨୩ ଏପ୍ରିଲ ୧ରୁ ଆରମ୍ଭ ହେବାର ସମ୍ଭାବନା ରହିଛି।
ସୂଚନାଥାଉକି, ଭାରତୀୟ ଔଷଧ ଶିଳ୍ପ ହେୁଛି ବିଶ୍ବର ତୃତୀୟ ବୃହତ୍ତମ ଔଷଧ ଶିଳ୍ପ। ଆମେରିକା ଓ ୟୁରୋପୀୟ ସଂଘ ଦେଶ ମଧ୍ୟରେ ଭାରତ ଏକ ବଡ଼ ସ୍ଥାନ ଅଧିକାର କରିଛି। ଭାରତ ବିଶେଷ କରି ଜେନେରିକ ଔଷଧ ଦୃଷ୍ଟି କୋଣୁ ଶ୍ରେଷ୍ଠ ବୋଲି ବିବେଚନା କରାଯାଏ।