ଯବାନ ଅପହରଣ ଖବର ମିଛ: ପ୍ରତିରକ୍ଷା ମନ୍ତ୍ରଣାଳୟ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ବଡଗାମରେ ସେନାର ଜଣେ ଯବାନଙ୍କୁ ଅପହରଣ କରି ନିଆଯାଇଥିବା ନେଇ ଯେଉଁ ଖବର ଆସିଥିଲା, ତାହା ମିଛ ବୋଲି କହିଛି ପ୍ରତିରକ୍ଷା ମନ୍ତ୍ରାଳୟ। ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେଉଁ ଯବାନଙ୍କୁ ଅପହରଣ କରି ନିଆଯାଇଛି ବୋଲି କୁହାଯାଉଛି, ସେ ସୁରକ୍ଷିତ ଅଛନ୍ତି । ଏହା ସହିତ ଶୁଣାକଥା ଓ ଗୁଜବକୁ ଗୁରୁତ୍ୱ ନ ଦେବା ପାଇଁ ମଧ୍ୟ ମନ୍ତ୍ରାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ଉଲ୍ଳେଖନୀୟ ଯେ ଗତ କାଲି ସନ୍ଧ୍ୟାରେ ଖବର ଆସିଥିଲା ଯେ ଜମ୍ମୁ ଓ କଶ୍ମୀର ଲାଇଟ୍ ଇନ୍ଫାଣ୍ଟ୍ରୀର ଯବାନ ମହମ୍ମଦ ୟାସିନଙ୍କୁ ଆତଙ୍କବାଦୀମାନେ ବଡ଼ଗାମ୍ ଜିଲ୍ଲା ସ୍ଥିତ ତାଙ୍କ ଘରୁ ଅପହରଣ କରି ନେଇଛନ୍ତି। ପରିବାର ଲୋକ ଆତଙ୍କବାଦୀଙ୍କୁ ବିରୋଧ କରିଥିଲେ, କିନ୍ତୁ ତାଙ୍କୁ ରୋକି ପାରିନଥିଲେ।
ଏହାପରେ ପରିବାର ଲୋକ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା। ସେନା, ସିଆରପିଏଫ୍ ତଥା ପୋଲିସ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାଉ କରିଦେଇଥିଲା। କାଜିପୋରା, ଚାଡୁର ଏବଂ ଏହା ପାଖକୁ ଲାଗି ରହିଥିବା ପୁଲଓ୍ବାମା ଜିଲ୍ଲାର ବହୁ ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରହିଛି। ସୂଚନା ଅନୁସାରେ ଗତ ଫେବୃଆରୀ ୨୬ ତାରିଖରୁ ମାର୍ଚ୍ଚ ୩୧ ଯାଏ ୟାସିନ ଛୁଟିରେ ଆସିଥିଲେ। ସେ ବଡଗାମ୍ ଜିଲ୍ଲା କାଜିପୋରା ଗାଁ ସ୍ଥିତ ତାଙ୍କ ଘରେ ଥିବା ବେଳେ ଚାରି ଜଣ ବନ୍ଧୁକାରୀ ତାଙ୍କୁ ଅପହରଣ କରି ନେଇଯାଇଥିଲେ। ସୀମାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଦେଖି ଜମ୍ମୁ ଓ କଶ୍ମୀରରେ ହାଇ ଆଲର୍ଟ ଜାରି କରିଦିଆଯାଇଥିଲା। କାରଣ ଏହା ପୂର୍ବରୁ ପୁଞ୍ଛର ଜଣେ ସେନା ଜଣେ ଯବାନ ଔରଙ୍ଗଜେବଙ୍କୁ ଆତଙ୍କବାଦୀମାନେ ଅପହରଣ କରି ହତ୍ୟା କରିଥିଲେ।