ଆସୁଛି ୯ରେ ଆଉ ଏକ ଲଘୁଚାପ, ୧୧ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୦୬/୦୮: ରାଜ୍ୟରେ ନିର୍ଧୁମ ବର୍ଷା ହୋଇଛି ଗତ ୨୪ ଘଣ୍ଟାରେ । ସମ୍ବଲପୁରର ଯୁଯୁମୁରାରେ ସର୍ବାଧିକ ୨୮୫ ମିଲିମିଟର ବର୍ଷା ଢାଳିଛି । ବୌଦ୍ଧ ଖରିମାଳରେ ୧୭୬ ମିମି, ସୋନପୁରରେ ୧୭୦ ମିମି, ପୁରୀ କାକଟପୁରରେ ୧୫୨ ମିମି, ଗୋପରେ ୧୫୧ ମିମି, ଭୁବନେଶ୍ୱରରେ ୧୪୯.୪ ମିମି ଓ କଟକର କଣ୍ଟାପଡ଼ାରେ ୧୬୫ ମିମି, ତାଳଚେରରେ ୧୦୮ ମିମି ବର୍ଷା ରେକର୍ଡ ହୋଇଛି । ଚଳିତ ବର୍ଷା ଋତୁରେ ଏଯାଏଁ ଏଭଳି ବର୍ଷା ହୋଇନଥିଲା ।
ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଅନେକ ଅଞ୍ଚଳରେ ସ୍ଥିତି ବଦଳିଛି । ଶୁଖି ଫାଟି ଆଁ କରି ଚାଷ ଜମିରେ ଏବେ ପାଣି ଜମିଛି । ପାଣିପାଗ ପୂର୍ବାନୁମାନ, ଆସନ୍ତା ୯ ତାରିଖବେଳକୁ ଆଉ ଏକ ଲଘୁଚାପ ଆସୁଛି । ଏହା ପ୍ରଭାବରେ ୧୪ ଯାଏଁ ରାଜ୍ୟରେ ବର୍ଷା ଲାଗିତ ରହିବ । ୧୧ରୁ ପ୍ରବଳ ବର୍ଷା ହୋଇପାରେ ।

ଲମ୍ବା ପ୍ରତୀକ୍ଷା ପରେ ଅଗଷ୍ଟ ପ୍ରଥମ ସପ୍ତାହରେ ଭଲ ବର୍ଷା ହୋଇଛି । ଦ୍ୱିତୀୟ ସପ୍ତାହରେ ପୁଣି ବର୍ଷା ସମ୍ଭାବନା ଚାଷୀଙ୍କୁ ଉତ୍ସାହିତ କରିଛି । ଦୀର୍ଘ ଦିନ ଧରି ଅଟକି ଯାଇଥିବା ଧାନ ରୁଆ ଓ ବେଉଷଣ କାମ ଆଗେଇବାକୁ ଚାଷୀ ପ୍ରସ୍ତୁତ ହେଲାଣି।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଆସନ୍ତା ୮ ତାରିଖବେଳକୁ ଓଡ଼ିଶାର ଉତ୍ତରରେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ସ୍ଥଳଭାଗ ଉପରେ ଏକ ଘୂର୍ଣ୍ଣିବଳୟ ହେବ । ଏହା ଘନୀଭୂତ ହୋଇ ୯ ତାରିଖକୁ ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ୮ରୁ ୧୦ ତାରିଖ ଭିତରେ ଓଡ଼ିଶାର ପଶ୍ଚିମ ସୀମାନ୍ତବର୍ତ୍ତୀ ଅଞ୍ଚଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପ ବର୍ଷା ହୋଇପାରେ । ଏହି ସମୟରେ ଉପକୂଳ ଓଡ଼ିଶାରେ ବିଶେଷ ବର୍ଷା ହେବନି । ସମ୍ଭାବ୍ୟ ଲଘୁଚାପ ପ୍ରଭାବ ୧୧ରୁ ବେଶି ପଡ଼ିବ ଓଡ଼ିଶାରେ । ୧୧ ଓ ୧୨ରେ ଉପକୂଳ ଓଡ଼ିଶାରେ ପ୍ରାୟତଃ ମଧ୍ୟମରୁ ପ୍ରବଳ ବର୍ଷା ହେବ । ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି । ୧୧ରୁ ୧୩ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା ଏବଂ ୧୨-୧୪ ତାରିଖ ମଧ୍ୟରେ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ୧୪ ତାରିଖ ପରେ କିଛିଦିନ ବିଶେଷ ବର୍ଷା ନାହିଁ ।

ଅନ୍ୟପକ୍ଷରେ ପାଣିପାଗ ବିଭାଗ କହିଛି, ଆଜି ରାଜ୍ୟରେ ବଡ଼ ବର୍ଷା ସମ୍ଭାବନା ନାହିଁ । ତଥାପି ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ୮ରୁ ବର୍ଷା ସାମାନ୍ୟ ବଢ଼ିବ । ଆସନ୍ତା ୯ ତାରିଖବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସମ୍ଭାବନା ଅଛି । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବ । ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି, ସମ୍ଭାବ୍ୟ ବର୍ଷା ନେଇ ଜିଲ୍ଲାପାଳମାନେ ସ୍ଥିତି ଉପରେ ନଜର ରଖିବା ସହ ସତର୍କତା ପଦକ୍ଷେପ ନେବାକୁ ପ୍ରସ୍ତୁତ ରୁହନ୍ତୁ ।

ଡକ୍ଟର ପଶୁପାଳକ କହିଛନ୍ତି, ଗତ ୨୪ ଘଣ୍ଟାରେ ଲଘୁଚାପ ବର୍ଷା ଅନେକ ଜାଗାରେ ହୋଇଛି । ଆଉ କେତେକ ଜାଗାରେ ଆଶାନୁଯାୟୀ ବର୍ଷା ହୋଇନି । ତେବେ ଆଗକୁ ପୁଣି ଏକ ଲଘୁଚାପ ଆସୁଥିବାରୁ ବର୍ଷା ସମ୍ଭାବନା ଅଛି । ଚାଷୀମାନେ ଏବେ ତଳି ରୁଆ କାମ ଆଗେଇପାରିବେ । ସିଧା ବୁଣା ଧାନ ବେଉଷଣ ମଧ୍ୟ ହୋଇପାରିବ । ୧୪ ତାରିଖ ପରେ ବିଶେଷ ବର୍ଷା ନଥିବାରୁ ଏବେ ଚାଷ କାମ ଆଗେଇବା ଦରକାର ।

ସେ କହିଛନ୍ତି, ବର୍ତ୍ତମାନ ବର୍ଷା ଯୋଗୁ ରାଜ୍ୟରେ ଗଜା ମରୁଡ଼ି ସ୍ଥିତି ଆଉ ନାହିଁ । ଏହା ସତ୍ତେ୍ୱ ବି ଚଳିତବର୍ଷ ଚାଷ କ୍ଷତି ସହିଛି । ବର୍ଷା ଯୋଗୁ ଚାଷ କାମ ବିଳମ୍ବ ହୋଇଥିବାରୁ ଚଳିତବର୍ଷ ଧାନ ଅମଳ ପ୍ରାୟ ୨୦% କମିଯାଇପାରେ ।
ଗତ ଜୁନ୍‌ ପହିଲାରୁ ଅଗଷ୍ଟ ୪ ତାରିଖ ସୁଦ୍ଧା ରାଜ୍ୟରେ ବର୍ଷା ପରିମାଣ ୧୭% କମ୍‌ ଥିଲା । ମାତ୍ର ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା ଯୋଗୁ ସ୍ଥିତି ସୁଧୁରୁଛି । ୬% ବର୍ଷା ଭରଣା ହୋଇଛି ଏଇ ଲଘୁଚାପରେ । ଏବେ ରାଜ୍ୟରେ ବର୍ଷା ପରିମାଣ ୧୧% କମ୍‌ ରହିଛି ।

ପୂର୍ବରୁ ୧୩ ଜିଲ୍ଲାରେ ବର୍ଷା ଅଭାବ ସ୍ଥିତି ଥିଲା । ଆଜିର ରିପୋର୍ଟ ଅନୁଯାୟୀ ଜୁନ୍‌ ପହିଲାରୁ ଏବେ ସୁଦ୍ଧର ୧୧ ଜିଲ୍ଲାରେ ବର୍ଷା ପରିମାଣ ସ୍ୱାଭାବିକଠାରୁ କମ୍‌ ରହିଛି । ତେବେ ଗତକାଲି ପର୍ଯ୍ୟନ୍ତ ସବୁଠୁ କମ୍‌ ବର୍ଷା ଥିବା ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ଥିତି ସୁଧିରିଛି । କେନ୍ଦ୍ରାପଡ଼ା ଓ ପୁରୀରେ ଗତକାଲି ସୁଦ୍ଧା ୪୭% କମ୍‌ ବର୍ଷା ଥିଲା ।

ଆଜିର ରିପୋର୍ଟ କହୁଛି, ପୁରୀରେ ବର୍ଷାର ଅଭାବ ପରିମାଣ ୨୦% ଥିବାବେଳେ କେନ୍ଦ୍ରାପଡ଼ାରେ ୩୪% ବର୍ଷା କମ୍‌ ଅଛି । ଯାଜପୁରରେ ୪୨% କମ୍‌ ବର୍ଷା ହୋଇଥିବାବେଳେ ଖୋର୍ଦ୍ଧାରେ ୩୧%, କଟକରେ ୨୬%, ନୟାଗଡ଼ରେ ୨୫%, ଜଗତସିଂହପୁରରେ ୨୩%, ମୟୂରଭଞ୍ଜରେ ୨୩%, ବଲାଙ୍ଗିରରେ ୨୦% ବର୍ଷା କମ୍‌ ରହିଛି । ୧୯ଟି ଜିଲ୍ଲାରେ ଏଯାବତ୍‌ ସ୍ୱାଭାବିକ ରହିଛି ମୌସୁମୀ ।