ଯନ୍ତ୍ରଣାରେ ଛଟପଟ ସାଧାରଣ ଜନତା, ଧକଉଛି ଏନ୍‌ଏଚ୍‌ ପ୍ରକଳ୍ପ

ଭୁବନେଶ୍ବର,୨୫/ ୧୧: ନଭେମ୍ବର ୨୦୨୨ରେ ସରିବ ଡୁବୁରି-ଚଣ୍ଡିଖୋଲ (ଏନ୍‌ଏଚ୍‌-୨୦୦) ୪ ଲେନ୍‌ କାମ । ମୋଟ ୩୯.୭୦ କିଲୋମିଟର ରାସ୍ତା କାମ ହେବ ଏହି ପ୍ରକଳ୍ପରେ । କିନ୍ତୁ, ଏଯାଏଁ ଗୋଟିଏ ମିଟର ରାସ୍ତା କାମ ହୋଇନି । ଗତ ଫେବ୍ରୁଆରୀରୁ ଠିକା ସଂସ୍ଥା କାମ ନେଲାଣି । କିନ୍ତୁ, ସାଢ଼େ ୯ ମାସ ଭିତରେ ପ୍ରକଳ୍ପର କେବଳ ୭% କାମ ଆଗେଇଛି । ଏଥିରୁ ଜଳଜଳ ଦିଶୁଛି, କାମ ସରିବାକୁ କେତେ ଦିନ ଲାଗିବ?

କଟକର ବାଲିକୁଦା, ଶିଖରପୁର ଓ ଯାଜପୁର ବଡ଼ଚଣାରେ ଏନ୍‌ଏଚ୍‌-୧୬ରେ ଅଣ୍ଡରପାସ୍‌ ନିର୍ମାଣ କରାଯାଉଛି । ଆସନ୍ତା ଜାନୁଆରୀ ପହିଲା ସୁଦ୍ଧା ଏ କାମ ସାରିବାକୁ ଡେଡ୍‌ଲାଇନ୍‌ ଥିଲା । ୪୬ କୋଟିର ଏହି ପ୍ରକଳ୍ପ କାମ ୨୦୧୯ ମାର୍ଚ୍ଚରୁ ଆରମ୍ଭ ହୋଇଛି । ଏବେ ସୁଦ୍ଧା ୧୮% କାମ ସରିନି । ଆଉ ମାସକରେ ବାକି ୮୨% କାମ ସରିବ ତ?

ଭୁବନେଶ୍ୱର ହଂସପାଳରେ ଏନ୍‌ଏଚ୍‌ ୧୬ ଉପରେ ଏକ ଫ୍ଲାଏଓଭର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ପଡ଼ିଛି । କରୋନା କଟକଣା ଭିତରେ ଶୁଭ ପଡ଼ିଗଲା । ୨୦୨୧ ଡିସେମ୍ବର ୪ ସୁଦ୍ଧା କାମ ସରିବାକୁ ଲକ୍ଷ୍ୟ ରଖାଗଲା । ମାତ୍ର ଏଯାଏଁ କାମ ଆରମ୍ଭ ହୋଇନି । ଧକଉଛି ଜାତୀୟ ରାଜପଥ କାମ । ଠିକାଦାରଙ୍କ ମନମାନି ହେଉ କି କର୍ତ୍ତୃପକ୍ଷଙ୍କ ଅପାରଗତା, କୌଣସି ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ସରୁନି । ଅନ୍ୟପକ୍ଷରେ ଏନଏଚ୍‌ର ସଂପ୍ରସାରଣ ଓ ଖୋଳାତଡ଼ା ପାଇଁ ଲୋକେ ମାସ ମାସ ବର୍ଷ ବର୍ଷ ଟ୍ରାଫିକ ଯନ୍ତ୍ରଣା ସହୁଛନ୍ତି । ଅନେକ ସମୟରେ ଜୀବନ ବି ଯାଉଛି । ତଥାପି କର୍ତ୍ତୃପକ୍ଷ ବେଫିକର ।

ଏନ୍‌ଏଚ୍‌ ପ୍ରକଳ୍ପ ନେଇ ସରକାର ରଖିଥିବା ତଥ୍ୟରୁ ଜଳଜଳ ଦିଶୁଛି ଯେ ପ୍ରାୟତଃ ପ୍ରକଳ୍ପର ନିର୍ମାଣ ଗତି ଅତି ଧିମା । ଟଙ୍କା ବ୍ୟୟବରାଦ ସହ ଡେଡଲାଇନ୍‌ ଧାର୍ଯ୍ୟ ହେଉଛି । କିନ୍ତୁ, ପ୍ରକୃତ ଡେଡଲାଇନରେ କାମ ସରୁନି । ବାରମ୍ବାର ଡେଡଲାଇନ ଲମ୍ବୁଛି । ଏନ୍‌ଏଚ୍‌ ୧୬ରେ ଭଦ୍ରକ-ବାଲେଶ୍ୱର ମଧ୍ୟରେ ୬ ଲେନ୍‌ ରାସ୍ତା କାମ ଗତବର୍ଷ ଏପ୍ରିଲରୁ ଚାଲିଛି । ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା କାମ ସରିବା କଥା । ହେଲେ ଏବେ ସୁଦ୍ଧା ୨୦% କାମ ବି ସରିନି । ୬୨ କିମିରୁ ମାତ୍ର ୧୩ କିମି ରାସ୍ତା କାମ ସରିଛି ।

ଟାଙ୍ଗି-ଭୁବନେଶ୍ୱର ୬ ଲେନ୍‌ (ଏନଏଚ୍‌ ୧୮) ପ୍ରକଳ୍ପରେ ୫୬ କିମି ରାସ୍ତା କାମ ହେବ । ୨୦୧୯ ଏପ୍ରିଲରୁ କାମ ଆରମ୍ଭ ହୋଇଥିବାବେଳେ ଡେଡଲାଇନ୍‌ ରଖାଯାଇଛି ୨୦୨୨ ମାର୍ଚ୍ଚ ଶେଷ । ଏଯାଏଁ ୧୦ କିମି ରାସ୍ତା ନିର୍ମାଣ ସରିନି । ପ୍ରକଳ୍ପର ୧୫.୯୭% କାମ ସାରିଛି ଠିକା ସଂସ୍ଥା ।ବହୁପ୍ରତୀକ୍ଷିତ ଖଣ୍ଡଗିରି ଫ୍ଲାଏଓଭର କାମ ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ସରିବା କଥା । ୨୦୧୮ ମେ’ରୁ କାମ ନେଲାଣି ଠିକା ସଂସ୍ଥା । ପ୍ରକଳ୍ପର ୬୧.୨୬% କାମ ସରିଛି ଏବେ ସୁଦ୍ଧା । ବାକି କାମ ନିର୍ଦ୍ଧାରିତ ସମୟ ଭିତରେ ସରିବ କି ନାହିଁ, ତାହା ବଡ଼ ପ୍ରଶ୍ନ ।

ବୀରମିତ୍ରପୁର-ବ୍ରାହ୍ମଣୀ ବ୍ରିଜ୍‌ ଶେଷ ମୁଣ୍ଡ ପର୍ଯ୍ୟନ୍ତ କାମ ୨୦୨୨ ମାର୍ଚ୍ଚ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । କିନ୍ତୁ, ଏଯାଏଁ ୨୦% କାମ ହୋଇନାହିଁ । ରାଜାମୁଣ୍ଡା-ବାରକୋଟ ୪ ଲେନ୍‌ ରାସ୍ତା (ଏନ୍‌ଏଚ୍‌-୨୩) ୨୦୧୮ ଶେଷ ବେଳକୁ ଆରମ୍ଭ ହୋଇଥିଲା । ଏବେ ସୁଦ୍ଧା ୧୦% କାମ ବି ସରିନାହିଁ । ଲକ୍ଷ୍ୟ ଅଛି, ୨୦୨୨ ଜୁନ୍‌ ଶେଷ ସୁଦ୍ଧା ସାରିବାକୁ । ଅର୍ଥାତ୍‌ ପାଖାପାଖି ଦେଢ଼ ବର୍ଷରେ ପ୍ରାୟ ୯୦% କାମ ସାରିବାକୁ ହେବ । ସେହିପରି ବ୍ରାହ୍ମଣୀ ବ୍ରିଜ୍‌ ଶେଷ ମୁଣ୍ଡରୁ ରାଜାମୁଣ୍ଡାକୁ ୪ ଲେନ୍‌ ରାସ୍ତା ୨୦୨୨ ମାର୍ଚ୍ଚ ସୁଦ୍ଧା ସାରିବାକୁ ଡେଡ୍‌ଲାଇନ୍‌ ଅଛି । କିନ୍ତୁ, ୨୦୧୮ ଶେଷରୁ ଆଜି ପର୍ଯ୍ୟନ୍ତ ୪୩.୫୮% କାମ ସାରିଛି ଠିକା ସଂସ୍ଥା । ଏଥିରୁ ବାକି କାମ କେବେ ସରିବ, ତାହା ଅନୁମାନ କରାଯାଇପାରେ ।

ପୁଇଁତୋଲା-ଟାଙ୍ଗିକୁ ୬ ଲେନ୍‌ ରାସ୍ତା ନିର୍ମାଣ ଚାଲିଛି । ୨୦୧୮ ଡିସେମ୍ବରରୁ କାମ ଆରମ୍ଭ ହୋଇ ୭୫ କିମି ରାସ୍ତାରୁ ଏଯାଏଁ ୧୩ କିମି ରାସ୍ତା ନିର୍ମାଣ କରାଯାଇଛି । ଏବେ ସୁଦ୍ଧା ୩୦% କାମ ସରିଥିବାବେଳେ ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଯାହାକି କାଠିକର ପାଠ ଲାଗୁଛି । ଚଣ୍ଡିଖୋଲ-ଭଦ୍ରକ ୬ ଲେନ୍‌ (୭୪.୫ କିମି) ରାସ୍ତାରୁ ଏବେ ସୁଦ୍ଧା ୩୫ କିମି ରାସ୍ତା ନିର୍ମାଣ ସରିଛି । ୨୦୧୮ ଡିସେମ୍ବରରୁ କାମ ଆରମ୍ଭ ହୋଇଥିବାବେଳେ ଏଯାଏଁ ୪୫.୬% କାମ ଶେଷ ହୋଇଛି । ପୂରା ପ୍ରକଳ୍ପ ଆସନ୍ତା ବର୍ଷ ଡିସେମ୍ବରରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

କଟକ-ଅନୁଗୁଳ ୪ ଲେନ୍‌ କାମ ୨୦୨୨ ମାର୍ଚ୍ଚରେ ସାରିବାକୁ ଲକ୍ଷ୍ୟ ଅଛି । ୨୦୧୮ ମାର୍ଚ୍ଚରୁ ଏଯାବତ୍‌ ୩୬% କାମ ସରିଛି । ଏଥିରୁ ଅନୁମାନ କରାଯାଇପାରେ, ବାକି ସାରିବାକୁ କେତେ ଦିନ ଲାଗିବ? କୋଇଡା-ରାଜାମୁଣ୍ଡା, ରିମୁଳି-କୋଇଡା, ତେଲେଇବଣି-ସମ୍ବଲପୁର, ଅନୁଗୁଳ-ସମ୍ବଲପୁର ଆଦି ଏନଏଚ୍‌ ପ୍ରକଳ୍ପର ଗତି ଦେଖିଲେ, ଏସବୁ ନିର୍ଦ୍ଧାରିତ ସମୟ ସୀମା ଭିତରେ ସରିବା ନେଇ ସନ୍ଦେହ ଉପୁଜିଛି । ଯେଉଁଭଳି ଧୁକେଇ ଧୁକେଇ କାମ ଚାଲିଛି, ଡେଡଲାଇନ୍‌ ବାରମ୍ବାର ଡେଇଁବ ।