ଦମ୍ପତ୍ତିଙ୍କର ନିଆରା ସଂଗ୍ରହାଳୟ

ପsଷାରେ ଜଣେ ଡାକ୍ତର ଜାମୁଲା ନାରାୟଣ ରାଓ । ପତ୍ନୀ ଜାମୁଲା ଶୈଳଜା ଜଣେ ଗୃହିଣୀ । ସେ ଗୀତ ଗାଇବା ସହ ଅଭିନୟ କଳାରେ ବି ଦକ୍ଷ । କିନ୍ତୁ ଏମାନଙ୍କ ଅଭ୍ୟାସ ଯେବେ ବି ଯୁଆଡ଼େ ବୁଲି ଯାଆନ୍ତି ସାଥିରେ ନେଇ ଆସନ୍ତି କିଛି କିଛି ନିଆରା ସାମଗ୍ରୀ । ଗତ ଦୁଇ ଦଶନ୍ଧି ହେଲା ଏହା ଜାରି ରହିଛି । ଫଳରେ ଏବେ ସେମାନଙ୍କ ଘରେ ରହିଛି ପ୍ରାୟ ୧୫ ଶହରୁ ଅଧିକ ମୂର୍ତ୍ତି, କଣ୍ଢେଇ, ସାଜସଜ୍ଜା ସାମଗ୍ରୀ । ପ୍ରତିବର୍ଷ ଦଶହରାରେ ତେଲୁଗୁ ଭାଷାଭାଷୀଙ୍କ ବୋମଲାକୁଲୁବୁ ପର୍ବକୁ ଏମାନେ ଧୁମଧାମରେ ପାଳିଥାନ୍ତି । ସେତିକିବେଳେ ୩ରୁ ୭ ଦିନ ପର୍ଯ୍ୟନ୍ତ ନିଜ ଘରୋଇ ସଂଗ୍ରହର ପସରା ମେଲାଇ ଦେଇଥାନ୍ତି ଏହି ଦମ୍ପତି । ଗତବର୍ଷ ଦୁଇ ଛୁଅଙ୍କ ବିବାହ ପରେ ଘରେ ଏକା ରହୁଥିବା ବୟସ୍କ ଦମ୍ପତି କିଛି ନୂଆ କରିବାକୁ ଯୋଜନା କରିଥିଲେ । ଫଳରେ ନିଜସ୍ୱ ଉଦ୍ୟମରେ ଏବର୍ଷ ଘରେ ରଥ ଯାତ୍ରା, କଣ୍ଢେଇ ଯାତ୍ରା, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ଗଣେଶ ପୂଜା, ବରଲକ୍ଷ୍ମୀ ପୂଜାକୁ ନିଆରା ଢଙ୍ଗରେ ପାଳିଛନ୍ତି । କରୋନା ମହାମାରୀ କାରଣରୁ ସାର୍ବଜନୀନ ଯାତ୍ରା ବା ପୂଜା ହୋଇପାରୁନି । ଏଣୁ ନିଜ ଘରେ ରଥଯାତ୍ରା ବେଳେ ତିନି ଠାକୁରଙ୍କ ଦଶାବତାର ଓ ସୁନାବେଶ କରିଥିଲେ ଡା. ନାରାୟଣ ଓ ଶୈଳଜା । ବାହୁଡ଼ା ଯାତ୍ରା ପରେ ଆଷାଢ଼ ପୂର୍ଣ୍ଣିମାରେ ବ୍ରହ୍ମପୁର ବଡ଼ ବଜାର ଅଞ୍ଚଳରେ ପ୍ରସିଦ୍ଧ କଣ୍ଢେଇ ଯାତ୍ରା ପ୍ରାୟ ୨ଶହରୁ ଅଧିକ ବର୍ଷ ଧରି ହୋଇ ଆସୁଥିଲା । ହେଲେ ଏଥର ତାହା ସମ୍ଭବ ହୋଇପାରି ନଥିଲା । ମାତ୍ର ଏହି ଦମ୍ପତି ନିଜ ଘରେ ରଖିଥିବା ଶହ ଶହ କଣ୍ଢେଇକୁ ସୁନ୍ଦର ଭାବେ ସଜାଇ ବ୍ୟକ୍ତିଗତ କଣ୍ଢେଇ ଯାତ୍ରା କରିଥିଲେ ଯାହାକୁ ଅନେକ ଲୋକ ଆସି ଦେଖି ପ୍ରଶଂସା ବି କରିଥିଲେ । ଏଥିରେ ଥିଲା ସୁନା ଓ ରୂପା ଭଳି ଦାମିକା ଧାତୁରେ ନିର୍ମିତ କିଛି କଳାକୃତି । ତା ସାଙ୍ଗକୁ ପିତଳ, ତମ୍ବା, ତାରକସୀ, କାଠ, ଶିଙ୍ଗ, କାଦୁଆ ମାଟି, ଚୀନା ମାଟି, ଗୋବର, କାଗଜ, ପିତଳ, ପ୍ଲାଷ୍ଟିକ୍‌, ଫାଇବର୍‌, ତାଳପତ୍ର, ଧଳା ଖଡି, ମାର୍ବଳ, ଶ୍ୱେତ ଅର୍କ, ପୋର୍କଲିନ୍‌, ଚଣା, ପାନପତ୍ର, ଗ୍ଲାସ୍‌, ମହମ, ଚନ୍ଦନ, ବ୍ଲାକ୍‌ ଉଡ୍‌ ଆଦି ବିଭିନ୍ନ ସାମଗ୍ରୀରେ ନିର୍ମିତ ଶହ ଶହ କଣ୍ଢେଇ । ବିଭିନ୍ନ ଫଳମୂଳ, ଠାକୁର ମୂର୍ତ୍ତି ବି ପ୍ରଦର୍ଶିତ କରିଥିଲେ । ଏଥିରେ ଅନେକ ନିଆରା ସଂଗ୍ରହ ମଧ୍ୟ ରହିଛି ଯାହା ସାଧାରଣରେ ଦେଖିବାକୁ ବିରଳ । ଏଇ ଯାତ୍ରାରୁ ପାରମ୍ପରିକ ଓଡ଼ିଶା ତଥା ଭାରତୀୟ ଗ୍ରାମ୍ୟ ଜୀବନର ଝଲକ ବି ଦେଖିବାକୁ ମିଳିଥିଲା । ଶ୍ରାବଣ ମାସ ତୃତୀୟ ଶୁକ୍ରବାରରେ ସେମାନେ କରିଥିଲେ ବରଲକ୍ଷ୍ମୀ ପୂଜା । ପାରମ୍ପରିକ ତେଲୁଗୁ ପରମ୍ପରା ମୁତାବକ ଧନଦାତ୍ରୀ ଦେବୀ ଲକ୍ଷ୍ମୀଙ୍କୁ ବିଭିନ୍ନ କାଚରେ ସୁସଜ୍ଜିତ କରିବା ସହ ପୂଜା ବେଳେ କାଚ ଅର୍ପଣ କରାଯାଇ ଥିଲା । ସେହିପରି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବେଳେ ୨୫ ପ୍ରକାରର ଠାକୁରଙ୍କ ମୂର୍ତ୍ତିକୁ ସଜାଇଥିଲେ ସେମାନେ । ଯଥା ମାଖନ ଚୋର ଶ୍ରୀକୃଷ୍ଣ, ଗୁରୁଣ୍ଡୁଥିବା ଶ୍ରୀକୃଷ୍ଣ, ରାଧାକୃଷ୍ଣ, ଦ୍ୱାରକାଧୀଶ, ଗୋପାଳ କୃଷ୍ଣ, ସମ୍ମୋହନ କୃଷ୍ଣ ଆଦି । ଅଗଷ୍ଟ ୧୫ ଅବସରରେ ତ୍ରିରଙ୍ଗାକୁ ସୁସଜ୍ଜିତ ଢଙ୍ଗରେ ପ୍ରଦର୍ଶନ କରିଥିଲେ ନାରାୟଣ ଓ ଶୈଳଜା । ନିକଟରେ

ସମ୍ପନ୍ନ ହୋଇଛି ଶ୍ରୀଗଣେଶ ପୂଜା । କରୋନା ମହାମାରୀ ହେତୁ ସାର୍ବଜନୀନ ପୂଜା ହୋଇପାରି ନଥିଲା । ଏପରିକି ମନ୍ଦିର ଯାଇ ଦେବଦର୍ଶନ ପାଇଁ ମଧ୍ୟ କଟକଣା ଥିଲା । ମାତ୍ର ଏହି ଦମ୍ପତି ନିଜ ଘରେ ୮୦ କିସମର ଶ୍ରୀଗଣେଶଙ୍କ ମୂର୍ତ୍ତି ପ୍ରଦର୍ଶିତ କରିଥିଲେ । ଏଥିରେ ବିଭିନ୍ନ ଧାତୁରେ ଓ କିଭିନ୍ନ ଢଙ୍ଗରେ ପୂଜିତ ବିଦ୍ୟାଦାତାଙ୍କ ମୂର୍ତ୍ତି ସାମିଲ ଥିଲା । ମହାମାରୀ ସମୟରେ ଘରେ ହିଁ ରହି ସମୟର ସଦୁପଯୋଗ କରିବା, ପୌରାଣିକ ପରମ୍ପରାକୁ ମନେ ପକାଇବା ଆମର ଏହି ପ୍ରଦର୍ଶନୀର ଉଦ୍ଦେଶ୍ୟ ବୋଲି କହନ୍ତି ସ୍ୱାମୀ-ସ୍ତ୍ରୀ । କଣ୍ଢେଇ ଯାତ୍ରା ବେଳେ କୋଭିଡ୍‌ ହସ୍‌ପିଟାଲ୍‌ ପ୍ରତିକୃତି ମଧ୍ୟ କରି ସଚେତନତାର ବାର୍ତ୍ତା ଦେଇଥିଲୁ । ଏହାଦ୍ୱାରା ମୋର ବେଶ୍‌ କିଛି ସମୟ ଆନନ୍ଦରେ ବିତିଯାଏ ବୋଲି କହିଛନ୍ତି ଜେ.ଶୈଳଜା । ପତ୍ନୀଙ୍କୁ ସହଯୋଗ କରିବାରେ ତାଙ୍କୁ ଆନନ୍ଦ ମିଳେ ବୋଲି କହନ୍ତି ୬୬ ବର୍ଷୀୟ ଡାକ୍ତର ଜେ.ନାରାୟଣ ରାଓ । ପିଲା ଦିନୁ ଘର ପାଖରେ ରଥ ଆସି ରହିବା ଦେଖୁଥିଲୁ । ମାତ୍ର ଏଥର ଘୋଷଯାତ୍ରା ହୋଇ ପାରି ନଥିଲା । କିଛି ସାଙ୍ଗ ପରାମର୍ଶ ଦେଇଥିଲେ ଯେ- ଘରେ ଯାତ୍ରା କର । ଏଣୁ ରଥଯାତ୍ରା ଓ କଣ୍ଢେଇ ଯାତ୍ରାରୁ ସେମାନେ ଏହି ପ୍ରୟାସ ଆରମ୍ଭ କରି ଜାରି ରଖିଛନ୍ତି ।

   ସମ୍ବନ୍ଧିତ ଖବର


ଛେଳିପେଟରୁ ଜନ୍ମନେଲା ମାଙ୍କଡ ଭଳି ଦିଶୁଥିବା ଶାବକ, ହନୁମାନଙ୍କ ଅବତାର ଭାବି ଭକ୍ତିରେ ଲୋକମାନେ କଲେ ପୂଜାପାଠ…

ଅଭିନବ ଉପାୟ: ଦିବ୍ୟାଙ୍ଗ ହୋଇଥିଲେ ବି ସ୍ୱାବଲମ୍ବୀ- ରିକ୍ସାକୁ ଲୁନାରେ ବାନ୍ଧି ଚଳାଇଛନ୍ତି ବ୍ୟବସାୟ

ICC ବାଛିବ ଦଶନ୍ଧିର ସର୍ବଶ୍ରେଷ୍ଠ ଖେଳାଳି: ଭାରତରୁ ଅଛନ୍ତି ୬ ଖେଳାଳି, ବିରାଟ ସର୍ବାଧିକ ୫ଟି ଆଓ୍ବାର୍ଡ ପାଇଁ ମନୋନୀତ

ଭାରତର ଡିଜିଟାଲ ଷ୍ଟ୍ରାଇକ୍‌ , ୫ମାସ ଭିତରେ ବ୍ୟାନ୍‌ ହେଲାଣି ୨୬୭ ଆପ୍ସ

ଅବସର ପରେ ଧୋନି ବିକୁଛନ୍ତି ଟମାଟୋ ଓ ଦୁଗ୍ଧ, ଭିତରେ ଦେଖନ୍ତୁ କିଭଳି ରହିଛି ତାଙ୍କ ଅତ୍ୟାଧୁନିକ ଫାର୍ମ…

ହେ ଭଗବାନ ! ଭାରତକୁ ଆସି ନାକେଦମ ହେଲେଣି ଏହି ବିଦେଶୀ; ପ୍ରଥମେ ମ୍ୟାଲେରିଆ, ପରେ ଡେଙ୍ଗୁ, ତା’ପରେ କରୋନା, ଆଉ ଶେଷରେ ଏବେ କାମୁଡିଲା ନାଗ…