ନିହାରିକା ହତ୍ୟାକାଣ୍ଡ ମାମଲାରେ ନର୍ସିଂହୋମରେ ଏସ୍‌ପିଙ୍କ ୨ ଘଣ୍ଟା ଖୋଳତାଡ଼: ସାଇଣ୍ଟିଫିକ୍‌ ଟିମ୍‌ର ଛାନ୍‌ଭିନ୍‌

ଜଗତସିଂହପୁର ୨୫/୯: କଟକର ଏକ ଘରୋଇ ନର୍ସିଂହୋମରେ ନର୍ସ ଭାବେ କାର୍ଯ୍ୟ କରୁଥିବା ଭୁବନେଶ୍ୱର ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଗ୍ରାମର ନିହାରିକା ପାତ୍ର(ରୂପାଲି)ଙ୍କ ହତ୍ୟାକାଣ୍ଡ ଘଟଣାର ଖୋଳତାଡ଼ ବନ୍ଦ କରାଯାଇନି । ପୁଲିସ ଏବେ ବି ମାମଲାର ଖିଅ ପର୍ଯ୍ୟନ୍ତ ଯିବାକୁ ଉଦ୍ୟମ ଚଳାଇଛି । ଯେହେତୁ ବ୍ୟବଚ୍ଛେଦ ରିପୋର୍ଟର ଚୂଡାନ୍ତ ସୂଚନା ଡାକ୍ତରୀ ଦଳଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇନି, ସେଦୃଷ୍ଟିରୁ ରୂପାଲିଙ୍କ ମୃତ୍ୟୁ ପଛର ଆଉ କିଛି ପ୍ରକୃତ ରହସ୍ୟ ରହିଯାଇଥିବା ସନ୍ଦେହ କରି ପୁଲିସ ପକ୍ଷରୁ ତନାଘନା ଜାରି ରହିଛି ।

ନିଜେ ଏସ୍‌ପି ପ୍ରକାଶ ରଙ୍ଗରାଜ ଆଜି କଟକ ଲିଙ୍କରୋଡ଼୍‌ ସ୍ଥିତ ଏହି ନର୍ସିଂହୋମକୁ ଯାଇ ବିଭିନ୍ନ ଦିଗ ଉପରେ ତଦନ୍ତ କରିଛନ୍ତି । ଏସ୍‌ପିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କାର୍ଯ୍ୟରତ କର୍ମଚାରୀମାନେ ଅଭିଯୁକ୍ତ ରାଜା ଅଧିକାଂଶ ସମୟରେ ଏଠାକୁ ଆସିବା କଥାକୁ ସ୍ୱୀକାର କରିଥିଲେ । ପ୍ରତି ରବିବାରର ସକାଳ ସମୟ ଡ୍ୟୁଟି ପରେ ପରବର୍ତ୍ତୀ ସମୟ ନର୍ସମାନଙ୍କୁ ସଂପୂର୍ଣ୍ଣ ଛୁଟି ମିଳିଥାଏ । ତେଣୁ ଏହି ସମୟ ଭିତରେ ହିଁ ରାଜା ନର୍ସିଂହୋମକୁ ଆସିବା ସହ ରୂପାଲିଙ୍କ ସହ କଥାବାର୍ତ୍ତା ହୋଇଥାନ୍ତି । ବେଳେବେଳେ ବାହାରକୁ ବୁଲିବାକୁ ଯାଇ ସନ୍ଧ୍ୟା ୭ଟା ପୂର୍ବରୁ ଫେରି ଆସିଥାନ୍ତି । କିନ୍ତୁ ଗତ ୮ ତାରିଖ ରୂପାଲି ନର୍ସିଂହୋମକୁ ଫେରି ନଥିଲେ । ରାତି ୮ଟା ପରେ ରୂପାଲିଙ୍କ ମୋବାଇଲ ଫୋନ୍‌ ବନ୍ଦ ଆସିଥିଲା । ରାଜାଙ୍କୁ ଫୋନ୍‌ କରିବାରୁ ସେ ରୂପାଲିଙ୍କୁ ନର୍ସିଂହୋମର କିଛି ଦୂରରେ ଥିବା ଛକରେ ଛାଡ଼ି ଆସିଥିବା କହିଥିଲେ । ରାଜାଙ୍କ ଏହି ଉତ୍ତର ମନରେ ସନ୍ଦେହ ହେବାରୁ ରୂପାଲିଙ୍କ ସହକର୍ମୀମାନେ ରାଜାଙ୍କୁ ଘନ ଘନ ଫୋନ୍‌ କରିଥିଲେ । ମାତ୍ର ସେ କୌଣସି ଉତ୍ତର ଦେଇନଥିଲେ । ବାଧ୍ୟ ହୋଇ ୯ ତାରିଖ ମଧୁପାଟଣା ଥାନାରେ ରୂପାଲିଙ୍କ ନିଖୋଜ ଏତଲା ଦିଆଯାଇଥିଲା ।

ନର୍ସିଂହୋମରେ ଟିକିନିଖି ତଥ୍ୟ ସଂଗ୍ରହ ପରେ ଏସ୍‌ପି ରଙ୍ଗରାଜ ମୃତ ନର୍ସଙ୍କ ଭିଙ୍ଗାରପୁର ଗ୍ରାମକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହାସହ ମୃତକଙ୍କ ପରିବାର ଲୋକଙ୍କୁ ଭେଟି ଘଟଣାର ପୂର୍ବ ପୃଷ୍ଠଭୂମି ଉପରେ ଜାଣିବାକୁ ଚାହିଁଥିଲେ । ସିଧା ସଳଖ ରାଜା ହିଁ ହତ୍ୟାକାରୀ ବୋଲି ପରିବାର ବର୍ଗଙ୍କ ପକ୍ଷରୁ ଏସ୍‌ପିଙ୍କୁ କୁହାଯାଇଥିଲା । ଦୁଇ ଜାଗାରୁ ସୂଚନା ସଂଗ୍ରହ କରି ଏସ୍‌ପି ଜଗତସିଂହପୁର ଫେରି ଆସିଥିବା ବେଳେ ଗସ୍ତରେ ସାମିଲ ଥିବା ଜଗତସିଂହପୁର ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ କଟକ ଆସି ସାଇଣ୍ଟିଫିକ୍‌ ଟିମ୍‌ ସହ ଚାଉଳିଆଗଞ୍ଜର ଅପର୍ଣ୍ଣାନଗର ଭଡ଼ା ଘରକୁ ଯାଇଥିଲେ । ଯେହେତୁ ଏହି ଭଡ଼ା ଘରେ ନର୍ସଙ୍କ ମୃତ୍ୟୁ ଘଟିଥିଲା, ସେଥିପାଇଁ ଏଠାରେ ଆଉ କିଛି ସୁରାକ୍‌ ମିଳିବା ଆଶାରେ ଦ୍ୱିତୀୟ ଥର ପାଇଁ ପୁଲିସ ଟିମ୍‌ ପକ୍ଷରୁ ଯାଞ୍ଚ କରାଯାଇଥିଲା ।

ରାଜା ଏବେ ତିନି ଦିନ ପାଇଁ ପୁଲିସ ରିମାଣ୍ଡରେ ଅଛନ୍ତି । ବିରିଡ଼ି ପୁଲିସ ତାଙ୍କୁ ଜେରା କରୁଛନ୍ତି । କିନ୍ତୁ ପ୍ରଥମରୁ ରାଜା ବିରୋଧରେ ସବୁ ପ୍ରମାଣ ମିଳିସାରିଛି ଏବଂ ସେ ହିଁ ଏକା ହତ୍ୟାକାରୀ ବୋଲି ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ହେଲେ ଏବେ ରୂପାଲିଙ୍କ ମୃତ୍ୟୁର ପ୍ରକୃତ କାରଣ ଏବଂ ମୃତ୍ୟୁ କିଭଳି ହେଲା ତାହାକୁ ନେଇ ପୁଲିସ ମଧ୍ୟ ଦ୍ୱନ୍ଦ୍ୱରେ ରହିଛି । କାରଣ ଭିସେରା ରିପୋର୍ଟ ଆସନ୍ତା ଶନିବାର ଭିତରେ ଅଣାଯିବାକୁ ପୁଲିସ ଚେଷ୍ଟା ଚଳାଇଛି । ରିପୋର୍ଟ ଆସିବା ପରେ ହିଁ ମୃତା ନର୍ସଙ୍କ ବ୍ୟବଚ୍ଛେଦ ରିପୋର୍ଟର ଚୂଡାନ୍ତ ସୂଚନା ଡାକ୍ତରୀ ଦଳଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ପୁଲିସଙ୍କୁ ହସ୍ତାନ୍ତର କରାଯିବ । ତେଣୁ ପୁଲିସ ମଧ୍ୟ ରୂପାଲିଙ୍କ ମୃତ୍ୟୁ ରହସ୍ୟର ପ୍ରକୃତ କାରଣ ଠଉରାଇବା ମୁସ୍କିଲ ହୋଇପଡ଼ିଛି । ଅପରପକ୍ଷେ ଅପର୍ଣ୍ଣାନଗର ଭଡ଼ା ଘର ଗଳିରୁ ସଂଗୃହିତ ସିସିଟିଭି ଫୁଟେଜ୍‌ରୁ ରାଜା ଏକୁଟିଆ ହତ୍ୟାକାରୀ ହୋଇଥିବା ପୁଲିସ କହିଛି ।

ଅନ୍ୟପଟେ ପାଣିରେ ମୃତଦେହ ପଡ଼ି ପଚିଗଲେ କିଛି ପ୍ରମାଣ ନଷ୍ଟ ହେବାର ଭୟ ରହିଥାଏ । ବିଶେଷକରି ବଳାତ୍କାର ହୋଇଥିଲେ ଏହା ଜାଣିବା ବେଶ କଷ୍ଟକର ହୋଇ ପଡ଼ିଥାଏ ବୋଲି ଜନୈକ ଡାକ୍ତର ପ୍ରକାଶ କରିଛନ୍ତି । ସେଦୃଷ୍ଟିରୁ ଏକ୍ଷେତ୍ରରେ ରୂପାଲିଙ୍କ ମୃତ୍ୟୁ ରହସ୍ୟକୁ ନେଇ ଅନେକ ‘କିନ୍ତୁ’ ରହିଯିବାର ଆଶଙ୍କା ପ୍ରକାଶ ପାଇଛି ।

   ସମ୍ବନ୍ଧିତ ଖବର


ଦୁଷ୍କର୍ମ ପାଇଁ ଉଦ୍ୟମ କରୁଥିବା ସମୟରେ କିଛି ଲୋକ ବଞ୍ଚାଇଲେ, ପରେ ସେମାନେ ହିଁ କଲେ ଗଣଦୁଷ୍କର୍ମ

ଆସନ୍ତା୨୪ରେ ପାରାଦୀପରେ ଲାଗିବ ନୌସେନାର ଯୁଦ୍ଧ ଜାହାଜ

ଭିଜିଲାନ୍ସ ପଞ୍ଝାରେ କେଶାଇବାହାଲ ଜୁନିୟର କଲେଜ ଅଧ୍ୟକ୍ଷ, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ

ଦୟାନଦୀ କୂଳରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ