ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀଙ୍କ ରିପୋର୍ଟ କାର୍ଡ, ନିରଞ୍ଜନ ଆଣ୍ଡ ସନ୍‌ ସବୁଠୁ ଧନୀ

ଭୁବନେଶ୍ୱର,୨୬ା୪(ବ୍ୟୁରୋ): ଓଡ଼ିଶାର ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ ବାପ-ପୁଅ ସବୁଠୁ ଧନୀ ପ୍ରାର୍ଥୀ । ଏମିତିକୁ ବାପଠୁ ପୁଅ ଢେର୍‌ ଅଧିକ ମାଲାମାଲ୍‌ । ବିଧାନସଭା ପ୍ରାର୍ଥୀମାନଙ୍କ ମଧ୍ୟରେ ବାପା ଏକ ନମ୍ବର ଧନୀ ତ’ ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ପୁଅ ସବୁଠୁ ଧନୀ । ଏ ବାପ-ପୁଅ ଯୋଡ଼ି ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ।

ନିରଞ୍ଜନ ଭଦ୍ରକର ଭଣ୍ଡାରିପୋଖରୀ ଓ କେନ୍ଦୁଝରର ଘସିପୁରାରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ତାଙ୍କର ମୋଟ୍‌ ସମ୍ପତ୍ତି ପରିମାଣ ୬୦ କୋଟି ୩୪ ଲକ୍ଷ ୭୭ ହଜାର ଟଙ୍କା । ସେଥିରେ ୧୮,୩୬,୮୬,୦୦୦ ଟଙ୍କାର ଅସ୍ଥାବର ସମ୍ପତ୍ତି ଓ ୪୧,୯୭,୯୧,୦୦୦ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି ।

ଏପଟେ ୧୦୪ କୋଟି ୨୦ ଲକ୍ଷ ୫ ହଜାର ଟଙ୍କାର ମାଲିକ ନବଜ୍ୟୋତି ବାଲେଶ୍ୱର ଲୋକସଭା ଆସନରୁ କଂଗ୍ରେସ ଟିକେଟ୍‌ରେ ପ୍ରାର୍ଥୀ ହୋଇଛନ୍ତି । ନବଜ୍ୟୋତିଙ୍କ ସମ୍ପତ୍ତିରେ ୯୪,୭୩,୦୮,୦୦୦ ଟଙ୍କାର ଅସ୍ଥାବର ସମ୍ପତ୍ତି ଓ ୯,୪୬,୯୭,୦୦୦ ଟଙ୍କାର ସ୍ଥାବର ସମ୍ପତ୍ତି ରହିଥିବା ଏକ ବିଶ୍ଳେଷଣ ରିପୋର୍ଟରୁ ଜଣାପଡ଼ିଛି ।
ନିର୍ବାଚନ ଆୟୋଗଙ୍କ ନିକଟରେ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଦାଖଲ କରିଥିବା ସତ୍ୟାପାଠକୁ ବିଶ୍ଳେଷଣ କରି ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ଓ ଓଡ଼ିଶା ଇଲେକ୍ସନ ୱାଚ୍‌ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ କରାଯାଇଛି । ରିପୋର୍ଟ ମୁତାବକ, ଶେଷ ପର୍ଯ୍ୟାୟର ପ୍ରାର୍ଥୀଙ୍କ ମଧ୍ୟରୁ ୯୮ ଜଣ କୋଟିପତି ପ୍ରାର୍ଥୀ ।

ରିପୋର୍ଟରେ ଲୋକସଭାରେ ନିର୍ବାଚନ ଲଢ଼ୁଥିବା ସମସ୍ତ ୫୨ ଜଣ ପ୍ରାର୍ଥୀଙ୍କ ତଥ୍ୟକୁ ବିଶ୍ଳେଷଣ କରାଯାଇଛି । ତଥ୍ୟ ବିଶ୍ଳେଷଣ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୧୭ ଜଣ(୩୩%) କୋଟିପତି, ଅର୍ଥାତ୍‌ ସେମାନଙ୍କ ସମ୍ପତ୍ତି ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ । ଚତୁର୍ଥ ପର୍ଯ୍ୟାୟର ଧନୀ ସାଂସଦ ପ୍ରାର୍ଥୀଙ୍କ ତାଲିକାରେ ନବଜ୍ୟୋତିଙ୍କ ପଛକୁ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି ବାଲେଶ୍ୱର ବିଜେଡି ଲୋକସଭା ପ୍ରାର୍ଥୀ ରବୀନ୍ଦ୍ର ଜେନା ଓ କେନ୍ଦ୍ରାପଡ଼ା ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ରବୀନ୍ଦ୍ରଙ୍କ ପାଖରେ ୭୨ କୋଟି ୬୧ ଲକ୍ଷ ୫୧ହଜାର ୯୭ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି । ସେହିଭଳି ବୈଜୟନ୍ତଙ୍କ ମୋଟ୍‌ ସମ୍ପତ୍ତି ପରିମାଣ ୫୭ କୋଟି ୪୪ ଲକ୍ଷ ୧୫ ହଜାର ୮୪୨ ଟଙ୍କା ।

ଅପରପକ୍ଷରେ ବାଲେଶ୍ୱର ଲୋକସଭାରୁ ପ୍ରଗତିଶୀଳ ସମାଜବାଦୀ ପାର୍ଟି ଟିକେଟ୍‌ରେ ନିର୍ବାଚନ ଲଢ଼ୁଥିବା ସୁଭାଷ ସବୁଠୁ ଗରିବ ସାଂସଦ ପ୍ରାର୍ଥୀ । ତାଙ୍କ ପାଖରେ ମାତ୍ର ୭,୦୦୦ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । ସୁଭାଷଙ୍କ ଛଡ଼ା ଜଗତ୍‌ସିଂହପୁର ଲୋକସଭା ଆସନରେ ଫ୍ରିଥଟ୍‌ ପାର୍ଟି ଅଫ୍‌ ଇଣ୍ଡିଆ ପକ୍ଷରୁ ନିର୍ବାଚନ ଲଢ଼ୁଥିବା ଅନିଲ କୁମାର ବେହେରା ( ୮,୦୦୨ ଟଙ୍କା) ଓ ଭଦ୍ରକ ଲୋକସଭାରୁ ଏଆଇଟିସି ଟିକେଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ତିଳୋତ୍ତମା ଜେନା (୪୨,୯୨୪ ଟଙ୍କା) ଅନ୍ୟତମ ଗରିବ ଲୋକସଭା ପ୍ରାର୍ଥୀ ।
ସେହିଭଳି ଚତୁର୍ଥ ପର୍ଯ୍ୟାୟରେ ୪୧ ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୩୪୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୪ ଜଣଙ୍କ ସତ୍ୟପାଠକୁ ଏଡିଆର୍‌ ଓ ଓଡ଼ିଶା ଇଲେକ୍ସନ ୱାଚ୍‌ ବିଶ୍ଳେଷଣ କରିଥିଲା । ଏହି ପ୍ରାର୍ଥୀଙ୍କ ମଧ୍ୟରୁ ୮୧ ଜଣ(୨୪%)ଙ୍କ ସମ୍ପତ୍ତି କୋଟିଏରୁ ଅଧିକ । ପିସିସି ସଭାପତି ନିରଞ୍ଜନଙ୍କ ପଛକୁ ଜଗତ୍‌ସିଂହପୁର ବିଧାନସଭା ଆସନରେ କଂଗ୍ରେସ ଟିକେଟ୍‌ରୁ ନିର୍ବାଚନ ଲଢ଼ୁଥିବା ଚିରଞ୍ଜୀବ ବିଶ୍ୱାଳ ଓ ଧର୍ମଶାଳାରେ ବିଜେଡିର ପ୍ରାର୍ଥୀ ହୋଇଥିବା ପ୍ରଣବ କୁମାର ବଳବନ୍ତରାୟ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ଧନୀ ବିଧାୟକ ପ୍ରାର୍ଥୀ । ଚିରଞ୍ଜୀବଙ୍କ ମୋଟ୍‌ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୩୩.୮୯ କୋଟି ଟଙ୍କା ହୋଇଥିବା ବେଳେ ପ୍ରଣବ ସମ୍ପତ୍ତି ପରିମାଣ ୧୭ କୋଟି ୨୪ ଲକ୍ଷ ଟଙ୍କା ।

ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଉଦଳା ବିଧାନସଭା ଆସନରେ ଝାଡ଼ଖଣ୍ଡ ପିପୁଲ୍‌ସ ପାର୍ଟି ଟିକେଟ୍‌ରୁ ନିର୍ବାଚନ ଲଢ଼ୁଥିବା ତୁଳସୀ ମାର୍ଣ୍ଡି ସମ୍ପତ୍ତି ଶୂନ୍ୟ ବୋଲି ନିଜ ସତ୍ୟପାଠରେ ଦର୍ଶାଇଛନ୍ତି । କିନ୍ତୁ ବାଲିକୁଦା-ଏରସମା ବିଧାନସଭା ଆସନରେ କଳିଙ୍ଗ ସେନାର ପ୍ରାର୍ଥୀ ଉମାକାନ୍ତ ପରିଡ଼ା ଓ ଇଣ୍ଡିଆନ୍‌ ସିଟିଜେନ୍‌ ପାର୍ଟିର ପ୍ରାର୍ଥୀ ବୀରବର ଦଳାଇ ସବୁଠୁ ଗରିବ ବିଧାୟକ ପ୍ରାର୍ଥୀ । ସେମାନଙ୍କ ସମ୍ପତ୍ତି ମୂଲ୍ୟ ଯଥାକ୍ରମେ ୫୦୦ ଟଙ୍କା ଓ ୫୦୫ ଟଙ୍କା ବୋଲି ରିପୋର୍ଟରେ କୁହାଯାଇଛି । ସତ୍ୟପାଠ ବିଶ୍ଳେଷଣ ରିପୋର୍ଟ କହୁଛି, ଯଦିଓ ନବଜ୍ୟୋତି ଚତୁର୍ଥ ପର୍ଯ୍ୟାୟର ସବୁଠୁ ଧନୀ ପ୍ରାର୍ଥୀ, ତାଙ୍କ ଋଣ ବୋଝ ମୋଟ୍‌ ସମ୍ପତ୍ତିଠୁ ବି ଅଧିକ । ୧୦୪ କୋଟିର ମାଲିକ ନବଜ୍ୟୋତିଙ୍କ ଉପରେ ୧୦୭ କୋଟି ୯୫ ଲକ୍ଷ ଟଙ୍କାର ଋଣ ବୋଝ ରହିଛି । ଏହାପଛକୁ ବାଲେଶ୍ୱର ସାଂସଦ ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କ ଉପରେ ୬ କୋଟି ୩୩ ଲକ୍ଷ ଟଙ୍କାର ଋଣ ବୋଝ ରହିଛି ।

ଓଡ଼ିଶା ଇଲେକ୍ସନ ୱାଚ୍‌ ନିଜ ରିପୋର୍ଟରେ ଦର୍ଶାଇଛି, ଶେଷ ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ମୋଟ୍‌ ୭୯ ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି । ଲୋକସଭାରେ ମୋଟ୍‌ ୫୨ ଜଣରୁ ୭ ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି । ସେମାନଙ୍କ ମଧ୍ୟରେ ବିଜେପିର ୪ ଜଣ ପ୍ରାର୍ଥୀ ଅଛନ୍ତି । ଅପରାଧିକ ମାମଲା ଥିବା ଏ ପ୍ରାର୍ଥୀଙ୍କ ମଧ୍ୟରେ ୬ ଜଣଙ୍କ ନାମରେ ସଙ୍ଗୀନ ଅପରାଧିକ ମାମଲାର ଦଫା ଲାଗିଛି । ସେହିଭଳି ବିଧାନସଭା ଆସନରେ ତଥ୍ୟ ବିଶ୍ଳେଷଣ କରାଯାଇଥିବା ୩୩୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭୨ ଜଣ(୨୨%)ଙ୍କ ନାମରେ ଅପରାଧିକ ମାମଲା ରହିଛି । ସେମାନଙ୍କ ମଧ୍ୟରୁ ୫୨ ଜଣଙ୍କ ବିରୋଧରେ ସଙ୍ଗୀନ ଅପରାଧିକ ମାମଲା ଅଛି । ଏଭଳିକି ୩ ଜଣ ପ୍ରାର୍ଥୀଙ୍କ ବିରୋଧରେ ହତ୍ୟା ମାମଲା ରହିଥିବା ସେମାନେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।

   ସମ୍ବନ୍ଧିତ ଖବର


୨୪ ଘଣ୍ଟାରେ ଆଉ ୭୩୦ ପଜିଟିଭ ଚିହ୍ନଟ୍: ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬,୦୦୧ରେ ପହଞ୍ଚିଲା

ପରଲୋକରେ କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ

ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

ପୁତିନ୍‌ଙ୍କ ସମ୍ପର୍କୀୟ ରୁଷ୍‌ରେ ଗଠନ କଲେ ନୂଆ ରାଜନୈତିକ ଦଳ- ନାମ ଦେଲେ ଦୁର୍ନିତୀ ମୁକ୍ତ ରୁଷ୍‌ ପାର୍ଟି

ମିସ ଇଣ୍ଡିଆ-୨୦୨୦ ପାଇଁ ଓଡ଼ିଶାର ଟପ୍‌-୫ ପ୍ରତିଯୋଗୀଙ୍କ ମଧ୍ୟରେ ବଲାଙ୍ଗିରର ଝିଅ ଶୁଭଶ୍ରୀ ରାୟଗୁରୁ

କରୋନା ଟିକା କରଣ ପାଇଁ ମୋଦି ନବୀନ ଆଲୋଚନା- ସ୍ୱାସ୍ଥ୍ୟକର୍ମୀ ଏବଂ ୫୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ପ୍ରଥମେ ମିଳିବ ଟିକା