ବିଜେଡି, ବିଜେପିକୁ ଭୋଟର ଉପଯୁକ୍ତ ଜବାବ ଦେବେ: ନିରଞ୍ଜନ

ଭୁବନେଶ୍ୱର,୨୮ା୪(ବ୍ୟୁରୋ): ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆସନ୍ତାକାଲି ହେଉଥିବା ବେଳେ ଓଡ଼ିଶାରେ ଶେଷ ପର୍ଯ୍ୟାୟ ମତଦାନ ହେବ । ନିର୍ବାଚନରେ ବିଜେଡି ଓ ବିଜେପି ଯେଉଁ ଭଳି ଆଚରଣବିଧି ଉଲ୍ଲଙ୍ଘନ କରିଛନ୍ତି ଏହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଘଷିପୁରା, ଆଠଗଡ଼, ପିପିଲି ଓ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଏହାର ସଦ୍ୟ ଉଦାହରଣ । ଏସବୁ ନିର୍ବାଚନମଣ୍ଡଳୀରେ ବାହୁବଳ ଓ ସରକାରୀ କଳ ଓ ଅର୍ଥ ବଳ ଦ୍ୱାରା ଭୋଟରଙ୍କୁ କବଳିତ କରିବାକୁ ବିଜେଡି ଓ ବିଜେପି ପ୍ରୟାସ କରିଛନ୍ତି । ସବୁଠାରୁ ଶାସକ ଦଳ ବିଜେଡି ହିଂସାତ୍ମକ କାଣ୍ଡ ଭିଆଇବାରେ ଚରମ ସୀମା ଅତିକ୍ରମ କରିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଓଡ଼ିଶାର ଭୋଟର୍‌ ଶାନ୍ତି ଓ ଅହିଂସା ପ୍ରିୟ । ତେବେ ବିଜେଡି କ୍ଷମତା ଦଖଲ କରିବା ପାଇଁ ନିର୍ବାଚନ ଆଚରଣବିଧିକୁ ଜଳାଞ୍ଜଳି ଦେଇ ସରକାରୀ କଳର ସର୍ବାଧିକ ଅପବ୍ୟବହାର କରିଛି ବୋଲି ସେ ଅଭିଯୋଗ କରିଛନ୍ତି । ଗୋଟିଏ ଗୋଟିଏ ଭୋଟ୍‌ କେବଳ ପ୍ରାର୍ଥୀଙ୍କ ଭାଗ୍ୟ ବଦଳାଇବ ନାହିଁ । ବରଂ ରାଜ୍ୟ ବିକାଶରେ ଓ ଦେଶକୁ ସମୃଦ୍ଧ କରିବାରେ ପରିବର୍ତ୍ତନ ଆଣିପାରିବ । ଟଙ୍କା, ଧମକ, ମଦ, ମାଂସ ଦ୍ୱାରା ନିଜକୁ ବିକଶିତ ନକରି ନିର୍ଭୟରେ ମତଦାନ କରିବାକୁ ଭୋଟରଙ୍କୁ ଆହ୍ୱାନ ଦେଇଛି କଂଗ୍ରେସ । ଶେଷ ପର୍ଯ୍ୟାୟ ନିର୍ବାଚନରେ ୪୧ଟି ବିଧାନସଭା ଓ ୬ଟି ଲୋକସଭା ନିର୍ବାଚନରେ ମତଦାନ ହେବାକୁ ଯାଉଥିବା ଭୋଟର୍‌ମାନେ ସଚେତନ ହୋଇ ଗଣତନ୍ତ୍ରର ସୁରକ୍ଷା ପାଇଁ ମତଦାନ କରିବାକୁ ନିରଞ୍ଜନ ଅନୁରୋଧ କରିଛନ୍ତି । ତେବେ ଭୋଟର ବିଜେଡି, ବିଜେପିକୁ ଉପଯୁକ୍ତ ଜବାବ ଦେବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।