PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ସୀତାରମଣଙ୍କ ବଜେଟ୍‌ ଟିମ୍‌ରେ ୭ ସଚିବ

ଭାରତର ଆର୍ଥିକ ଅଭିବୃଦ୍ଧି ଏବେ ୬ ବର୍ଷର ସର୍ବନିମ୍ନ ସ୍ତରରେ । ଦୀର୍ଘଦିନ ହେଲା ଲାଗି ରହିଛି ମାନ୍ଦାବସ୍ଥା । ଏସବୁ କାରଣରୁ ଚାହିଦା ଓ ଉପଭୋକ୍ତା ସାମଗ୍ରୀ ବ୍ୟବହାର ବହୁଳ ପ୍ରଭାବିତ ହୋଇଛି । ଅର୍ଥନୀତି ଏମିତି ସମୟ ଦେଇ ଗତି କରୁଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦ ଫେବ୍ରୁଆରୀରେ ନିଜର ଦ୍ୱିତୀୟ ବଜେଟ୍‌ ଆଗତ କରିବେ । ଏହି ବଜେଟ୍‌ରେ ସୀତାରମଣ ଓ ତାଙ୍କ ଟିମ୍‌ ଦେଶର ଅଭିବୃଦ୍ଧି ଓ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇଁ ବହୁ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି । ପୂର୍ବର ଅର୍ଥମନ୍ତ୍ରୀଙ୍କ ଭଳି ସୀତାରମଣ ମଧ୍ୟ ବଜେଟ୍‌ ପ୍ରସ୍ତୁତି ପାଇଁ ତାଙ୍କ ପ୍ରଶାସନିକ ଓ ଉପଦ୍ଦେଷ୍ଟା ଟିମ୍‌ ଉପରେ ନିର୍ଭରଶୀଳ ହେବେ । ୨୦୨୦ ବଜେଟ୍‌ ପ୍ରସ୍ତୁତିରେ ଅର୍ଥମନ୍ତ୍ରୀଙ୍କ ସହ ଜଡ଼ିତ ରହିବାକୁ ଥିବା ଏହି ଟିମ୍‌ ସମସ୍ୟଙ୍କ ସମ୍ପର୍କରେ ଏକ ଆଲେଖ୍ୟ…

ରାଜୀବ କୁମାର (ଅର୍ଥ ଓ ଆର୍ଥିକ ସେବା ସଚିବ)


ଅର୍ଥ ମନ୍ତ୍ରାଳୟରେ ଥିବା ୫ଟି ସଚିବାଳୟର ସବୁଠାରୁ ବରିଷ୍ଠ ଅଧିକାରୀ ହୋଇଥିବାରୁ ଆର୍ଥିକ ସେବା ସଚିବ ରାଜୀବ କୁମାର ନିୟମ ଅନୁସାରେ ଅର୍ଥ ସଚିବ ଦାୟିତ୍ୱ ତୁଲାଉଛନ୍ତି । ୧୯୮୪ ବ୍ୟାଚ୍‌ ଝାଡ଼ଖଣ୍ଡ କ୍ୟାଡର୍‌ର ଏହି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମ୍ମିଶ୍ରଣ ପଛର ମାଷ୍ଟର ମାଇଣ୍ଡ ଭାବେ ଜଣାଶୁଣା । ତାଙ୍କ ସମୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ବହୁ ପ୍ରତୀକ୍ଷିତ ୨.୧ ଲକ୍ଷ କୋଟି ଟଙ୍କାର ମୂଳଧନ ନିବେଶ ଘୋଷଣା ହୋଇଥିଲା। ଫେବ୍ରୁଆରୀ ମାସ ଶେଷ ବେଳକୁ ସେ ଅବସର ଗ୍ରହଣ କରିବାକୁ ଥିବାରୁ ଆଗାମୀ ୨୦୨୦-୨୧ ବଜେଟ୍‌ ତାଙ୍କର ଶେଷ ବଜେଟ୍‌ ପ୍ରସ୍ତୁତି ହେବ । ଯଦିଓ ଆର୍ଥିକ ସେବା ସଚିବଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ ହୋଇଥାଏ, ଆସନ୍ତା ଆର୍ଥିକ ବର୍ଷର ଫାଇନାନ୍ସ ବିଲ୍‌ ପାରିତ ହେବା ଯାଏଁ ଶ୍ରୀ କୁମାରଙ୍କ କାର୍ଯ୍ୟକାଳ ବଢ଼ିପାରେ ବୋଲି ଆକଳନ କରାଯାଉଛି।

ଅଜୟ ଭୂଷଣ ପାଣ୍ଡେ (ରାଜସ୍ୱ ସଚିବ)

ପୂର୍ବତନ ରାଜସ୍ୱ ସଚିବ ହସ୍‌ମୁଖ୍‌ ଆଧିଆଙ୍କ ସ୍ଥାନ ନେବା ଅଜୟ ଭୂଷଣ ପାଣ୍ଡେଙ୍କ ପାଇଁ ସେତେଟା ସହଜ ନ ଥିଲା । କାରଣ ସେ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ନେଟ୍‌ୱର୍କର ଅଧ୍ୟକ୍ଷ ମଧ୍ୟ ରହିଛନ୍ତି । ସେହଭଳି ନିକଟରେ ସେ ଭାରତୀୟ ଏକକ ପରିଚୟପତ୍ର ପ୍ରାଧିକରଣ (ୟୁଆଇଡିଏଆଇ)ର ମୁଖ୍ୟ ମଧ୍ୟ ଥିଲେ । ଚଳିତ ଆର୍ଥିକ ବର୍ଷ ପାଇଁ ଅବାସ୍ତବ ରାଜସ୍ୱ ଲକ୍ଷ୍ୟ ଧାର୍ଯ୍ୟ କାରଣରୁ ଶ୍ରୀ ପାଣ୍ଡେ ନିକଟରେ ସମାଲୋଚନାର ଶିକାର ହୋଇଥିଲେ। ୧୯୮୪ ବ୍ୟାଚ୍‌ ମହାରାଷ୍ଟ୍ର କ୍ୟାଡର୍‌ର ଆଇଏଏସ୍‌ ଅଧିକାରୀ ଶ୍ରୀ ପାଣ୍ଡେ ଅର୍ଥ ସଚିବ ଶ୍ରୀ କୁମାରଙ୍କ ଅବସର ପରେ ଏହି ଗୁରୁ ଦାୟିତ୍ୱ ଗ୍ରହଣ କରିବେ । ରାଜ୍ୟଗୁଡ଼ିକୁ ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ କରିବା ଶ୍ରୀ ପାଣ୍ଡେଙ୍କ ନିକଟରେ ଏବେ ସବୁଠାରୁ ବଡ଼ ଆହ୍ୱାନ ।

ଅତନୁ ଚକ୍ରବର୍ତ୍ତୀ (ଅର୍ଥନୈତିକ ବ୍ୟାପାର ସଚିବ)
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ), ସେବି ଓ ଅନ୍ୟ ସରକାରୀ ବିଭାଗ ସହ ଏକ ଉତ୍ତମ ସମ୍ପର୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ ୧୯୮୫ ବ୍ୟାଚ୍‌ ଗୁଜରାଟ କ୍ୟାଡର୍‌ ଅଧିକାରୀ ଅତନୁ ଚକ୍ରବର୍ତ୍ତୀଙ୍କୁ ପୁଞ୍ଜିନିବେଶ ଓ ସରକାରୀ ସମ୍ପତ୍ତି ପରିଚାଳନା ବିଭାଗ (ଡିଆଇପିଏଏମ୍‌)ରୁ ଅର୍ଥନୈତିକ ବ୍ୟାପାର ବିଭାଗକୁ ଅଣାଯାଇଥିଲା । ତାଙ୍କ ପୂର୍ବ ଅଧିକାରୀ ସୁଭାଷ ଗର୍ଗଙ୍କ ସମୟରେ ବିଭିନ୍ନ କାରଣରୁ ବିଭିନ୍ନ ନିୟାମକ ଓ ବିଭାଗ ସହ ଅର୍ଥ ମନ୍ତ୍ରାଳୟର ସମ୍ପର୍କ ତିକ୍ତ ହୋଇଥିଲା । ବିତ୍ତୀୟ ମନ୍ଥରତାକୁ ଗ୍ରହଣୀୟ ସ୍ତରରେ ରଖିବାଏବେ ଶ୍ରୀ ଚକ୍ରବର୍ତ୍ତୀଙ୍କ ନିକଟରେ ସବୁଠୁ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି । ବଜେଟ୍‌ ଅଭିଭାଷଣର ଏକ ବଡ଼ ଅଂଶ ଶ୍ରୀ ଚକ୍ରବର୍ତ୍ତୀ ଲେଖିବେ ବୋଲି ଆଶା କରାଯାଉଛି ।

ତୁହିନ କାନ୍ତ ପାଣ୍ଡେ (ଡିଆଇପିଏଏମ୍‌ ସଚିବ)


ଜଣେ ଯୁବ, ସ୍ମାର୍ଟ ଓ ପରିଶ୍ରମୀ ଅଧିକାରୀ ଭାବେ ପରିଚିତ ଡିଆଇପିଏଏମ୍‌ ସଚିବ ତୁହିନ କାନ୍ତ ପାଣ୍ଡେ ୧.୦୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ପୂରଣ ପାଇଁ ନିଜ କ୍ୟାରିୟରର ସବୁଠାରୁ ବଡ଼ ପରୀକ୍ଷାର ସାମ୍ନା କରୁଛନ୍ତି । ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ଏହି ୧୯୮୭ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ଅଫିସରଙ୍କୁ ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆ, ଭାରତ ପେଟ୍ରୋଲିୟମ, ସିପିଂ କର୍ପୋରେସନର ଘରୋଇକରଣ ସମେତ ଟିଏଚ୍‌ଡିସି ଓ ନିପ୍‌କୋରେ କେନ୍ଦ୍ର ସରକାରଙ୍କର ଥିବା ସମସ୍ତ ଅଂଶଧନକୁ ଏନ୍‌ଟିପିସିକୁ ବିକ୍ରି କରିବାକୁ ପଡ଼ିବ । ଏହାଛଡ଼ା ଟିକସ ରାଜସ୍ୱ ନିଅଣ୍ଟିଆକୁ ପୂରଣ ଉଦ୍ଦେଶ୍ୟରେ ଶ୍ରୀ ପାଣ୍ଡେଙ୍କୁ ଲଗାତର ତୃତୀୟ ବର୍ଷ ପାଇଁ ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ଡେଇଁବାକୁ ହେବ ।

ଟି ଭି ସୋମନାଥନ୍‌ (ବ୍ୟୟବରାଦ ସଚିବ)


୨୦୧୫ରୁ ୨୦୧୭ ମଧ୍ୟରେ ସୋମନାଥନ୍‌ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅର୍ଥନୈତିକ ନୀତି ଗୁଡ଼ିକର କାର୍ଯ୍ୟକାରୀ ଦାୟିତ୍ୱରେ ଥିଲେ । ଏହି କାରଣରୁ ସେ ପ୍ରମୁଖ ରାଜନେତାଙ୍କର ବିଶ୍ୱାସଭାଜନ ଅଟନ୍ତି । ୧୯୮୭ ବ୍ୟାଚ୍‌ର ତାମିଲନାଡ଼ୁ କ୍ୟାଡର୍‌ ଅଫିସର ସୋମନାଥନ୍‌ ଗତ ସପ୍ତାହରେ ବ୍ୟୟବରାଦ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ଯେହେତୁ ଅର୍ଥନୀତିରେ ସୁଧାର ଆଣିବାକୁ କେନ୍ଦ୍ର ସରକାର ସଂଘର୍ଷ ଜାରି ରଖିଛନ୍ତି, କେନ୍ଦ୍ର ବଜେଟ୍‌ରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ।

କ୍ରିଷ୍ଣମୂର୍ତ୍ତୀ ସୁବ୍ରମଣ୍ୟମ୍‌ (ମୁଖ୍ୟ ଆର୍ଥିକ ଉପଦ୍ଦେଷ୍ଟା)


ଏକ ଉତ୍ତମ ବଜେଟ୍‌ ଉପସ୍ଥାପନ କରିବାକୁ ସୁବ୍ରମଣ୍ୟମ ବହୁ ସରକାରୀ ଓ ଘରୋଇ କ୍ଷେତ୍ର ଅର୍ଥନୀତିଜ୍ଞ ଓ ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି । ବ୍ୟବହାର ଅର୍ଥଶାସ୍ତ୍ରର ଏକ ଦୃଢ଼ ସମର୍ଥକ ଭାବେ ଜଣାଶୁଣା ଶ୍ରୀ ସୁବ୍ରମଣ୍ୟମଙ୍କର ଆର୍ଥିକ ସେବାରେ ଗଭୀର ଜ୍ଞାନ ରହିଛି । ଏଣୁ ତାଙ୍କର ଚିନ୍ତାଧାରା ବଜେଟ୍‌ରେ ବ୍ୟାଙ୍କିଙ୍ଗ୍‌ ଓ ଆର୍ଥିକ ସେବା କ୍ଷେତ୍ର ପାଇଁ ସଂସ୍କାର ଆଣିବ ବୋଲି ଆଶା କରାଯାଉଛି । ଆଇଆଇଏମ୍‌ କୋଲ୍‌କାତା ଓ ସିକାଗୋ ବିଶ୍ୱବିଦ୍ୟାଳୟର ଆଲୁମିନି ଥିବା ସୁବ୍ରମଣ୍ୟମ୍‌ ରଘୁରାମ ରାଜନ୍‌ଙ୍କୁ ନିଜର ମାର୍ଗଦର୍ଶକ ମାନିଥାନ୍ତି ।

ସଞ୍ଜୀବ ସାନ୍ୟାଲ (ପ୍ରଧାନ ଅର୍ଥନୈତିକ ଉପଦ୍ଦେଷ୍ଟା)


ସାନ୍ୟାଲ ଏକାଧାରରେ ଜଣେ ଲେଖକ, ଐତିହାସିକ ଓ ଅର୍ଥନୀତିଜ୍ଞ । ପ୍ରଧାନ ଅର୍ଥନୈତିକ ଉପଦ୍ଦେଷ୍ଟା ଭାବେ ସେ ଆର୍‌ବିଆଇ ଓ ଅନ୍ୟ ଆର୍ଥିକ କ୍ଷେତ୍ର ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥାନ୍ତି । ବଜେଟ୍‌ ତଥ୍ୟ ଓ ଅର୍ଥନୈତିକ ସର୍ଭେରେ ସାନ୍ୟାଲଙ୍କର ଏକ ପ୍ରମୁଖ ଅବଦାନ ରହିବ ।