ବିହାର ନିର୍ବାଚନୀ ପ୍ରତିଶ୍ରୁତିରେ କରୋନା ଭାକ୍‌ସିନ୍‌ – ମାଗଣାରେ ଲୋକଙ୍କୁ କୋଭିଡ୍‌-୧୯ ଟିକା ମିଳିବା ନେଇ ସ୍ପଷ୍ଟ କଲେ ନିର୍ମଳା ସୀତାରମଣ

ପାଟଣା – ବିହାର ନିର୍ବାଚନକୁ ନେଇ ମାହୋଲ ପୁରା ସରଗରମ । ବିଭିନ୍ନ ଦଳ ମାନଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଛକାପଞ୍ଝା । ଯେଣତେଣ ଉପାୟରେ ଭୋଟରକୁ ହାତେଇବାର ନିର୍ବାଚନୀ ପ୍ରତିଶ୍ରୁତିରେ ଭର୍ତ୍ତି ହୋଇଗଲାଣି ପରିବେଶ । ଆଉ ଏ ଭିତରେ ବିରୋଧୀ ଦଳକୁ ଆହୁରି ଉସୁକେଇଛି ଭାରତୀୟ ଜନତା ପାର୍ଟି( ବିଜେପି)ର ନିର୍ବାଚନୀ ଘୋଷଣା ।

ଶାସନରେ ଥିବା ବିଜେପି ଏହି ନିର୍ବାଚନରେ ବି ଭୋଟରକୁ ବିଶ୍ୱାସ ଜମେଇବା ପାଇଁ ଛାଡ଼ିଛି ନିର୍ବାଚନୀ ବାଣ । ନିଜର ଘୋଷଣା ପତ୍ରରେ ବିହାରବାସୀଙ୍କୁ  କରୋନା ଭାଇରସ୍‌ର ଭାକ୍‌ସିନ୍‌ ମାଗଣାରେ ଦେବାକୁ ଘୋଷଣା କରିଛି ଦଳ । ଏହାପରେ ବିପକ୍ଷ ଦଳ ନିଆଁବାଣ ।  ବିଜେପିକୁ କରିଛନ୍ତି ଟାର୍ଗେଟ୍‌ । ବିରୋଧୀ ନେତାମାନେ ନିର୍ବାଚନ ଆୟୋଗକୁ ଏହି ବିଷୟରେ ଅଭିଯୋଗ କରିଛନ୍ତି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଦିନ କହିଛନ୍ତି, ଘୋଷଣା ସ୍ପଷ୍ଟ ଅଟେ ଏବଂ ଏଥିରେ କିଛି ସନ୍ଦେହର ଅବକାଶ ନାହିଁ ।  ଗୋଟିଏ ଦଳ ଘୋଷଣା କରିପାରେ ସେ ଶାସନକୁ ଆସିଲେ ଲୋକଙ୍କ ପାଇଁ କଣ କରିବ । ସ୍ୱାସ୍ଥ୍ୟ ରାଜ୍ୟର ବିଷୟ ଅଟେ ଏବଂ ଏହା ହେଉଛି ଦଳ ପାଇଁ  ଏକ ନିର୍ଦ୍ଦିଷ୍ଟ କ୍ରମ ।   

ମୁଖ୍ୟ ବିରୋଧୀ ଦଳମାନେ ବିହାରର ଲୋକଙ୍କୁ ମଧ୍ୟ ଏହି ବିଷୟରେ ଅବଗତ କରିବାକୁ ପଛେଇ ନାହାନ୍ତି । ସେମାନେ ବି କହିଛନ୍ତି ଏହା ହେଉଛି ବିଜେପିର ଏକ ରାଜନୈତିକ ଲାଭ । ନିଃଶୁକ୍ଳ କରୋନା ଟିକା ବାଣ୍ଟିବା ବିଜେପିର ନିର୍ବାଚନ ପ୍ରଚାର ଏକ ନିର୍ବାଚନୀ ଚାଲ୍‌ । ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ  ବିରୋଧୀମାନେ ନିର୍ବାଚନ ଆୟୋଗକୁ ଦାବି ଜଣାଇଛନ୍ତି ।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଜେପିର ଏହି ପ୍ରତିଶ୍ରୁତିକୁ ନେଇ ଟାର୍ଗେଟ୍‌ କରି କହିଛନ୍ତି , ଭାରତ ସରକାର  କୋଭିଡ-୧୯ର ଟିକା ବିତରଣର ରଣନୀତିର ଘୋଷଣା କରିଦେଇଛନ୍ତି ଏବଂ ଏବେ ଲୋକେ ଏହାକୁ ହାସଲ କରିବାକୁ  ସୂଚନା ପାଇଁ  ସାରା ରାଜ୍ୟରେ ନିର୍ବାଚନ କାର୍ଯ୍ୟକ୍ରମ ଉପରେ ନଜର ପକାଇପାରିବେ ।

 ଉଲ୍ଲେଖନୀୟ ଯେ,  ଅନେକ ଦେଶ କରୋନାର ଭାକସିନ୍‌ ବିକଶିତ କରିବାରେ ଲାଗି ରହିଛନ୍ତି । ଭାରତରେ ମଧ୍ୟ ଭାକ୍‌ସିନ୍‌ ତିଆରି କରୁଥିବା କମ୍ପାନୀମାନେ ୩ୟ ପର୍ଯ୍ୟାୟର ଟ୍ରାଏଲରେ ପହଞ୍ଚି ସାରିଛନ୍ତି । କେନ୍ଦ୍ର ସରକାରଙ୍କ ଦାବି ଯେ, ବହୁତ ଶୀଘ୍ର କରୋନା ଭାକସିନ୍‌ ବାହାରିବ ।  ଏହାର ବିତରଣକୁ ନେଇ ନିର୍ଦ୍ଦିଷ୍ଟ ସମିତିମାନେ ରୂପରେଖ ପ୍ରସ୍ତୁତ କରୁଛନ୍ତି ।