ବଲିଉଡକୁ ଆଉ ଏକ ଝଟକା: ‘ଦୃଶ୍ୟମ’ର ନିର୍ଦ୍ଦେଶକ ନିଶିକାନ୍ତ କାମତଙ୍କ ପରଲୋକ

ହାଇଦ୍ରାବାଦ,୧୭।୮: ବଲିଉଡର ନିର୍ଦ୍ଦେଶକ ନିଶିକାନ୍ତ କାମତଙ୍କ ପରଲୋକ। ‘ଦୃଶ୍ୟମ’ ଓ ’ମୁମ୍ବାଇ ମେରି ଜାନ୍’ ଭଳି ଫିଲ୍ମର ନିର୍ଦେଶନା ଦେଇଥିବା ନିଶିକାନ୍ତ(୫୦)ଙ୍କର ଆଜି ମୃତ୍ୟୁ ହୋଇଛି। ଏ ସମ୍ପକ;ରେ ଏଆଇଜି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ, ଆଜି ସନ୍ଧ୍ୟା ୪ଟା ୨୪ ମିନିଟରେ ନିଶିକାନ୍ତ କାମତଙ୍କର ପରଲୋକ ହୋଇଯାଇଛି। ସେ ଗତ ଦୁଇ ବର୍ଷ ହେବ ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ।

ଅଭିନେତା ଅଜୟ ଦେବଗନ୍ ଓ ରିତେଶ ଦେଶମୁଖ ଟୁଇଟ୍ କରି ଦୁଃଖ ପ୍ରକାଶ କରିଛନ୍ତି। ନିଶିକାନ୍ତ ଗତ ୩୧ ଜୁଲାଇରୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ଥିଲେ। ‘ଦୃଶ୍ୟମ’ ଭଳି ସୁପରହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ନିଶିକାନ୍ତଙ୍କ ମୃତ୍ୟୁ ଖବର ପାଇ ଅଜୟ ଦେବଗନ୍ ଶୋକ ବ୍ୟକ୍ତ କରି କହିଛନ୍ତି, ମୋର ତାଙ୍କ ସହ ସମ୍ପର୍କ କେବଳ ଦୃଶ୍ୟମ ପର୍ଯ୍ୟନ୍ତ ନଥିଲା। ଏହି ସମ୍ପର୍କ ତାଠାରୁ ବି ଅଧିକ ଥିଲା। ସେ ସବୁବେଳେ ହସୁଥିବା ଓ ପ୍ରତିଭାଶାଳୀ କଳାକାର ଥିଲେ। ଖୁବ୍ ଜଲଦି ଚାଲିଗଲେ।

କିଛି ଦିନ ଧରି ନିଶିକାନ୍ତଙ୍କ ମୃତ୍ୟୁ ଖବର ଆସୁଥିଲା, ତେଣୁ ଏନେଇ ବହୁବାର ଅଭିନେତା ରିତେଶ ଦେଶମୁଖ ଓ ଡାଇରେକ୍ଟର ମିଳାପ ଜାଭେରୀ ଟ୍ବିଟ୍ କରି କହିଥିଲେ ସେ ବଞ୍ଚିଛନ୍ତି କିନ୍ତୁ ଖୁବ୍ ଗୁରୁତର ଅବସ୍ଥାରେ ଅଛନ୍ତି। କିନ୍ତୁ ଶେଷରେ ଆଜି ନିଶିକାନ୍ତ ସମସ୍ତଙ୍କୁ ଅଲବିଦା କରି ଚାଲିଗଲେ। ନିଶିକାନ୍ତ କାମତ ଅଭିନେତ ଓ ନିର୍ଦ୍ଦେଶକ ରହିସାରିଛନ୍ତି।