ନୀତି ଆୟୋଗ ରିପୋର୍ଟ: ପାଣି ପାଇଁ ଓଡ଼ିଶା ହେବ ଡହଳବିକଳ

ଭୁବନେଶ୍ୱର ୨୮/୮ : ଜଳ ପରିଚାଳନା ପାଇଁ ସ୍ୱତନ୍ତ୍ର ଆଇନ ନାହିଁ । ଜଳାଶୟକୁ ଜବରଦଖଲ କରି ନିର୍ମାଣ ହୁ ହୁ ହୋଇ ବଢ଼ି ଚାଲିଛି । ଭୂତଳ ଜଳସ୍ତରର ଖସୁଛି ତଳକୁ ତଳକୁ । ମୌସୁମୀ ବି କାଳ ସାଜିଲାଣି । ବର୍ଷାର ଅନିୟମିତତା କାରଣରୁ ଜଳ ସଂରକ୍ଷଣ ହୋଇପାରୁନି । ଜଳର ସୁଷମ ପରିଚାଳନା ପାଇଁ ନୀତି ନାହିଁ କି ନିୟମ ନାହିଁ । ଜଳ ପରିଚାଳନା ପ୍ରତି ଏମିତି ବେପରୁଆ ମନୋଭାବ ଓଡ଼ିଶାକୁ ଏକ ବଡ଼ ସଂକଟ ଆଡକୁ ନେଉଛି । ଆଉ ଗୋଟିଏ ଦଶନ୍ଧି ପରେ ପାଣି ମୁନ୍ଦିଏ ପାଇଁ ଓଡ଼ିଶାବାସୀ ଛଟପଟ ହେବେ । ରାଜଧାନୀର ଜିଲ୍ଲା ଖୋର୍ଦ୍ଧା ସମେତ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଏ ଜଳ ସଂକଟ ଉତ୍କଟ ରୂପ ଧାରଣ କରିବ । ପାଣି ପାଇଁ ଲୋକ ତ୍ରାହି ତ୍ରାହି ଡାକିବେ । ଏମିତି ସତର୍କ କରାଇ ଦେଇଛି ନୀତି ଆୟୋଗ ।

ନୀତି ଆୟୋଗ ଦ୍ୱାରା ପ୍ରକାଶିତ ଗୋଷ୍ଠୀଗତ ଜଳ ପରିଚାଳନା ରିପୋର୍ଟ-୨୦୧୯ରେ ଓଡ଼ିଶାର ଜଳ ପରିଚାଳନା ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ରିପୋର୍ଟ କହୁଛି, ରାଜ୍ୟରେ ଜନସଂଖ୍ୟା ଯେଉଁ ହାରରେ ବଢ଼ୁଛି, ଜଳର ଚାହିଦା ମଧ୍ୟ ସେହି ଅନୁପାତରେ ବଢ଼ି ବଢ଼ି ଚାଲିଛି । ମାତ୍ର ରାଜ୍ୟ ସରକାର ରାଜ୍ୟରେ ଉପଲବ୍ଧ ଜଳର ତତ୍ତ୍ୱାବଧାରକ ଭାବେ ଜଳର ସଂରକ୍ଷଣ ଓ ପରିଚାଳନା ପ୍ରତି ଯଥେଷ୍ଟ ଆନ୍ତରିକତା ପ୍ରକାଶ କରୁନାହାନ୍ତି । ଫଳରେ ନୀତି ଆୟୋଗର ସୂଚକାଙ୍କରେ ରାଜ୍ୟ ତଳକୁ ଖସିଛି । ଅଣ-ହିମାଳୟ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ସବୁଠୁ ତଳେ ଅଛି । ଏକମାତ୍ର ରାଜ୍ୟ ଯାହାର ଏ ନେଇ କିଛି ଆଇନ ନାହିଁ । ୨୦୧୫-୧୬ ଆର୍ଥିକ ବର୍ଷରେ ନୀତି ଆୟୋଗ ସୂଚକାଙ୍କରେ ଓଡ଼ିଶା ୪୬.୨ ସ୍କୋର କରିଥିଲା ବେଳେ ତାହା ୧୬-୧୭ରେ ୪୧.୬ ଏବଂ ୨୦୧୭-୧୮ରେ ୩୮.୯କୁ ଖସିଛି । ଏ ହାର ଉଦ୍‌ବେଗଜନକ ବୋଲି ଆୟୋଗ ସ୍ପଷ୍ଟ କରିଛି । ଏପରିକି ଅଣ-ହିମାଳୟ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ର‌୍ୟାଙ୍କରେ ସବାତଳେ (୧୭ତମ ସ୍ଥାନ)ରେ ଅଛି । ବିହାର ଭଳି ରାଜ୍ୟ ମଧ୍ୟ ଓଡ଼ିଶା ଉପରେ ଅଛି ।

ନୀତି ଆୟୋଗ ଦ୍ୱାରା ପ୍ରକାଶିତ ଏ ରିପୋର୍ଟ ଦର୍ଶାଇଛି, ରାଜ୍ୟର ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ୭ ଜିଲ୍ଲାରେ ଜଳ ଉପରେ ଚାପ ରହିଛି । ଏ ଜିଲ୍ଲାଗୁଡ଼ିକରେ ୮୦ ପ୍ରତିଶତ ଜଳ ଉପଲବ୍ଧ ଥିଲା ବେଳେ ମାତ୍ର ୪୦% ଜଳ ବ୍ୟବହାର ପାଇଁ ଉତ୍ତୋଳନ କରି ହେଉଛି । ବିଶେଷ କରି ଏ ଜିଲ୍ଲାଗୁଡ଼ିକର ସହରାଞ୍ଚଳରେ ଜଳ ବ୍ୟବହାର ଉପରେ ଚାପ ପରିମାଣ ବଢ଼ି ଚାଲିଛି । ଏହାର କାରଣ ଭାବେ ଦର୍ଶାଯାଇଛି, ଖୋର୍ଦ୍ଧା ଭଳି ଉପକୂଳ ଜିଲ୍ଲାରେ ନଭେମ୍ବରରୁ ମାର୍ଚ୍ଚ ମଧ୍ୟରେ ୮ ରୁ ୧୦୦ ପ୍ରତିଶତ ବର୍ଷା କମ୍‌ ହେଉଛି । ଗତ ୪ ବର୍ଷର ମୌସୁମୀ ରେକର୍ଡ କହୁଛି, ଜୁନରୁ ଅଗଷ୍ଟ ମଧ୍ୟରେ ୧୦ ରୁ ୭୫% ବର୍ଷା କମ୍‌ ହେଉଛି ।

ପୁରୀ ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା । ଅନିୟମିତ ଓ କମ୍‌ ବର୍ଷା ଜଳ ଅମଳରେ ବାଧକ ସାଜିଛି । ଗଞ୍ଜାମରେ ବର୍ଷା ପରିମାଣ କମୁଥିଲା ବେଳେ ରାୟଗଡ଼ା ଓ ଗଜପତିରେ ମଧ୍ୟ ବର୍ଷାର ପରିମାଣ କମୁଛି କିମ୍ବା ବଢ଼ୁଛି । ବଲାଙ୍ଗୀର ଓ ବରଗଡ଼ରେ ଗତ ୫ ବର୍ଷର ରେକର୍ଡ କହୁଛି, ମୌସୁମୀରେ ବର୍ଷାର ପରିମାଣ କମି ଚାଲିଛି । ଏ ୭ ଜିଲ୍ଲାରେ ଆଗକୁ ଭୟଙ୍କର ଭାବେ ଜଳ ସଂକଟ ଉପୁଜିପାରେ । ଛଡ଼ା ଦେବଗଡ଼, ସୋନପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର କିଛି ସ୍ଥାନରେ ମଧ୍ୟ ଜଳାଭାବର ଆଶଙ୍କା ରହିଛି ।

ରିପୋର୍ଟ କହୁଛି,ରାଜ୍ୟରେ ଜଳ ବ୍ୟବହାର ସଂପର୍କରେ ବିଶ୍ଳେଷଣ କରିବାକୁ ସମନ୍ୱିତ ଡାଟା ସେଣ୍ଟର ଆବଶ୍ୟକ ଥିଲେ ମଧ୍ୟ ଏହା ଖୋଲିନି । ଏ ସେଣ୍ଟରରେ ଜଳର ଚାହିଦା ନେଇ ୨୮ଟି ଦିଗ ଉପରେ ଅନୁଧ୍ୟାନ କରିବାର ପ୍ରାବଧାନ ରହିଛି । ଓଡ଼ିଶାର ନଦୀଗୁଡ଼ିକର ରାଜ୍ୟର ମୋଟ ଘରୋଇ ଉତ୍ପାଦକୁ ବହୁତ ଅବଦାନ ରହିଛି । ରାଜ୍ୟର ନଦୀକୂଳରେ କେତେ ଜନସଂଖ୍ୟା ବଢ଼ିଛି, ସେମାନେ ଜଳାଶୟକୁ କବଜା କରିଛନ୍ତି ନା ନାହିଁ ସେ ସଂପର୍କରେ ଡାଟା ସେଣ୍ଟର ଅଭାବରୁ ସଠିକ୍‌ ତଥ୍ୟ ମିଳୁନାହିଁ । ଏହାଛଡ଼ା ରାଜ୍ୟରେ ସହରାଞ୍ଚଳ ସହ ବାଣିଜ୍ୟିକ କାରବାର ବଢ଼ି ବଢ଼ି ଚାଳିଥିଲା ବେଳେ ଏହା ଜଙ୍ଗଲ ପରିମାଣକୁ କମାଇ ଚାଲିଛି । ଭୂତଳ ଜଳଉତ୍ସ ପୁନଃସଂଚରିତ ହୋଇପାରୁନି । ନିର୍ଦ୍ଦିଷ୍ଟ ଭାବେ ସରକାରଙ୍କର ନିୟମ ନଥିବା କାରଣରୁ ସହରାଞ୍ଚଳରେ ପ୍ରାକୃତିକ ଜଳାଶୟ ଜବରଦଖଲ ବଢ଼ିବା ସହ କଂକ୍ରିଟ ନିର୍ମାଣ ମଧ୍ୟ ବଢ଼ିଛି । ଯାହା ଆଗକୁ ସହରଗୁଡ଼ିକରେ ନାହିଁ ନଥିବା ଜଳ ସଂକଟ ଛିଡ଼ା କରାଇବ ।

ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାଇପ ଜଳ ଯୋଗାଣ ପ୍ରକଳ୍ପ ବଢ଼ି ବଢ଼ି ଚାଲିଛି । ଶିଳ୍ପସଂସ୍ଥାଗୁଡ଼ିକ ମଧ୍ୟ ଅଧିକ ଜଳ ଟାଣୁଛନ୍ତି । ମାତ୍ର ସେଇ ଅନୁପାତରେ ସୁଷମ ଜଳ ପରିଚାଳନାକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଇନାହାନ୍ତି । ବର୍ଷା ଜଳ ଅମଳ କାର୍ଯ୍ୟକ୍ରମକୁ ମଧ୍ୟ ମିଶନ ମୋଡରେ କରାଯାଉନି । ମୋଟାମୋଟି ଭାବେ ରାଜ୍ୟ ସରକାର ଜଳ ସଂରକ୍ଷଣ ଦିଗ ପ୍ରତି ଏଯାଏ ଧ୍ୟାନ ମଧ୍ୟ ଦେଇନାହାନ୍ତି । ଏମିତି ସ୍ଥିତି ଲାଗି ରହିଲେ ଆଉ କିଛି ବର୍ଷ ପରେ ରାଜ୍ୟ ଗମ୍ଭୀର ଜଳ ସଂକଟର ସମ୍ମୁଖୀନ ହେବ । ରାଜ୍ୟର ଆର୍ଥିକ ଅଭିବୃଦ୍ଧି, ଜୀବନ ଜୀବିକା ସହ ପରିବେଶ ସନ୍ତୁଳନ ମଧ୍ୟ ବିଗିଡ଼ିଯିବ ବୋଲି ନୀତି ଆୟୋଗ ସତର୍କ କରାଇ ଦେଇଛି ।

   ସମ୍ବନ୍ଧିତ ଖବର


ଓଡ଼ିଶାବାସୀ ଖୁସି ନୁହନ୍ତି -ଅବିବାହିତଙ୍କଠାରୁ ବିବାହିତ ଅଧିକ ଖୁସି

ରୁପାରେ ଝଲସିବ ଶ୍ରୀମନ୍ଦିରର ଦ୍ୱାର – ତିନି ଦ୍ୱାର ଡିଜାଇନ୍‌ ଦେଖିଲେ ମୁମ୍ବାଇ ବିଶେଷଜ୍ଞ

ବଳାତ୍କାର ଯୋଗୁଁ ଅନ୍ତଃସତ୍ତ୍ୱା ଭିନ୍ନକ୍ଷମ ଯୁବତୀଙ୍କୁ ନ୍ୟାୟ ମାମଲା -ଗାଇଡ୍‌ଲାଇନ୍‌ ଜାରି କଲେ ହାଇକୋର୍ଟ

ମହଙ୍ଗା ହେଲା ବିଜୁଳି

ରାଜ୍ୟରେ ଆଜି ସର୍ବାଧିକ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୭୫୨ରେ ପହଞ୍ଚିଲା

ନିଜ ପାପ ଘୋଡ଼ାଇବା ପାଇଁ… ସମ୍‌ କୋଭିଡ଼୍‌ ଯୋଦ୍ଧାଙ୍କ ମନୋବଳ ଭାଙ୍ଗିବାକୁ ଓଟିଭିର ହୀନ ଉଦ୍ୟମ