ବାରିପଦାରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ: ବିକାଶର ଟ୍ରେଲର ଦେଖିଛନ୍ତି, ଫିଲ୍ମ ଦେଖିବେ

ବାରିପଦା,୧୮ା୪(ଆପ୍ର): “ଓଡ଼ିଶାରେ ଚାଲିଛି ଏକ ଅନ୍ଧ-ମୂକ-ବଧିର ସରକାର । ଯେଉଁ ସରକାର ସାମଗ୍ରିକ ବିକାଶ କ୍ଷେତ୍ରରେ ବାଧକ ସାଜି କେବଳ ଲୋକଙ୍କୁ ଭୂଆଁ ବୁଲାଇ ଭୋଟ ହାସଲ କରୁଛି । ଦୀର୍ଘ ୧୯ ବର୍ଷ ଧରି ଓଡ଼ିଶାବାସୀଙ୍କ ଭାବନା ସହିତ ଖେଳ ଖେଳୁଥିବା ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ବଦଳିବା ଦରକାର ବୋଲି ଆହ୍ୱାନ ଦେଇ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ଦଳର କେନ୍ଦ୍ରୀୟ ବରିଷ୍ଠ ନେତା ତଥା ମନ୍ତ୍ରୀ ନୀତିନ ଗଡ଼କରୀ । ବାରିପଦା ଛଉ ପଡ଼ିଆରେ କେନ୍ଦ୍ର ସଡ଼କ ପରିବହନ ତଥା ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ ଉପସ୍ଥିତ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ରାଜ୍ୟ ବିଜେଡି ସରକାରକୁ କଡ଼ା ସମାଲୋଚନା କରି କହିଲେ ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅଭୁତପୂର୍ବ ଜନ ସମର୍ଥନ ଦେଖାଦେଇଛି । ପୁଣି ଥରେ ଦେଶବାସୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ଏନ୍ଡିଏ ସରକାର ଗଢ଼ିବାକୁ ଯାଉଛନ୍ତି । ଓଡ଼ିଶାବାସୀ ମଧ୍ୟ ପରିବର୍ତ୍ତନ ମୁହାଁ ହୋଇଛନ୍ତି । ସେମାନେ ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ମନ ବନାଇ ସାରିଛନ୍ତି । ଓଡ଼ିିଶାବାସୀ ଏବେ ଆଉ ଥରେ ଏକ ନିକମା ସରକାରକୁ ଗାଦିରେ ବସାଇବାକୁ ଚାହୁଁନାହାନ୍ତି । କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ହେଲେ ଡବଲ ଇଞ୍ଜିନ ଭଳି ବିକାଶର ଗତି ଦ୍ୱିଗୁଣିତ ହେବ ।
ଶ୍ରୀ ଗଡକରି ଆହୁରି କହିଛନ୍ତି, ରାଜ୍ୟରେ ବିଜେଡି ସରକାର ଦୀର୍ଘ ୧୯ବର୍ଷ ଧରି ଶାସନ ଚଳାଇଥିବାବେଳେ ବିଜୁଳି ଆଲୁଅ, ରାସ୍ତାଘାଟ, ସ୍ୱାସ୍ଥ୍ୟସେବା, ପାନୀୟ ଜଳ, ଶିକ୍ଷାରେ କୌଣସି ବିକାଶ ସାଧିତ ହୋଇ ନାହିଁ । ଫଳରେ ଓଡ଼ିଶା ବହୁ ପଛରେ । ମୟୂରଭଞ୍ଜ ଜିଲ୍ଲାରେ ଆଇରନ ଓର ଥିବାବେଳେ ଜିଲ୍ଲାର ବିକାଶ ସାଧିତ ହୋଇନି । ରେଳବାଇ ବିକାଶ କ୍ଷେତ୍ରରେ ଜିଲ୍ଲା ବହୁ ପଛରେ । ରାଜ୍ୟର ରେଳବାଇ କ୍ଷେତ୍ରରେ ବିକାଶ ପାଇଁ ୬ ହଜାର କୋଟି ଟଙ୍କାର ବ୍ୟୟ ବରାଦ କେନ୍ଦ୍ର ସରକାର କରିଥିବାବେଳେ ରାଜ୍ୟ ସରକାର ଜମି ଅଧିଗ୍ରହଣ କରି ଦେଇପାରିଲେ ନାହିଁ । କାଳେ ବିଜେପି ନାଁ ନେଇ ଯିବ ସେଥିପାଇଁ ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରାଇ ଦେଉନାହିଁ । ଏଭଳି କୁତ୍ସିତ ରାଜନୀତିର ଚିନ୍ତାଧାରା ରଖୁଥିବା ସରକାରର ଚଳିତ ନିର୍ବାଚନରେ ପରାଜୟ ସୁନିଶ୍ଚିତ । ବିକାଶର ସ୍ୱପ୍ନ ପୂରଣ କରିବା ପାଇଁ ବିଜେପି ସରକାର ଗତ ପାଞ୍ଚବର୍ଷରେ କେବଳ ଟ୍ରେଲର ଦେଖାଇଛନ୍ତି । ଆଗାମୀ ଦିନରେ ପୂରା ଫିଲ୍ମ ଦେଖାଇବ ବୋଲି ସେ କହିଛନ୍ତି । ଚଳିତ ନିର୍ବାଚନରେ ବିଜେପିକୁ ଭୋଟ ଦେଇ ଜନସାଧାରଣ ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଆଣି ବିକାଶର ଗତି ବଢ଼ାଇବାରେ ଡବଲ ଇଞ୍ଜିନ ସରକାରଙ୍କୁ ନିଶ୍ଚିତ ଜୟ ଯୁକ୍ତ କରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଦିନ ୧୨ଟା ସୁଦ୍ଧା ପହଞ୍ଚିବେ ବୋଲି ପୂର୍ବରୁ ସୂଚନା ଥିବାବେଳେ ଦୀର୍ଘ ୨ଘଣ୍ଟା ବିଳମ୍ବରେ ଦିନ ୨ଟାରେ ହେଲିକପ୍ଟରରେ ଆସି କଲେଜ ପଡ଼ିଆରେ ପହଞ୍ଚିଥିଲେ । ଛଉପଡ଼ିଆରେ ବିଜୟ ସଂକଳ୍ପ ସମାବେଶରେ ଉଦ୍ବୋଧନ ଦେଇଥିଲେ ।