ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନା ବନ୍ଦ ହେବନି: ନବୀନ

ସୁନ୍ଦରଗଡ ୧୦/୪: ହେମଗିରିରେ ବିଜେଡି ସୁପ୍ରିମୋ ତଥା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦବୋଧନ । ସମସ୍ତଙ୍କୁ ଜୁହାର କରି ଅଭିଭାଷଣ ଆରମ୍ଭ କଲେ ନବୀନ । ବିଜେପିକୁ ଟାର୍ଗେଟ୍ କଲେ ବିଜେଡି ସୁପ୍ରିମୋ । ପରୋକ୍ଷରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଟାର୍ଗେଟ କରିଛନ୍ତି । ନବୀନ କହିଛନ୍ତି ଯେ ସୁନ୍ଦରଗଡରୁ ଜଣେ କେନ୍ଦ୍ର କ୍ଯାବିନେଟରେ ମନ୍ତ୍ରୀ ଅଛନ୍ତି । କିନ୍ତୁ ସୁନ୍ଦରଗଡବାସୀଙ୍କ ହିତପାଇଁ ଆଜି ପର୍ଯ୍ୟନ୍ତ କେନ୍ଦ୍ର ପକ୍ଷରୁ କିଛି ସୁବିଧା ହୋଇନି । ୫ ବର୍ଷରେ ସୁନ୍ଦରଗଡବାସୀଙ୍କ ପାଇଁ କିଛି କରିନାହାନ୍ତି ବିଜେପି ସରକାର । ଏହାସହ କାଳିଆ ଯୋଜନା ପ୍ରସଙ୍ଗ ମଧ୍ଯ ଉଠାଇଛନ୍ତି ନବୀନ ।
ନବୀନ କହିଛନ୍ତି ଯେ କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । କିନ୍ତୁ ବିଜେପି ଏହାକୁ ବନ୍ଦ କରିବା ପାଇଁ ଚାହୁଁଛି । କିନ୍ତୁ ମୁଁ ଥିବା ପର୍ଯ୍ଯନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେନି । ନବୀନ ଏହା ମଧ୍ଯ କହିଛନ୍ତି ଯେ କେବଳ ନିର୍ବାଚନ ସମୟ ଆସିଲେ କେନ୍ଦ୍ରୀୟ ନେତାଙ୍କ ପାଦ ପଡୁଛି । ରାଉରକେଲାରେ ସୁପର ସ୍ପେସିଆଲିଟି ହସ୍ପିଟାଲ ଓ ଏସସି/ଏସଟି ଛାତ୍ରଙ୍କ ବୃତ୍ତି ବନ୍ଦ ନେଇ ପ୍ରଶ୍ନ କରିଛନ୍ତି ନବୀନ । ବିଜେଡି ସରକାର ଚାଷୀ, ମହିଳା ସମସ୍ତଙ୍କୁ ଗୁରୁତ୍ୱ ଦେଇଛି । ମହିଳାଙ୍କୁ ହକ୍ ପାଇଁ ଲଢେଇ କରିଛି ବିଜେଡି । ସୁନ୍ଦରଗଡର ହକ୍ ପାଇଁ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବାପାଇଁ ନିବେଦନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।