ଏହି ଗ୍ରାମରେ ପ୍ରଚାର ମନା: ଭୋଟ ନଦେଲେ ୫୧ ଟଙ୍କା ଜରିମାନା

ଗୁଜରାଟର ରାଜକୋଟ ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମ ହେଉଛି ରାଜସମାଧିୟାଲ । ଏହି ଗାଁର ଏକ ବିଶେଷତ୍ୱ ହେଲା ଏଠାରେ ନିର୍ବାଚନ ପ୍ରଚାରର ପ୍ରଭାବ ଆଦୌ ନାହିଁ । ହେଲେ ଗାଁର ଅଧିକାଂଶ ଲୋକ ସଚେତନ ଓ ଭୋଟ ଦେବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି । ଏପରିକି ଯେଉଁ ବ୍ୟକ୍ତି ଭୋଟ ନଦେବେ ତାଙ୍କ ଉପରେ ଜରିମାନା ମଧ୍ୟ କରାଯାଇଛି । ନିର୍ବାଚନରେ ସମସ୍ତଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଗ୍ରାମ୍ୟ ଉନ୍ନୟନ କମିଟି (ଭିଡିସି) ପକ୍ଷରୁ ଏଭଳି କଡାକଡି ନିଷ୍ପତ୍ତି ନିଆଯାଇଛି । କମିଟିର ସବୁ ନିଷ୍ପତ୍ତି ଓ ନିର୍ଦ୍ଦେଶକୁ ମଧ୍ୟ ଗାଁ ଲୋକମାନେ ବହୁଦିନ ହେଲା ପାଳନ କରିଆସୁଛନ୍ତି ।

ସ୍ଥାନୀୟ ସରପଞ୍ଚ ଅଶୋକ ଭାଇ ବାଘେରାଙ୍କ କହିବାନୁଯାୟୀ ଗାଁର ପରିବେଶକୁ ନିର୍ବାଚନ ପ୍ରଚାର କ୍ଷତି ପହଞ୍ଚାଇବ ବୋଲି ଲୋକମାନଙ୍କର ବିଶ୍ୱାସର ରହିଛି । ସେଥିପାଇଁ ପ୍ରଚାରକୁ ଗାଁରେ ବ୍ୟାନ କରାଯାଇଛି । ଏହି ଅଞ୍ଚଳର ସବୁ ରାଜନୈତିକ ଦଳ ଗାଁର ଏଭଳି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ତେଣୁ ସେମାନେ ମଧ୍ୟ ପ୍ରଚାର ଲାଗି ଗାଁକୁ ଆସୁନାହାନ୍ତି । ତେବେ ନିର୍ବାଚନରେ ଗାଁର ସବୁ ଲୋକ ଭୋଟ ଦେବାର ବ୍ୟବସ୍ଥା କରାଯାଇଛି । ଭୋଟ ଦେବା ହେଉଛି ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ଓ ଏହା ସେମାନଙ୍କ ଅଧିକାର । ତେଣୁ ସମସ୍ତେ ମତାଧିକାର ସାବ୍ୟସ୍ତ କରିବା ଲାଗି ପଦକ୍ଷେପ ନିଆଯାଉଛି । ଏପରିକି ଯେଉଁ ବ୍ୟକ୍ତି ଭୋଟ ଦେବାକୁ ନଯିବେ ତାଙ୍କ ଉପରେ ୫୧ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି । କେବଳ ଏଥର ନୁହେଁ, ପ୍ରତିଥର ନିର୍ବାଚନ ବେଳେ ଗାଁରେ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଏ । ଆମେ ୧୦୦ ପ୍ରତିଶତ ମତାଧିକାର ସାବ୍ୟସ୍ତ କରିବା ଲାଗି ଚାହୁଁଛୁ । କିନ୍ତୁ ଗାଁର କିଛି ବୃଦ୍ଧବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲେ ମଧ୍ୟ ସେମାନଙ୍କ ନାମ ଭୋଟର ତାଲିକାରେ ରହିଛି । ସେହିଭଳି କିଛି ଝିଅ ବିବାହ କରି ଚାଲିଯାଇଥିବା ବେଳେ ସେମାନଙ୍କ ନାମ ତାଲିକାରେ ସ୍ଥାନ ପାଇଛି । ତଥାପି ଗାଁରେ ୯୫-୯୬ ପ୍ରତିଶତ ଭୋଟିଂ ହୋଇଥାଏ ବୋଲି ସେ କହିଛନ୍ତି ।

ଗାଁରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି । ଯେପରିକି ଇଣ୍ଟରନେଟ, ୱାଇଫାଇ, ସିସିଟିଭି କ୍ୟାମେରା, ସମସ୍ତଙ୍କ ପାଇଁ ପାନୀୟ ଜଳ ସୁବିଧା, ବିଦ୍ୟୁତ ଆଦି ସବୁ ପ୍ରକାର ବ୍ୟବସ୍ଥା ଗାଁରେ ଉପଲବ୍ଧ । ଚକାଚକ ରାସ୍ତା ନିର୍ମିତ ହୋଇଛି । ଗମନାଗମନର ବେଶ୍‌ ସୁବିଧା ମଧ୍ୟ ରହିଛି । ଏହାଫଳରେ ଗାଁ ଲୋକଙ୍କ ଜୀବନଧାରଣ ବେଶ୍‌ ସହଜ ହୋଇପାରିଛି । ସେହିଭଳି ପ୍ଲାଷ୍ଟିକ ଜରି ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଛି । ଯେଉଁମାନେ ପ୍ଲାଷ୍ଟିକ ବର୍ଜ୍ୟକୁ ଏଣେତେଣେ ପକାଇବେ ତାଙ୍କ ଉପରେ ଜରିମାନାର ବ୍ୟବସ୍ଥା ମଧ୍ୟ ହୋଇଛି । ଗାଁରେ ପ୍ରତ୍ୟେକ ଲୋକଙ୍କ ପାଇଁ ମାଗଣା ୱାଇଫାଇ ସେବା ଉପଲବ୍ଧ । ସବୁ ଛକ ଓ ଗଳିକନ୍ଦିରେ ଲାଗିଛି ସିସିଟିଭି କ୍ୟାମେରା । ଯାହାଫଳରେ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରାଯାଇପାରିଛି । ସେହିଭଳି ଗାଁରେ ମଧ୍ୟ ଜିଲ୍ଲାସ୍ତରୀୟ ଏକ କ୍ରିକେଟ ପଡିଆ ରହିଛି । ଗୁଜରାଟର ସମସ୍ତ ୨୬ଟି ଆସନରେ ଆସନ୍ତା ୨୩ ତାରିଖରେ ଭୋଟ ଅନୁଷ୍ଠିତ ହେବ ।

   ସମ୍ବନ୍ଧିତ ଖବର


ଜାପାନରେ କରୋନାଠୁ ବି ବଡ ବିପଦ, ଲଗାତର ମରୁଛନ୍ତି ଲୋକ

ବିବାହରେ ଲୋକଙ୍କୁ ଏମିତି କରାଗଲା ସାନିଟାଇଜ୍‌ , ଆଇଏଏସ୍‌ ଅଫିସର କହିଲେ …

ଆଉ ଦୁଇ ଦିନ – ବୁଧବାରଠାରୁ ଏନ୍‌ଏଚ୍‌ଏସ୍‌ ହସ୍ପିଟାଲମାନଙ୍କରେ ଦିଆଯିବ କରୋନା ଟିକା

ଡିସେମ୍ବର ମାସରେ ପ୍ରାୟ ଅଧା ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ତାଲିକା

୧୩ ବର୍ଷିୟା ନାବାଳିକାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ – ୨ ଗିରଫ

ଜାଆଁଳା ଶିଶୁଙ୍କ ଛାତି ଓ ପେଟ ଯୋଡି ହୋଇ ରହିଥିଲା,୮ ଘଣ୍ଟାର ଅପରେସନ୍ ପରେ କରାଗଲା ଅଲଗା