ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଫୁଙ୍ଗୁଳା; ମାଳ ମାଳ ପୁଲିସ ଦ୍ୱାର ମୁହଁରେ ଥାଇ ବି ଭିତରେ ପଶିଥିଲେ ୫ଜଣ ଅଣସେବାୟତ…

ପୁରୀ,୨୧/୧୦ : ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଫୁଙ୍ଗୁଳା । ମାଳ ମାଳ ପୁଲିସ ଦ୍ୱାର ମୁହଁରେ ଜଗି ବସିଛନ୍ତି । କିନ୍ତୁ ଉଲ୍ଲଂଘନକାରୀ ସରକାରୀ କଟକଣାକୁ ବେଖାତିର କରି ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଶ୍ରୀମନ୍ଦିର ଭିତରେ ବେଧଡ଼କ ପଶିଥିଲେ ୫ଜଣ ଅଣସେବାୟତ । ବେଶ ବଦଳାଇ ମକୁଟା ଓ ଗଞ୍ଜି ପିନ୍ଧି ଆସିଥିଲେ । ଶରୀରରେ ଚିତା ମଧ୍ୟ କୁଟିଥିଲେ ।

ମା’ ବିମଳାଙ୍କ ମନ୍ଦିର ସମ୍ମୁଖରେ ଶ୍ରୀମନ୍ଦିର ପୁଲିସ ସେମାନଙ୍କୁ ଚିହ୍ନଟ କରିବା ପରେ ବାହାରକୁ କାଢ଼ିଥିଲା । ଶ୍ରୀମନ୍ଦିରରେ ଲାଗିଥିବା ସିସି କ୍ୟାମେରାରେ କଟକଣା ଉଲ୍ଲଂଘନକାରୀ ଓ କର୍ତ୍ତବ୍ୟ ପାଳନରେ ଅବହେଳା କରିଥିବା କର୍ମଚାରୀଙ୍କ କାର୍ଯ୍ୟକଳାପ ଯାଞ୍ଚ କରାଗଲେ ଅସଲ ତଥ୍ୟ ପଦାକୁ ଆସିବ । ଏନେଇ କୌଣସି ସୂଚନା ନଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି । ଉଲ୍ଲଂଘକାରୀଙ୍କୁ ଛଡ଼ାଗଲେ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ସଙ୍କଟ ସୃଷ୍ଟି ହେବ ବୋଲି ଚର୍ଚ୍ଚା ହେଉଛି ।