
ସିଓଲ – ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍ ଉନ୍ କରୋନା ଭାଇରସ୍ ଓ ଆର୍ଥିକ କ୍ଷତିରୁ ରକ୍ଷା ପାଇବା ପାଇଁ ଅଜବ ପଦକ୍ଷେପ ସବୁ ନେଉଛନ୍ତି । ୨ଜଣ ଲୋକଙ୍କୁ ଫାଶୀରେ ଝୁଲାଇବା ସହ ସମୁଦ୍ରରୁ ମାଛ ମାରିବାରେ ମଧ୍ୟ ରୋକ୍ ଲଗାଇଛନ୍ତି । ରାଜଧାନୀ ପ୍ୟୋଙ୍ଗୟାଙ୍ଗ୍କୁ ବନ୍ଦ କରିବାକୁ ଆଦେଶ ଦେଇଛନ୍ତି ।
ଦକ୍ଷିଣ କୋରିଆର ଗୁପ୍ତଚର ସଂସ୍ଥା ଶୁକ୍ରବାର ନିଜର ସାଂସଦଙ୍କୁ କିମ୍ଙ୍କର ଆଦେଶ ବିଷୟରେ କହିଛନ୍ତି କି କିମ୍ ଏହି ସମୟରେ ବହୁତ କ୍ରୋଧରେ ଅଛନ୍ତି ଏବଂ କିଛି ବିଚାର ନକରି ବାରମ୍ୱାର ହଠାତ୍ ପଦକ୍ଷେପ ନେଉଛନ୍ତି । ସେ କହିଛନ୍ତି କି, ଏହା ସହ କିମ୍ ସମୁଦ୍ର ପାଣିକୁ ସଂକ୍ରମଣ ପ୍ରଭାବରୁ ସୁରକ୍ଷା ପାଇଁ ମାଛ ମାରିବାକୁ ମଧ୍ୟ ବାରଣ କରିଛନ୍ତି । ଏହାସହ ଲୁଣ ଉତ୍ପାଦନରେ ମଧ୍ୟ ରୋକ୍ ଲାଗିଛି ।
ସାଂସଦ ହା ଟାଇ-କ୍ୟୁଙ୍ଗ୍ ଏନ୍ଆଇଏସ୍ ମୁତାବକ କହିଛନ୍ତି , କିମ୍ ମହାମାରୀ ଓ ଏହାର ଆର୍ଥିକ ପ୍ରଭାବକୁ ନେଇ ବହୁତ ବିରକ୍ତିରେ ଅଛନ୍ତି ଏବଂ ବିବେକହୀନ ପଦକ୍ଷେପ ଉଠାଉଛନ୍ତି । ସେ କହିଛନ୍ତି କି, ଏନ୍ଆଇଏସ୍ ସାଂସଦମାନଙ୍କୁ କହିଛି କି, ଉତ୍ତର କୋରିଆ ପ୍ୟୋଙ୍ଗୟାଙ୍ଗ୍ରେ ଗତ ମାସରେ ଏକ ହାଇ ପ୍ରୋଫାଇଲ୍ ମନି ଚେଞ୍ଜରକୁ ଫାଶୀରେ ଝୁଲା ଯାଇଥିଲା , କାରଣ ସେ ଏକ୍ସଚେଞ୍ଜ ରେଟ୍ର ହ୍ରାସକୁ ନେଇ ଦୋଷୀ ସାବ୍ୟସ୍ତ ହୋଇଥିଲେ ।
ସେ ଆହୁରି ମଧ୍ୟ କହିଛନ୍ତି କି , ଅଗଷ୍ଟ ମାସରେ ଜଣେ ଉଚ୍ଚ ଅଧିକାରୀଙ୍କୁ ସରକାରୀ ନିୟମର ଉଲଙ୍ଘନ କରିବା ଦୋଷରେ ଫାଶୀ ଦିଆଯାଇଥିଲା । ସେ ଉତ୍ତର କୋରିଆକୁ ବିଦେଶରୁ ଆସୁଥିବା ମାଲ୍ର ପ୍ରତିବନ୍ଧକରେ ସରକାରୀ ନିୟମର ଉଲଙ୍ଘନ କରିଥିଲେ । ଫାଶୀ ପାଇଥିବା ଏହି ଦୁଇ ଜଣ ବ୍ୟକ୍ତିଙ୍କର ପରିଚୟ ଜଣାପଡ଼ିନାହିଁ ।