ଏଥର ପୁରୁଷଙ୍କ ପାଇଁ ଆସିଲା ଗର୍ଭନିରୋଧକ ବଟିକା, ନାଁ ରଖାଯାଇଛି ଡିଏମ୍ଏୟୁ

ଓ୍ବାଶିଂଟନ୍ ୨୯।୩: ବର୍ତ୍ତମାନ ମହିଳାଙ୍କ ପରି ପୁରୁଷମାନେ ବି ଗର୍ଭନିରୋଧକ ବଟିକା ବ୍ୟବହାର କରିପାରିବେ। ଗବେଷକମାନେ ଏହାକୁ ପରୀକ୍ଷା କରିବା ପରେ ଏହି ‘ମେଲ୍ ପିଲ୍’ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ପ୍ରଭାବଶାଳୀ ବୋଲି କହିଛନ୍ତି। ଏହି ବଟିକାର ନାମ ଡିମୀଥାନଡ୍ରୋଲନ ଅନଡେକେନାଟ୍ (ଡିଏମ୍ଏୟୁ) ଦିଆଯାଇଛି।

ଆମେରିକାର ଓ୍ବାଶିଂଟନ ବିଶ୍ବବିଦ୍ୟାଳୟର ମେଡିସିନ ପ୍ରଫେସର ଷ୍ଟେଫିନ ପେଜଙ୍କ କହିବା ଅନୁସାରେ, ମହିଳାଙ୍କ ଗର୍ଭନିରୋଧକ ବଟିକା ପ୍ରଜନନ କ୍ରିୟାକୁ ନିୟନ୍ତ୍ରଣ କରିଥାଏ। ସେହିଭଳି ପୁରୁଷମାନଙ୍କ ପାଇଁ ବାହାର କରାଯାଇଥିବା ଏହି ବଟିକା ମଧ୍ୟ ପୁରୁଷମାନେ ଦିନକୁ ଥରେ ଖାଇବା ଦରକାର।

କିଛି ପୁରୁଷଙ୍କ କହିବାନୁସାରେ, ସେମାନେ ଇଂଜେକ୍ସନ କିମ୍ବା ଅନ୍ୟ ଉପାୟ ବଦଳରେ ଗର୍ଭନିରୋଧକ ବଟିକା ଖାଇବାକୁ ପସନ୍ଦ କରିବେ। ଗବେଷକମାନେ ୧୮ରୁ ୫୦ ବର୍ଷ ବୟସ ମଧ୍ୟରେ ପ୍ରାୟ ୧୦୦ଜଣ ସ୍ବାସ୍ଥ୍ୟବାନ ପୁରୁଷଙ୍କୁ ନେଇ ଡିଏମ୍ଏୟୁ ବଟିକା ଦେଇ ପରୀକ୍ଷା କରିଛନ୍ତି। ଏମାନଙ୍କୁ ୧୦୦, ୨୦୦, ୪୦୦ ଏମଜିର ଅନୁପୂରକ ବଟିକା ଦିଆଯାଇଥିଲା। ପରୀକ୍ଷା କରିବାର ପ୍ରଥମ ଓ ଶେଷ ଦିନ ହର୍ମୋନ ଏବଂ କୋଲେଷ୍ଟ୍ରୋଲର ସ୍ତର ମାପିବା ପାଇଁ ରକ୍ତର ନମୁନା ନିଆଯାଇଥିଲା।