ଗ୍ରୀଷ୍ମ ନୁହଁ, ବସନ୍ତରେ ଟୋକିଓ ଅଲିମ୍ପିକ୍ସ!

ପ୍ୟାରିସ ୨୬/୩: ‘କରୋନା’ ଭୂତାଣୁ ଯୋଗୁ ଟୋକିଓ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସକୁ ଏକ ବର୍ଷ ଘୁଞ୍ଚାଇ ଦିଆଯାଇଛି । ଜୁଲାଇ ୨୪ ତାରିଖରୁ କ୍ରୀଡ଼ା ଆରମ୍ଭ ହେବାର ଥିଲା । ମାତ୍ର କରୋନାର ତାଣ୍ଡବ ଆଗରେ ହାର ମାନିଛନ୍ତି ଅଲିମ୍ପିକ୍ସ ଆୟୋଜକ କମିଟି, ଜାପାନ ସରକାର ଓ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) । ଶେଷରେ ବାଧ୍ୟ ହୋଇ ଗତ ମଙ୍ଗଳବାର ଦିନ କ୍ରୀଡ଼ାକୁ ଘୁଞ୍ଚାଇବା ବିଷୟ ଘୋଷଣା କରିଥିଲେ ଜାପାନ ସରକାର ଓ ଆଇଓସି । ଏବେ କ୍ରୀଡ଼ାର ପୁନଃସୂଚୀ ଉପରେ ବିଚାର କରାଯାଉଛି । କିନ୍ତୁ ପୁଣି ଏହି କ୍ରୀଡ଼ା ଗ୍ରୀଷ୍ମ ଋତୁରେ ଆୟୋଜିତ ହେବା ସମ୍ଭବପର ହେବ ନାହିଁ । ତେଣୁ ବସନ୍ତ ଋତୁରେ କ୍ରୀଡ଼ା ଆୟୋଜନ କରିବା ନେଇ ଯୋଜନା କରୁଛି ଆଇଓସି । ଯଦିଓ ଏ ବିଷୟରେ ଆଗକୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

ଟୋକିଓ ଅଲିମ୍ପିକ୍ସ ହେଉଛି ଗ୍ରୀଷ୍ମକାଳୀନ କ୍ରୀଡ଼ା । ଜୁଲାଇ ୨୪ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଥିଲା । କ୍ରୀଡ଼ା ବର୍ଷେ ଘୁଞ୍ଚାଇ ଦିଆଯିବା ପରେ ପୁଣି ଆସନ୍ତା ବର୍ଷ (୨୦୨୧) ଜୁଲାଇ ଓ ଅଗଷ୍ଟ ମାସରେ ଆୟୋଜିତ ହେବାର କଥା । ହେଲେ ଆଇଓସି ସଭାପତିଙ୍କ ଆଜି ଯେଉଁ ମତାମତ ଦେଇଛନ୍ତି ତାହା କିନ୍ତୁ ଭିନ୍ନ । ସେ କହିଛନ୍ତି, କ୍ରୀଡ଼ା ଘୁଞ୍ଚାଇ ଦିଆଯିବା ପରେ ପୁଣି ଗ୍ରୀଷ୍ମ ଋତୁରେ ଏହାର ପୁନଃସୂଚୀ ହେବା ସମ୍ଭବପର ନୁହଁ । ଏ ନେଇ ବହୁ ସମସ୍ୟା ରହିଛି । ଯାହାର ସମାଧାନ ହେବା ବହୁ କଷ୍ଟକର । ତେଣୁ ୨୦୨୧ ଗ୍ରୀଷ୍ମ ଋତୁ ସହ ଅନ୍ୟ ଋତୁକୁ ମଧ୍ୟ ବିଚାରକୁ ନିଆଯାଇ ପାରେ ।’

‘ କ୍ରୀଡ଼ାର ନୂଆ ସୂଚୀ ପ୍ରସ୍ତୁତ କରିବା ପାଇଁ ଆମ ସାମ୍ନାରେ ଏବେ ହଜାରେ ପ୍ରଶ୍ନ । ସେ ସବୁର ସମାଧାନ କରିବାକୁ ହେବ । ଏବେ ଆମେ ସମସ୍ତେ ଏକାଠି ହୋଇ ଆୟୋଜକଙ୍କୁ ଏକ ସଫଳ କ୍ରୀଡ଼ା ଆୟୋଜନରେ ସହାୟକ ହେବା । ଅଲିମ୍ପିକ୍ସକୁ ପୁନଃ ଆୟୋଜନ କରିବା ପାଇଁ ଆଇଓସି ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରିବାକୁ ଯାଉଛି । ଯାହାର ନାମ ରହିଛି ‘ହିୟର ୱି ଗୋ’ । ପୂର୍ବର ଯୋଜନା ଅନୁସାରେ ଯାହା ସବୁ ଦିଗ ପ୍ରତି ଯେମିତି ଗୁରୁତ୍ୱ ଦିଆଯିବା କଥା ତାହା ହୁଏତ କ୍ରୀଡ଼ା ଘୁଞ୍ଚିବା ପରେ ସଂପୂର୍ଣ୍ଣ ଭାବେ ପୂର୍ଣ୍ଣ ହେବା ସମ୍ଭବ ହେବ ନାହିଁ । ସେଥିପାଇଁ ଆମକୁ କିଛି ତ୍ୟାଗ କରିବାକୁ ହେବ ଏବଂ ଆଉ କିଛି ସହ ସାଲିସ କରିବାକୁ ହେବ ବୋଲି ବାକ୍‌ କହିଛନ୍ତି ।

ସେ କହିଛନ୍ତି, କ୍ରୀଡ଼ାବିତଙ୍କ ପାଇଁ ନିର୍ମାଣ ହୋଇଥିବା କ୍ରୀଡ଼ା ଗ୍ରାମକୁ ନେଇ ଏବେ କ’ଣ ହେବ କିଛି କହି ହେବ ନାହିଁ । ଆପାର୍ଟମେଣ୍ଟ ଗୁଡ଼ିକ ଲୋକମାନଙ୍କୁ ବିକ୍ରି ଶେଷ ହୋଇ ସାରିଛି । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଖେଳ ଶେଷ ହେବା ପରେ ସେହି ଆପାର୍ଟମେଣ୍ଟକୁ ସେମାନେ ନିଜ ନିୟନ୍ତ୍ରକୁ ନେବେ । ଏବେ ଆମେ ଅଦୃଷ୍ଟପୂର୍ବ ଅବସ୍ଥା ଏବଂ ଅଦୃଷ୍ଟପୂର୍ବ ଆହ୍ୱାନକୁ ସାମ୍ନା କରୁଛୁ । ତଥାପି ଯେତେ ଦୂର ସମ୍ଭବ ସମାଧାନର ସୂତ୍ର ନିଶ୍ଚିତ ବାହାର କରିବୁ । ଏହା ଏକ ବିରାଟ ଚିତ୍ରିତ କାର୍ଡବୋର୍ଡ ଭଳି । ପ୍ରତ୍ୟେକ ଖଣ୍ଡ ନିଜ ନିଜ ସ୍ଥାନରେ ଫିଟ୍‌ ହେବା ଦରକାର । ଯଦି ସେଥିରୁ ଗୋଟିଏ ବି ଖଣ୍ଡ ବାହାର କରି ଦିଆଯାଏ ତେବେ ତାହା ସଂପୂର୍ଣ୍ଣ ଧ୍ୱଂସ ହୋଇଯିବ ।’

‘ଆଇଓସି ଏବେ ବଡ଼ ବଡ଼ ପ୍ରାୟୋଜକଙ୍କ ସହ କଥାବାର୍ତ୍ତା କରିବ ଏବଂ ସେମାନଙ୍କୁ ପୁନଃ କ୍ରୀଡ଼ାସୂଚୀ ପାଇଁ ମନାଇବାକୁ ପ୍ରୟାସ କରିବ ବୋଲି ବାକ୍‌ କହିଛନ୍ତି । କ୍ରୀଡ଼ା ଘୁଞ୍ଚିବା ପରେ ଜାପାନ ସରକାର ଆର୍ଥିକ କ୍ଷତିର ସାମ୍ନା କରିବେ । କ୍ରୀଡ଼ା ପାଇଁ ୧୨ ବିଲିୟନ ଡାଲାରରୁ ଊଦ୍ଧ୍ୱର୍ ବିନିଯୋଗ କରି ସାରିଛନ୍ତି । ବର୍ଷେ କ୍ରୀଡ଼ା ଘୁଞ୍ଚିବା ଦ୍ୱାରା ଆହୁରି କିଛି ଅଧିକ ଖର୍ଚ୍ଚ ବଢ଼ି ଯିବ ।

କରୋନା ଭୂତାଣୁରେ ସାରା ବିଶ୍ୱରେ ଏ ପର୍ଯ୍ୟନ୍ତ ୧୯୬ଟି ଦେଶର ୪୩୯,୯୪୧ ଲୋକ ଆକ୍ରାନ୍ତ ହୋଇ ସାରିଲେଣି । ପ୍ରତି ମୁହୂର୍ତ୍ତରେ ସଂକ୍ରମଣ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ମୋଟ୍‌ ୧୯,୭୪୪ ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି । ପ୍ରତିଦିନ ଏକ ହଜାରରୁ ଊଦ୍ଧ୍ୱର୍ ଲୋକ ପ୍ରାଣ ହରାଉଛନ୍ତି ।

ଯଦିଓ ଜାପାନରେ ଏବେ ସଂକ୍ରମଣ ସଂଖ୍ୟା ଏତେ ତୀବ୍ର ନୁହଁ, ତଥାପି ଏ ପର୍ଯ୍ୟନ୍ତ ୪୩ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ମଙ୍ଗଳବାର ସୁଦ୍ଧା ୧,୧୯୩ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ସାରିଛନ୍ତି । ଏହା ସତ୍ତେ୍ୱ ମଧ୍ୟ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିର୍ଦ୍ଧାରିତ ସମୟରେ ଟୋକିଓ ଅଲିମ୍ପିକ୍ସକୁ ଆୟୋଜନ କରିବା ନେଇ ଜିଦ ଧରିଥିଲେ । ଶେଷରେ ବିଶ୍ୱ କ୍ରୀଡ଼ା ସଂଘ ଓ କ୍ରୀଡ଼ାବିତଙ୍କ ଚାପରେ ଆୟୋଜକ କମିଟି, ଆଇଓସି ଓ ଜାପାନ ସରକାର ମୁଣ୍ଡ ନୁଆଁଇଥିଲେ ।
କାନାଡ଼ା ପ୍ରଥମ ଦେଶ ଭାବେ କରୋନା ଭୂତାଣୁ ପାଇଁ ଟୋକିଓ ଅଲିମ୍ପିକ୍ସରୁ ଓହରି ଯାଇଥିଲା । ଅଷ୍ଟ୍ରେଲିଆ ମଧ୍ୟ ତା’ର ଆଥଲେଟ୍‌ମାନଙ୍କୁ ପଠାଇବ ନାହିଁ ବୋଲି କହିଥିଲା । ପରବର୍ତ୍ତୀ ସମୟରେ ଅନ୍ୟ ଦେଶମାନେ ଏହାକୁ ସମର୍ଥନ କରିବା ପୂର୍ବରୁ ଟୋକିଓ ଅଲିମ୍ପିକ୍ସକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା ।

   ସମ୍ବନ୍ଧିତ ଖବର


କରୋନା ମୁକାବିଲା ପାଇଁ ଦୁଇ ବର୍ଷର ଦରମା ଦାନ କରିବେ ଗୌତମ ଗମ୍ଭୀର

ଶୀତକାଳୀନ ଅଲିମ୍ପିକ୍ସକୁ ପ୍ରଭାବିତ କରିପାରେ ଟୋକିଓ ୨୦୨୧

ଟେନିସ୍ କୋର୍ଟକୁ ଅସ୍ଥାୟୀ ହସ୍ପିଟାଲ କରିବ ଆମେରିକା, କରୋନା ରୋଗୀଙ୍କର ହେବ ଚିକିତ୍ସା

୨୦୨୨ରେ ହେବ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍‌