ନଭେମ୍ବର ମାର୍ଗଦର୍ଶିକା ଜାରି: ଟ୍ୱିନ୍‌ ସିଟିରେ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ

ଭୁବନେଶ୍ୱର,୩୧/୧୦: : ଟ୍ୱିନ୍‌ ସିଟି କଟକ ଓ ଭୁବନେଶ୍ୱରରେ ଥିବା ସମସ୍ତ ସରକାରୀ ଅଫିସ୍‌ ୫୦% କର୍ମଚାରୀଙ୍କୁ ନେଇ ଚାଲିବ । ନଭେମ୍ବର ମାସ ପାଇଁ ଏଭଳି ମାର୍ଗଦର୍ଶିକା ଜାରି କରିଛି ସାଧାରଣ ପ୍ରଶାସନ ବିଭାଗ । କରୋନା କଟକଣା ଭିତରେ ସରକାରୀ କାର୍ଯ୍ୟାଳୟ ପରିଚାଳନା ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଏଥିରେ କୁହାଯାଇଛି, କଟକ ଓ ଭୁବନେଶ୍ୱରରେ ଥିବା ସରକାରୀ ଦପ୍ତର ଅଧା କର୍ମଚାରୀଙ୍କୁ ନେଇ ଚାଲିବ । ହେଲେ ଏଭଳି ଭାବେ ଅଫିସ୍‌ ପରିଚାଳନା କରାଯିବ, ଯେପରି କୌଣସି କାର୍ଯ୍ୟ ବାଧାପ୍ରାପ୍ତ ହେବନାହିଁ । ତେବେ ନଭେମ୍ବର ମାସର ପ୍ରତ୍ୟେକ ଶନିବାର ରାଜ୍ୟ ତମାମ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ଏହି ନିର୍ଦ୍ଦେଶନାମାରେ କୁହାଯାଇଛି, ଜରୁରୀ ସେବା ଯୋଗାଉଥିବା ସମସ୍ତ କାର୍ଯ୍ୟ ପୂର୍ବଭଳି ଜାରି ରହିବ ।

ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍‌ଡମା) କାର୍ଯ୍ୟାଳୟ, ପୁଲିସ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା, ପୌର ସେବା ଆଦି ସମସ୍ତ କର୍ମଚାରୀଙ୍କୁ ନେଇ ଚାଲିବ । ତେବେ ସମସ୍ତ ସରକାରୀ କାର୍ଯ୍ୟାଳୟ କୋଭିଡ୍‌ କଟକଣା ଓ ନିୟମ ମାନି ଚାଲିବ । ଘରେ ରହି କାମ କରୁଥିବା କର୍ମଚାରୀ ସବୁବେଳେ ସଜାଗ ରହିବେ । ଫୋନ୍‌ରେ ସବୁବେଳେ ଯୋଗାଯୋଗରେ ରହିବାକୁ ପଡ଼ିବ । ଜରୁରୀ ସମୟରେ ହଠାତ୍‌ ଦପ୍ତରରୁ ଡାକରା ଆସିଲେ, କର୍ମସ୍ଥଳରେ ପହଞ୍ଚିବାକୁ ହେବ ।