ଇସାରା ଦେଲେ ମୋଦି : ନୂଆ ରୂପରେ ଆସିବ ଲକଡାଉନ ୪.୦, ଖୋଲିବ ଅର୍ଥନୀତି

ନୂଆଦିଲ୍ଲୀ,୧୩ ।୫: ଆତ୍ମନିର୍ଭରତା ଭାରତୀୟଙ୍କ ସଙ୍କଳ୍ପ ଶକ୍ତି । ଥରେ ମନ ସ୍ଥିର କଲେ ସେମାନଙ୍କ ପାଇଁ ଲକ୍ଷ୍ୟ ଅସମ୍ଭବ ନୁହେଁ କିମ୍ବା ରାସ୍ତା ଜଟିଳ ହୋଇନଥାଏ । ଆଜି ସେମାନଙ୍କ ପାଖରେ ଆଗ୍ରହ ଅଛି ଓ ରାସ୍ତା ବି ଅଛି । ଏହା ହିଁ ଭାରତକୁ ଆତ୍ମନିର୍ଭର କରିପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାତି ଦେଶବାସୀଙ୍କୁ ସମ୍ବୋଧନ କରି ଏହା କହିବା ସହ ଦେଶକୁ ଆତ୍ମନିର୍ଭର କରିବା ଓ ଅର୍ଥ ବ୍ୟବସ୍ଥାକୁ ବଳ ଦେବା ଲାଗି ୨୦ ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ଅବସରରେ ଲକ୍‌ଡାଉନ ୪.୦ ବିଷୟରେ ସେ ସଙ୍କେତ ଦେଇଛନ୍ତି । କହିଛନ୍ତି ମେ ୧୮ ପୂର୍ବରୁ ଏହା ନୂଆ ରୂପ ଓ ନୂଆ ନୀତିରେ ଆସିବ ।

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ କରୋନା ମୁକାବିଲା କରୁ କରୁ ୪ ମାସ ବିତିଗଲାଣି । ସମଗ୍ର ବିଶ୍ୱରେ ୪୨ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ପାଖାପାଖି ୩ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଲାଣି । ଭାରତରେ ମଧ୍ୟ ଅନେକ ଲୋକ ନିଜ ଆତ୍ମୀୟ ସ୍ୱଜନଙ୍କୁ ହରାଇଛନ୍ତି । ଗୋଟିଏ ଭାଇରସ୍‌ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି । ବିଶ୍ୱରେ କୋଟି କୋଟି ଜୀବନ ସଙ୍କଟର ସାମ୍‌ନା କରିବାକୁ ପଡିଛି । ପୂରା ଦୁନିଆ ଜୀବନ ବଞ୍ଚାଇବା ଯୁଦ୍ଧରେ ଲାଗିଛି । ଏଭଳି ସଙ୍କଟ ଆମେ ଦେଖି ନଥିଲୁ କି ଶୁଣି ନଥିଲୁ । ମାନବ ଜାତି ପାଇଁ ଏହା ନିଶ୍ଚିତ ଭାବେ ଅକଳ୍ପନୀୟ । କିନ୍ତୁ କରୋନା ସଙ୍କଟ ନିକଟରେ ଥକିବା, ହାରିବା ଓ ମୁଣ୍ଡ ନୁଆଁଇବା ମାନବ ଜାତିକୁ ଆଦୌ ମଞ୍ଜୁର ନୁହେଁ । ତେଣୁ ଆମକୁ ସତର୍କ ରହିବା ସହ ସମସ୍ତ ନୀତି ନିୟମ ପାଳନ କରିବାକୁ ହେବ । ଆମକୁ ବଞ୍ଚିବାକୁ ହେବ, ଆଗକୁ ବଢ଼ିବାକୁ ହେବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଯେଉଁ ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇଛି ତାକୁ ଦେଖିଲେ ଲାଗୁଛି ଏକବିଂଶ ଶତାବ୍ଦୀ ଭାରତର ହେବ । ଏହା ଆମର ସ୍ୱପ୍ନ ନୁହେଁ, ଆମ ସମସ୍ତଙ୍କର ଦାୟିତ୍ୱ । ବିଶ୍ୱର ଆଜିର ସ୍ଥିତି ଆମକୁ ଶିଖାଉଛି ଗୋଟିଏ ମାର୍ଗ । ତାହା ହେଉଛି ଆତ୍ମନିର୍ଭର ଭାରତ । ଆମର ଶାସ୍ତ୍ରରେ ମଧ୍ୟ ଏକଥା କୁହାଯାଇଛି । ଆତ୍ମନିର୍ଭର ଭାରତର ଏହି ଭବ୍ୟ ଅଟ୍ଟାଳିକା ୫ଟି ସ୍ତମ୍ଭ ଉପରେ ଠିଆ ହେବା ଉଚିତ । ତାହା ହେଉଛି ଇକୋନୋମି (ଅର୍ଥନୀତି), ଇନ୍‌ଫ୍ରାଷ୍ଟ୍ରକଚର (ଭିତ୍ତିଭୂମି), ଟେକ୍ନୋଲୋଜି ସିଷ୍ଟମ (ବୈଷୟିକ ବ୍ୟବସ୍ଥା), ଡେମୋଗ୍ରାଫି (ଜନସଂଖ୍ୟା) ଓ ଡିମାଣ୍ଡ (ଆବଶ୍ୟକତା) । ଏତେ ବଡ଼ ବିପଦ ଭାରତ ପାଇଁ ଏକ ସଙ୍କେତ ନେଇ ଆସିଛି । ଏକ ସନ୍ଦେଶ ନେଇ ଆସିଛି । ଏକ ସୁଯୋଗ ନେଇ ଆସିଛି । କରୋନା ସଙ୍କଟ ସୃଷ୍ଟି ହେଲାବେଳେ ଭାରତରେ ଗୋଟିଏ ହେଲେ ପିପିଇ କିଟ୍‌ ପ୍ରସ୍ତୁତ ହେଉନଥିଲା । ଏନ୍‌-୯୫ ମାସ୍କ ଭାରତରେ ଖୁବ୍‌ କମ୍‌ ପ୍ରସ୍ତୁତ ହେଉଥିଲା । ଆଜି ସ୍ଥିତି ଏଭଳି ହୋଇଛି ଯେ ଭାରତରେ ପ୍ରତିଦିନ ୨ ଲକ୍ଷ ପିପିଓ ଓ ୨ ଲକ୍ଷ ଏନ୍‌-୯୫ ମାସ୍କ ତିଆରି ହେଉଛି । ଆମେ ଏସବୁ ଏଇଥି ପାଇଁ କରିପାରିଛୁ କି ଭାରତ ବିପଦକୁ ସୁଯୋଗରେ ପରିଣତ କରିପାରିଛି । ଏହା ଦ୍ୱାରା ଆତ୍ମନିର୍ଭର ଭାରତ ହେବାର ଯେଉଁ ସ୍ୱପ୍ନ ଆମେ ଦେଖି ଆସିଛୁ ଓ ସଙ୍କଳ୍ପ କରିଛୁ ତାହା ସଫଳ ହେବାକୁ ଯାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିକଟରେ ସରକାର କରୋନା ସଙ୍କଟ ସହ ଜଡ଼ିତ ଯେଉଁ ଆର୍ଥିକ ସହାୟତା ବିଷୟ ଘୋଷଣା କରିଥିଲେ ତାହା ରିଜର୍ଭ ବ୍ୟାଙ୍କର ନିଷ୍ପତ୍ତି ଥିଲା । ଆଜି ଯେଉଁ ଆର୍ଥିକ ପ୍ୟାକେଜ ବିଷୟରେ ଘୋଷଣା କରାଯାଉଛି ତାକୁ ଯଦି ଯୋଡ଼ି ଦିଆଯାଏ ତେବେ ତାହା ପ୍ରାୟ ୨୦ ଲକ୍ଷ କୋଟି ହେବ । ଏହି ପ୍ୟାକେଜ ଭାରତର ଜିଡିପି (ମୋଟ ଘରୋଇ ଉତ୍ପାଦ)ର ୧୦ ଧ ହେବ । ପ୍ୟାକେଜ ୨୦୨୦ରେ ଭାରତର ବିକାଶର ଗତିକୁ ବଳ ଦେବ ଓ ଆତ୍ମନିର୍ଭର ଭାରତକୁ ଶକ୍ତି ଯୋଗାଇବ । ଏହା ଚାଷୀ, ଉଦ୍ୟୋଗୀଙ୍କୁ ସଶକ୍ତ କରିବ । ଲ୍ୟାଣ୍ଡ, ଲେବର, ଲିକ୍ୟୁଡିଟି ଓ ଲ’ ଆଦି ସମସ୍ତଙ୍କୁ ସହାୟକ ହେବ । ଏହା ଆମର କୁଟୀର ଶିଳ୍ପ, ଗୃହ ଉଦ୍ୟୋଗ, ଲଘୁ ଓ ମଧ୍ୟମ ଉଦ୍ୟୋଗ, ଏମ୍‌ଏସ୍‌ଏମ୍‌ଇ ପାଇଁ ଉଦ୍ଦିଷ୍ଟ । ଯାହାକି କୋଟି କୋଟି ଲୋକଙ୍କ ଜୀବିକାର ମାଧ୍ୟମ ସାଜିଛି । ଯାହା ଆତ୍ମନିର୍ଭର ଭାରତ ପାଇଁ ଆମର ସଙ୍କଳ୍ପର ମଜଭୁତ ଆଧାରରେ ପରିଣତ ହୋଇଛି ।

ଆଜି ଭାରତ ବିକାଶ ଦିଗରେ ସଫଳତାର ପାଦ ଆଗକୁ ବଢ଼ାଇଛି । ବିଶ୍ୱ କଲ୍ୟାଣ ପାଇଁ ଭାରତର ସଙ୍କଳ୍ପ ଅଟଳ ରହିଛି । ଚଳିତ ଶତାବ୍ଦୀର ପ୍ରାରମ୍ଭରେ ୱାଇ୨କେ ସଙ୍କଟ ଆସିଥିଲା । ଭାରତୀୟ ବୈଜ୍ଞାନିକମାନେ ଦୁନିଆକୁ ଏହି ସଙ୍କଟରୁ ମୁକ୍ତ କରିଥିଲେ । ଆଜି ଆମ ପାଖରେ ସାଧନ, ସାମର୍ଥ୍ୟ ଓ ଉନ୍ନତ ଚିନ୍ତାଧାରା ରହିଛି । ଆମେ ଶ୍ରେଷ୍ଠ ଉତ୍ପାଦନ କରିବା । ସପ୍ଲାଇ ଚେନ୍‌କୁ ଆହୁରି ଆଧୁନିକୀକରଣ କରିବା । ଏହା ଆମେ କରିପାରିବା । ନିଶ୍ଚିତ ଭାବେ କରିବା । ସଙ୍କଟ ସମୟରେ ସ୍ଥାନୀୟ ସପ୍ଲାୟରମାନେ ଆମର ଆବଶ୍ୟକତା ପୂରଣ କରୁଛନ୍ତି । ତେଣୁ ଭାରତୀୟମାନେ ସ୍ଥାନୀୟ ସାମଗ୍ରୀକୁ ସମର୍ଥନ କରିବା ଓ ସେମାନଙ୍କ ଠାରୁ କିଣିବା ଆବଶ୍ୟକ । ଭାରତର ସଂସ୍କୃତି, ଭାରତର ସଂସ୍କାର ସେହି ଆତ୍ମନିର୍ଭରତାର କଥା କହୁଛି ଯାହାର ଆତ୍ମା ହେଉଛି ‘ବସୁଧୈବ କୁଟୁମ୍ବକମ୍‌’ । ଭାରତ ଯେବେ ଆତ୍ମନିର୍ଭରତା କଥା କୁହେ, ସେତେବେଳେ ଆତ୍ମକୈନ୍ଦ୍ରିକ ବ୍ୟବସ୍ଥା ସପକ୍ଷରେ ଓକିଲାତି କରେନାହିଁ । ଭାରତର ଆତ୍ମନିର୍ଭରତାରେ ସଂସାରର ସୁଖ, ସହଯୋଗ ଓ ଶାନ୍ତିର ଚିନ୍ତା ରହିଥାଏ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ ୪.୦ ସମ୍ପର୍କରେ ସଙ୍କେତ ଦେଇଥିଲେ । କହିଥିଲେ ମେ ୧୮ ତାରିଖ ପୂର୍ବରୁ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନର ମାର୍ଗଦର୍ଶିକା ବିଷୟରେ ଘୋଷଣା କରାଯିବ । ଏହି ଲକ୍‌ଡାଉନ ନୂଆ ରଙ୍ଗ-ରୂପ-ନିୟମରେ ଆସିବ । ରାଜ୍ୟମାନଙ୍କ ଠାରୁ ମିଳିଥିବା ପ୍ରସ୍ତାବ ଅନୁସାରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ବୈଜ୍ଞାନିକମାନେ କରୋନା ଆମ ଜୀବନର ଏକ ଅଂଶ ପାଲଟିବ ବୋଲି କହିଛନ୍ତି । ତେଣୁ ଜୀବନକୁ ଆମେ କେବଳ କରୋନା ଭିତରେ ସୀମାବଦ୍ଧ ରଖିପାରିବୁ ନାହିଁ । ଆମେ ମାସ୍କ ପିନ୍ଧିବୁ ଓ ସାମାଜିକ ଦୂରତା ବଜାୟ ରଖିବୁ । କିନ୍ତୁ କରୋନା ଆମକୁ ପ୍ରଭାବିତ ହେବାକୁ ଦେବୁ ନାହିଁ । ତେଣୁ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ନୂଆ ରୂପ ଓ ନୂଆ ନୀତିରେ ଆସିବ ।

ସୂଚନାଯୋଗ୍ୟ, କରୋନା ଭାଇରସ୍‌ ସଂକ୍ରମଣ ରୋକିବାକୁ ସମଗ୍ର ଦେଶରେ ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ୨୧ ଦିନିଆ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ ଲାଗୁ କରାଯାଇଥିଲା । ଏହା ପରେ ଏପ୍ରିଲ ୧୫ରୁ ମେ ୩ ତାରିଖ ପର୍ଯ୍ୟନ୍ତ ୧୯ ଦିନିଆ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ କାର୍ଯ୍ୟକାରୀ କରାଗଲା । ପୁଣିଥରେ ମେ ୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ୧୪ ଦିନିଆ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ।

   ସମ୍ବନ୍ଧିତ ଖବର


ଏରିଆ ଅଧିକ ଦାୟିତ୍ବ ବେଶି, କିନ୍ତୁ ତେଲ ସରିଯିବା ଭୟରେ କମିଛି ପିସିଆର୍ ପାଟ୍ରୋଲିଂ: ପୋଲିସ ଗାଡି ନଦେଖି ବଢ଼ିଛି ଅପରାଧୀଙ୍କ ସାହସ

ବଦଳିବ ସ୍କୁଲ ତାରିଖ, ନଭେମ୍ବରରେ ଖୋଲିବ କିନ୍ତୁ ୧୬ରେ ନୁହେଁ…

ମହିଳାଙ୍କ ଉପରେ ମୁକେଶ ଖାନ୍ନାଙ୍କ ବିବାଦୀୟ ମନ୍ତବ୍ୟର ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ-‘ଶକ୍ତିମାନ’ ନୁହେଁ ‘କିଲଭିସ୍’

ISL‌-7 ପାଇଁ କ୍ରୀଡ଼ାସୂଚୀ ଘୋଷଣା: ଉଦ୍‌ଘାଟନୀ ମ୍ୟାଚ୍‌ରେ ହାଇଦ୍ରାବାଦକୁ ଭେଟିବ ଓଡ଼ିଶା, ଏଥର ସିଜନରେ ୧୧୫ଟି ମ୍ୟାଚ୍‌ ଖେଳାଯିବ

ପୁଣି ସୀମାରେ ପାକିସ୍ତାନୀ ଡ୍ରୋନ୍, ବିଏସ୍‌ଏଫ୍‌ର ଫାୟରିଂ ପରେ ଫେରିଗଲା

ଅଭିଯୁକ୍ତର ଉନ୍ମତ୍ତ କାଣ୍ଡ : ଜାମିନରେ ଆସି ତିନି ଜଣଙ୍କୁ କଲା ରକ୍ତାକ୍ତ, ଘଟଣାସ୍ଥଳରେ ପୋଲିସର ଛାନ୍‌ଭିନ୍‌