ଟଲିଉଡ୍‌ରେ ଏଣ୍ଟ୍ରି କରିବେ ଟ୍ୟାଲେଣ୍ଟେଡ ଓଡ଼ିଆ ଅଭିନେତା ଦେବାଶିଷ

ବାରିପଦା ୨୯/୧୧: ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ ଏକ ପରିବର୍ତ୍ତନ ଆଣିବା ସହ ଦର୍ଶକଙ୍କୁ କିଛି ନୂତନ ସ୍ୱାଦ ଦେବାକୁ ଚାହୁଁଥିବା ଟ୍ୟାଲେଣ୍ଟେଡ ଅଭିନେତା ଦେବାଶିଷ ପତିଙ୍କ ସ୍ୱପ୍ନକୁ କରୋନା ଓଲଟ ପାଲଟ କରି ଦେଇଛି । ଜିତେନ୍ଦ୍ର ଚାନ୍ଦଙ୍କ କାହାଣୀ, ପୃଥ୍ୱିରାଜ ପଟ୍ଟନାୟକଙ୍କ ନିର୍ଦ୍ଦେଶନା, ସଂଦୀପ ସାହୁଙ୍କ ପ୍ରେଯାଜନାରେ ତାଙ୍କ ଅଭିନୀତ ସ୍ୱପ୍ନର ସିନେମା ‘ତାଣ୍ଡବ’ ଗତ ମାର୍ଚ୍ଚ ମାସରେ ରିଲିଜ ହେବାକୁ ଥିବା ବେଳେ କରୋନା ମହାମାରୀ ଯୋଗୁଁ ଅଟକି ରହିଛି । ତେବେ ସବୁକିଛି ସ୍ୱଭାବିକ୍‌ ହେବା ପରେ ସେ ‘ତାଣ୍ଡବ’ ଜରିଆରେ ନିଶ୍ଚିତ ଭାବେ ଦର୍ଶକଙ୍କ ଆଗରେ ସେ ନିଜକୁ ଭିନ୍ନ ଅଭିନେତା ଭାବେ ଉପସ୍ଥାପିତ କରିବେ ବୋଲି କହିଛନ୍ତି ।

ଆଖିରେ ଆଖିଏ ସ୍ୱପ୍ନ ଧରି ସେହି ସ୍ୱପ୍ନକୁ ଦର୍ଶକଙ୍କ ଠାରେ ବୁଣିବାକୁ ଚାହୁଁଥିବା ଦେବାଶିଷ ଆକ୍ଟିଂ ନୁହେଁ ରିଏଲିଟିରେ ବିଶ୍ୱାସ କରନ୍ତି । ସେଥି ପାଇଁ ସେ ‘ତାଣ୍ଡବ’ ଫିଲ୍ମରେ ନାୟକ ଭାବେ ଅଭିନୟ କରି ଦର୍ଶକଙ୍କୁ କିଛି ନିରୁତା କଳାତ୍ମକ ଋଚି ଭେଟି ଦେବାକୁ ଦୀର୍ଘ ଦେଢବର୍ଷ ଧରି ନିଜେ ଚୁଟି ଓ ଦାଢି ନ କାଟି ସେହି ଚରିତ୍ରକୁ ନ୍ୟାୟ ଦେବାକୁ ବଦ୍ଧ ପରିକର ଥିଲେ। ଆଗକୁ ଯେବେ ତାଣ୍ଡବ ରିଲିଜ ହେବ ସେତେବେଳେ ଦର୍ଶକ ଏକ ଭିନ୍ନ ସ୍ୱାଦର ମୌଳିକ କାହାଣୀକୁ ନେଇ ତିଆରି ହୋଇଥିବା ସିନେମାକୁ ଏବଂ ତାଙ୍କ ଚରିତ୍ର ସହିତ ତାଙ୍କର ଲୁକ୍‌କୁ ବେଶ ପସନ୍ଦ କରିବେ ବୋଲି ସେ ଦୃଢ ବିଶ୍ୱାସ ରଖିଛନ୍ତି।

କଳାର ଶ୍ରୀକ୍ଷେତ୍ର ବାରିପଦାର ଏଇ ନିଆରା ଅଭିନେତା ଜଣକ ଆକ୍ଟିଂ କ୍ଷେତ୍ରରେ କୌଣସି କମ୍ପ୍ରମାଇଜ ନ କରି ନୂଆ ନୂଆ କନସେପ୍ଟରେ କାମ କରିବାକୁ ଚାହୁଁଥିବା ବେଳେ ଏବେ ଭୋଜପୁରୀ, ହିନ୍ଦୀ ଓ ଓଡ଼ିଆରେ ନିର୍ମିତ ଏକ ତ୍ରିଭାଷୀ ଚଳଚ୍ଚିତ୍ର ‘ଝାନସୀ ପୁଲିସ’ରେ ଲିଡରୋଲ କରୁଛନ୍ତି । ଯାହାର ପୋଷ୍ଟ ପ୍ରଡକ୍ସନ କାମ ଜାରି ରହିଛି । ଖୁବ ଶୀଘ୍ର ସେ ତେଲଗୁ ଫିଲ୍ମ ଇଣ୍ଡଷ୍ଟ୍ରି ଟଲିଉଡରେ ଏଣ୍ଟ୍ରି କରୁଥିବା ସୂଚନା ଦେଇଛନ୍ତି ।