ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ମହାସମାବେଶ; ସିନେମା ହଲ୍‌ ସଂଖ୍ୟା ବଢ଼ାଅ

ଭୁବନେଶ୍ୱର,୧ା୩(ବ୍ୟୁରୋ): ରାଜ୍ୟରେ ଅଧିକରୁ ଅଧିକ ସିନେମା ହଲ୍‌ ହେଉ । ସଂଖ୍ୟା ବୃଦ୍ଧି ପାଉ । ନୂଆ ସିନେମା ହଲ୍‌ ଏବଂ ପୁରୁଣାର ପୁନରୁଦ୍ଧାର ଲାଗି ଋଣ ସ୍ୱରୂପ ଆର୍ଥିକ ସହାୟତା ଦିଆଯାଉ । ଚଳଚ୍ଚିତ୍ର ଏକାଡେମୀ ସାଙ୍ଗକୁ ଆର୍କାଇଭସ୍‌ ପ୍ରତିଷ୍ଠା କରାଯାଉ । ଟିକେଟ୍‌ରୁ ଜିଏସ୍‌ଟି କଟାଯାଉ ଏବଂ ଚଳଚ୍ଚିତ୍ର ପ୍ରଯୋଜନା ଲାଗି ସବ୍‌ସିଡି ମିଳୁ । ବର୍ଷକୁ ଥରେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ କରାଯାଉ । ଚଳଚ୍ଚିତ୍ର ନଗର କୋଅପରେଟିଭ୍‌ ହାଉସିଂ ସୋସାଇଟି ପାଇଁ ଭୁବନେଶ୍ୱର, ଖୋର୍ଦ୍ଧା କିମ୍ବା ତ୍ରିଶୁଳିଆରେ ୧୦୦ଏକର ଜମି ଯୋଗା ଯାଉ । ସିନେ କର୍ମଚାରୀ ଓ ଟେକ୍ନିସିଆନ୍‌ଙ୍କ ପାଇଁ ବୀମା ଏବଂ ପେନ୍‌ସନ୍‌ର ବ୍ୟବସ୍ଥା ହେଉ । ଆଜି ପୂର୍ବାହ୍ନରେ ଜୟଦେବ ଭବନରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ମହାସମାବେଶରେ ସରକାରଙ୍କ ସାମ୍ନାରେ କିଛି ଏହିଭଳି ଦାବି ରଖିଛି ଉତ୍କଳ ସିନେ ଚାମ୍ବର ଅଫ୍‌ କମର୍ସ ।
ଉତ୍କଳ ସିନେ ଚାମ୍ବର ଅଫ୍‌ କମର୍ସର ଅଧ୍ୟକ୍ଷ ଦିଲ୍ଲୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ ଭାଷଣ ସହ ଶେଷରେ ଏ ସମସ୍ତ ଦାବିକୁ ଉପସ୍ଥାପନ କରିଥିଲେ । ଓଡ଼ିଶା ଚଳଚ୍ଚିତ୍ର ପ୍ରଯୋଜକ ସଂଘ ସଭାପତି କେଶବ ଚନ୍ଦ୍ର ରାଉତ, ସବୁ ବ୍ଲକ୍‌ରେ ହଲ୍‌ ପ୍ରତିଷ୍ଠା ସହ ସ୍ୱାସ୍ଥ୍ୟ ବୀମା, କଳାକାରଙ୍କୁ ପେନ୍‌ସନ୍‌ ଦିଆଯାଉ ବୋଲି କହିଥିଲେ । କେଶରୀ ଟକିଜ୍‌ ଏମ୍‌ଡି ଭରତଚନ୍ଦ୍ର ସିଂ ଭଞ୍ଜଦେଓ କହିଥିଲେ, ହଲ୍‌ର ପୁନରୁଦ୍ଧାର ଏବଂ ଚଳଚ୍ଚିତ୍ର ଟିକେଟ୍‌ ଜିଏସ୍‌ଟି ମୁକ୍ତ ହେଉ । ଗୀତିକାର ଦେବଦାସ ଛୋଟରାୟ, ଚଳଚ୍ଚିତ୍ର ପଲିସି ସହ ବୈଷୟିକ ଜ୍ଞାନକୌଶଳ ଉପରେ ଧ୍ୟାନ ଦେବାକୁ ଗୁରୁତ୍ୱାରୋପ କରିଥିଲେ । ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର ମୌଳିକତାକୁ ଭୁଲି ନଯିବାକୁ ତାଗିଦ୍‌ କରିଥିଲେ । ପ୍ରାକ୍ତନ ଡିଜି, ଓଏଫ୍‌ଡିସି ଅଧ୍ୟକ୍ଷ ବଟକୃଷ୍ଣ ତ୍ରିପାଠୀ ଅତୀତକୁ ମନେପକାଇ ବର୍ତ୍ତମାନ ଚଳଚ୍ଚିତ୍ର ଅଭିଲେଖାଗାର ପ୍ରତିଷ୍ଠା ଉପରେ ଜୋର୍‌ ଦେଇଥିଲେ । ଅଭିନେତା ବିଜୟ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ଶ୍ରୀତମ୍‌ ଦାସ ପ୍ରମୁଖ ସମସ୍ତେ ଏକାଠି ହୋଇ ଚଳଚ୍ଚିତ୍ର ଶିଳ୍ପକୁ ଆଗେଇ ନେବାକୁ ଆହ୍ୱାନ ଦେଇଥିଲେ । ବରିଷ୍ଠ ସିନେମାଟୋଗ୍ରାଫର ଶ୍ରୀନିବାସ ମହାପାତ୍ର କହିଥିଲେ, ସିନେମାର ଉନ୍ନତି ପାଇଁ ରାଜନୀତି ନକରି ଶୃଙ୍ଖଳିତ, ସଙ୍ଗଠିତ ଭାବେ କିଛି କରାଯାଉ । ନିର୍ଦ୍ଦେଶକ ମନମୋହନ ମହାପାତ୍ର କହିଥିଲେ, ଏକ କୋର୍‌ କମିଟି କରି ସରକାରଙ୍କ ନିକଟରେ ମତ ରଖାଯାଉ । ନିର୍ଦ୍ଦେଶକ ରାଜୁ ମିଶ୍ର କହିଥିଲେ, ଚଳଚ୍ଚିତ୍ର ନୀତି ଅନୁଯାୟୀ ଆର୍ଥିକ ପ୍ରୋତ୍ସାହନ ଆଣି କିଛି କରାଯାଉ । ଟେକ୍ନିସିଆନ୍‌ ଆସୋସିଏସନ୍‌ ନିରଞ୍ଜନ ଦାସ, ଟେକ୍ନିସିଆନ୍‌ଙ୍କ ପେନ୍‌ସନ୍‌ ଓ ବୀମା ସମ୍ପର୍କରେ ମତ ରଖିଥିଲେ । ଏହି ଅବସରରେ ‘ହେଲୋ ଆର୍‌ସି’ ପ୍ରଯୋଜକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ପ୍ରଯୋଜକ ଅଜୟ ରାଉତରାୟ ଧନ୍ୟବାଦ ଦେଇଥିଲେ । ମହାସମାବେଶରେ ଓଡ଼ିଶା ପ୍ରେକ୍ଷାଳୟ ସଂଘ, ଉତ୍କଳ ସିନେ ଚାମ୍ବର୍‌ ଅଫ୍‌ କମର୍ସ, ଓଡ଼ିଶା ଚଳଚ୍ଚିତ୍ର ପ୍ରଯୋଜକ ସଂଘ, ସିନେ ଆର୍ଟିଷ୍ଟ ଆସୋସିଏସ୍‌ ଓ ଅନ୍ୟମାନେ ସାମିଲ ହୋଇଥିଲେ ।

   ସମ୍ବନ୍ଧିତ ଖବର


​ଅଡ଼ୁଆରେ ସରକାରୀ ଅଫିସ୍‌ କର୍ମଚାରୀ – କାଲି ରାଜ୍ୟ ସରକାର କହିଲେ ଏମିତି, ଆଜି ଉଚ୍ଚ ଶିକ୍ଷା ବିଭାଗ କହୁଛନ୍ତି ଏମିତି–କାହାକୁ ମାନିବେ ?

ପାରିତ ହେଲା ସଂକ୍ରାମକ ରୋଗ ବିଲ୍‌, କରୋନା ନିୟମ ଉଲ୍ଲଂଘନ କଲେ ଲକ୍ଷେ ଜରିମାନା, ଦୁଇ ବର୍ଷ ଜେଲ୍‌

ମାସ୍କ ବ୍ୟବହାର କଲେ ସଂକ୍ରମଣ ସମ୍ଭାବନା କମ୍‌: ଡା. ମନୋଜ ସାହୁ

ବାଉଁଶ ଚାଷର ବିକାଶ ପାଇଁ କେନ୍ଦ୍ରୀୟ ସହାୟତାରେ ତିନି ବର୍ଷରେ ଓଡ଼ିଶାକୁ ମିଳିଛି ୬.୭୭ କୋଟି: ଧର୍ମେନ୍ଦ୍ର

ସରିଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା, ଖାଲି ପଡ଼ିବ ୪୦ ହଜାରରୁ ଅଧିକ ସିଟ୍‌…

ନନ୍ଦନକାନନରେ ଦିନକୁ ୨,୫୫୦ ପର୍ଯ୍ୟଟକଙ୍କୁ ଟିକେଟ୍‌, ବୟସ୍କ ଓ ଶିଶୁ ନଯିବାକୁ ପରାମର୍ଶ…