ଭୁବନେଶ୍ୱର,୨୮/୦୪(ମନୋରଞ୍ଜନ ମହାନ୍ତି): ଇତିହାସ ପୋଡ଼ିଯାଇଛି । ଠିକଣା ହଜେଇ ସାରିଛୁ । କର୍ପୂର ଉଡ଼ିଗଲାଣି । କେବଳ କନା ଖଣ୍ଡକ ଆଶ୍ରା । ତାକୁ ଧରି ଭବିଷ୍ୟତ ଚିନ୍ତା କଲାବେଳକୁ ଅଣାନବେରେ ସ୍ଥିତି ଅଣାୟତ୍ତ । ଅନ୍ୟକୁ ମାର୍ଗଦର୍ଶନ ଦେବା ବଦଳରେ ନିଜେ ଦିଶାହୀନ । ଏ ସମୟରେ ସାହାଯ୍ୟ ବଦଳରେ ଆହୁରି ଶୋଷୁଛନ୍ତି ସରକାର । ଏମିତିରେ ତା’ ଭାଗ୍ୟ ନେଇ ଚାଲିଛି ଓଡ଼ିଆ ସିନେମା ।
୮୮ ପୂରି ୮୯ରେ ପାଦ ଥାପିଲା ଓଡ଼ିଆ ସିନେମା । ସମ୍ରଗ ଭାରତ ବର୍ଷରେ ସର୍ବପୁରାତନ ସିନେମା ଜଗତ । ମାତ୍ର ଆଉ ୧୧ ବର୍ଷ ପରେ ଶତବାର୍ଷିକ ଉତ୍ସବ । ହେଲେ ଉତ୍ସାହ କି ଉଦ୍ଦୀପନା ନାହିଁ । କେହି ଏକାଠି ନାହାନ୍ତି । କାହାରି ମନରେ ସରାଗ ନାହିଁ । ସରକାରଙ୍କ ୧୦୦ ଯୋଜନା ଭିତରେ ବି ଓଡ଼ିଆ ସିନେମା ଆସୁନାହିଁ । ଯେତେଯାହା କହିଲେ ବି ଆଗାମୀ ଦିନର ଯାତ୍ରା କ’ଣ ହେବ ଜଳଜଳ ଦିଶୁଛି ।
ରାଜ୍ୟରେ ପ୍ରତିଟି କାର୍ଯ୍ୟ ପାଇଁ ନୀତି ନିୟମ ଅଛି । ମାତ୍ର ଏତେ ବର୍ଷର ଓଡ଼ିଆ ସିନେମା ପାଇଁ ସ୍ୱତନ୍ତ୍ର ନୀତିଟିଏ ନାହିଁ । ସରକାର ବହୁ ପ୍ରୟାସ କରି ୨୦୧୯ ମସିହା, ମାର୍ଚ୍ଚ ୨ ତାରିଖରେ ‘ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ନୀତି-୨୦୧୯’ ଆଣିଥିଲେ । ନୀତିଟି କାର୍ଯ୍ୟକାରୀ ହେବା ଆଗରୁ ୨୦୨୨, ମାର୍ଚ୍ଚ ୩୧ରେ ତା’ର ଅବଧି ସରିଗଲା । ତା’ପରେ ଆଉ ସେ ବିଷୟରେ କାହାରି ଚିନ୍ତା ନାହିଁ । ଏସବୁ ବୁଝିବାକୁ ସରକାର ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍ଡିସି) ପ୍ରତିଷ୍ଠା କରିଥିଲେ । ଏବେ ଅନୁଷ୍ଠାନଟି ସଚଳ ନାଁରେ ସମ୍ପୂର୍ଣ୍ଣ ଅଚଳ । ଯୋଜନା କଲେ ବି କାର୍ଯ୍ୟକାରୀ କରିବାକୁ ଲୋକ ନାହାନ୍ତି ।
ଆମର ନୀତି ତ ନାହିଁ କି ନେତା ମଧ୍ୟ ନାହାନ୍ତି । ଯିଏ ଓଡ଼ିଆ ସିନେମା ପାଇଁ ଲଢ଼ିବ । ଓଡ଼ିଶା ରାଜନୀତିରେ ଅନେକ କଳାକାର ଥିଲେ, ଏବେ ବି ଅଛନ୍ତି । କିଏ ଶାସକ ଦଳରେ ତ କିଏ ବିରୋଧୀରେ । କିନ୍ତୁ ଓଡ଼ିଆ ସିନେମା ପାଇଁ କାହାର ଅନ୍ତର କାନ୍ଦେନି । କଥା ପଡ଼ିଲେ ଭାଷଣ... ମାଇକ୍ ଛାଡ଼ିବେନି । ଆଖି ତରାଟିଲା ଭଳି ଯୋଜନା, ଅସରନ୍ତି ପ୍ରତିଶ୍ରୁତି । କାମ ଶୂନ । ସଂଳାପ ପ୍ରବଳ ।
ଯେଉଁଥିପାଇଁ ଓଡ଼ିଆ ସିନେମାର ଏକମାତ୍ର ସମ୍ପତ୍ତି ‘କଳିଙ୍ଗ ଷ୍ଟୁଡିଓ’ କୋମାରେ । ତାକୁ ନେଇ ଅନେକଙ୍କ ଅନେକ ସ୍ୱପ୍ନ । କିନ୍ତୁ କୋଣାର୍କ ପରି ତା’ର ପୁନରୁଦ୍ଧାର ଚାଲିଛି ଯେ, ସରୁନି । ଯେବେ ସରିଲେ ବି ସେ କାହାପାଇଁ ହେଉଛି ତାକୁ ନେଇ ପ୍ରଶ୍ନବାଚୀ । ପ୍ରଯୋଜକଙ୍କ କହିବା କଥା, ସୁଟିଂ ପାଇଁ ପୂର୍ବରୁ ସରକାର ମାଗଣା ଦେଉନଥିଲେ କି ଏବେ ଦେବେନି । ସବ୍ସିଡି ବି ଛାଡ଼ୁନଥିଲେ । ବର୍ତ୍ତମାନ ଯାହା ନିର୍ମାଣ ହେଉଛି ସେଥିରେ କାହା ସ୍ୱାର୍ଥ ପୂରଣ ହେବ ତାହା ସମୟ କହିବ ।
ବର୍ତ୍ତମାନ ସମୟରେ ସବୁଠୁ ବଡ଼ ସମସ୍ୟା ସିନେମା ପ୍ରଦର୍ଶନୀ । ପ୍ରେକ୍ଷାଳୟ ମିଳୁନି । ଅତୀତ ଏଠି ଇତିହାସ । ଓଡ଼ିଆ ସିନେମାକୁ ଜନ୍ମ ଦେଇଥିବା ପୁରୀ ପରି ଅନେକ ସହରରେ ଏହା ସ୍ୱପ୍ନ । ମଡେଲ୍ରେ ରହିଗଲା ୩୧୪ ବ୍ଲକ୍ରେ ହେବାକୁ ଥିବା ‘ଇନ୍ଫୋ ଥିଏଟର’ । ଯାହା ଅଛି ଏବଂ ମୁଳିଛି ତାହା ପ୍ରଯୋଜକଙ୍କୁ କନ୍ଦାଉଛି । ଯେଉଁଥିପାଇଁ ପୁରୁଣା ପ୍ରଯୋଜକ ସିନେମା କରିବା ଛାଡ଼ି ସାରିଲେଣି । ନୂଆ ମୁହଁ ମୋଡ଼ିଲେଣି । ଜଣେ ପ୍ରଯୋଜକ କହିଛନ୍ତି, ଗତବର୍ଷ ୫୬ଟି ଓଡ଼ିଆ ସିନେମା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ୩୬ ନୂଆ ପ୍ରଯୋଜକ ଆଗେଇ ଆସିଥିଲେ । ଚଳିତ ବର୍ଷ ସେଥିରୁ ମାତ୍ର ୩ ଜଣ ସିନେମା କରିବାକୁ ରାଜି ହେଉଛନ୍ତି । ବାକି ନିରବ । ରାଜ୍ୟର ୪୦ ସହରରେ ୩୯ ସିଙ୍ଗଲ୍ ସ୍କ୍ରିନ୍ ଓ ୨୯ ମଲ୍ଟିପ୍ଲେକ୍ସକୁ ମିଶାଇ ୬୮ ପ୍ରେକ୍ଷାଳୟରେ ୧୩୦ ସ୍କ୍ରିନ୍ ରହିଛି । ହେଲେ ସବୁ ସମୟରେ ଓଡ଼ିଆ ସିନେମାକୁ ସବୁ ହଲ୍ ମିଳୁନି । ଯଦିବି ମିଳିଛି ଏବଂ ସିନେମା ସପ୍ତାହବ୍ୟାପି ଭଲ ଚାଲିଛି, ତାହାଲେ ହିନ୍ଦୀ କି ଅନ୍ୟ ସିନେମା ଆସିଲେ ଉଠିଯାଉଛି । ସିଙ୍ଗଲ୍ ସ୍କ୍ରିନ୍ କଥା ଅଲଗା ମଲ୍ଟିପ୍ଲେକ୍ସ କାହା ଆୟତ୍ତରେ ନାହିଁ । ଅନେକ ସିଙ୍ଗଲ୍ ସ୍କ୍ରିନ୍ ବିଭିନ୍ନ ମଲ୍ଟି ନ୍ୟାସ୍ନାଲ୍ କମ୍ପାନୀ ସହ ଯୋଡ଼ି ହେବାରୁ ସମସ୍ୟାର ଆହୁରି ବଢ଼ି ଚାଲିଛି ।
ଟିକଟ ଦାମ୍ କାହିଁରେ କ’ଣ? ୩୦୦ କୋଟିର ସିନେମାକୁ ୨୦୦, ୩୦ ଲକ୍ଷର ଓଡ଼ିଆ ସିନେମାକୁ ବି ୨୦୦ । ତା’ ଉପରେ ଟିକସ୍ । ପୁଣି ବାହାର ଖାଇବା ଭିତରକୁ ନିଷେଧ । ଜଣେ ପରିବାର ସହ ସିନେମା ଗଲେ ଥରକେ ୧୫୦୦ରୁ ୨ହଜାର ଖର୍ଚ୍ଚ । ସେ ଦ୍ୱିତୀୟ ଥର ଚିନ୍ତା ବି କରିପାରିବନି । ଯାହାଙ୍କ ପାଇଁ ଏବଂ ଯେଉଁ ମଧ୍ୟବିତ୍ତଙ୍କୁ ନେଇ ସିନେମା ହେଉଛି, ସେ କେମିତି ଦେଖିବେ? ଏତେ ଟଙ୍କା ଦେବା ସେମାନଙ୍କ ପକ୍ଷେ ସମ୍ଭବ ହେଉନି । ସେ ବିଷୟରେ ଚିନ୍ତା କରିବାର ଅଛି । ବିଲେଇ ବେକରେ ଘଣ୍ଟି ବାନ୍ଧିବାକୁ ଜଣେ ଦରକାର । ସେ ଜଣକ କିଏ? ଏଠି ତ କାହାର କାହା ସହ ସମନ୍ୱୟ ନାହିଁ । ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର, ଟେକ୍ନିସିଆନ୍ ସମସ୍ତଙ୍କର ସଂଗଠନ ଅଛି । ଓଏଫ୍ଡିସି ବି ବସିଛି। କିନ୍ତୁ ୮୮ ବର୍ଷ ପରେ ବି ସମସ୍ୟା ହଟୁନି କାହିଁକି?
ପ୍ରଯୋଜକଟି ହଲ୍ ପାଉନି, ସିନେମା ହିଟ୍ ହେଲେ ତାକୁ ରିଟର୍ଣ୍ଣ କି ଲାଭ ମିଳୁନି । ପ୍ରଥମ ସିନେମାରେ ତା’ ଅଣ୍ଟା ଭାଙ୍ଗିଯାଉଛି । ଆଗରୁ ଜଣେ ସେନ୍ସର୍ ପାଇଁ ସିନେମା ସ୍କ୍ରିନିଂ ଲାଗି ୬ ହଜାର ଖର୍ଚ୍ଚ କରୁଥିଲା ଏବେ ୧୨ ହଜାର ଖର୍ଚ୍ଚ ଦେଉଛି । ସେନ୍ସର୍ ବୋର୍ଡ ଓଏଫ୍ଡିସି କାର୍ଯ୍ୟାଳୟ ପ୍ରଦର୍ଶନୀ କକ୍ଷରେ କରିବାକୁ କହୁଛି । ଫଳରେ ଓଏଫ୍ଡିସି ଏତେ ଟଙ୍କା ନେଉଛି । ପଚାରିଲେ ଉତ୍ତର, କ’ଣ ନା’ କାର୍ଯ୍ୟାଳୟ ପ୍ରଦର୍ଶନୀ କକ୍ଷ ନିର୍ମାଣ ପାଇଁ ପ୍ରବଳ ଟଙ୍କା ଖର୍ଚ୍ଚ ହୋଇଛି । ଏସବୁ ବିଷୟରେ ବିଭିନ୍ନ ସଂଗଠନ ଓଏଫ୍ଡିସି, ସରକାରଙ୍କ ସହ ଆଲୋଚନା କରି ଧାରଣା ଦେଇଥିଲେ ବି ଫଳ ଶୂନ । ତା’ ସାଙ୍ଗକୁ ଓଟିଟି ଓ ଟେଲି ଦୁନିଆ ବଡ଼ ବାଧକ ସାଜିଛନ୍ତି । ଲୋକ ଥରେ ସେ ଦୁନିଆକୁ ଗଲେ ସିନେମାକୁ ପଚାରୁ ନାହାନ୍ତି । ଜଣେ ପ୍ରଯୋଜକ କେତେ କ’ଣ କଲେ ବି ନିରାଶ ହେଉଛି । ଜୀବନରେ କେବେ ସିନେମା କରିବେନି କହି ସବୁଦିନ ପାଇଁ ସିନେମା ଦୁନିଆ ଛାଡ଼ି ଦେଉଛନ୍ତି ।
ଏବେ ଓଡ଼ିଆ ସିନେମାରେ ନୂତନତାର ସୂର୍ଯ୍ୟୋଦୟ ହେଲାବେଳକୁ ବିବାଦ ଖାଇଯାଉଛି । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜୁତି ଅପେକ୍ଷା ବ୍ୟକ୍ତିଗତ, ପାରିବାରିକ ଓ ଗୋଷ୍ଠୀଗତ ଲଢ଼େଇ ପାଇଁ ସୁନାମ କମ୍ ବଦନାମ ବେଶି ମୁଣ୍ଡାଉଛି । ହଁ, ଏତିକି ହେଉଛି ଅନେକ ଖରାପ ଭିତରେ କିଛି କିଛି ଭଲ ଖବର ମଝିରେ ମଝିରେ ଆସୁଛି । ଆଉ ଏହାକୁ ବଞ୍ଚାଇ ରଖିଛି ସୋସିଆଲ୍ ମିଡିଆ । ମହୁରତ୍ରୁ ମୁକ୍ତିପ୍ରାପ୍ତ ପର୍ଯ୍ୟନ୍ତ । ଏମିତି କି ୩ ସପ୍ତାହ ପାର୍ କଲା, ଶହେ ଦିନ ରେକର୍ଡ କଲା ସବୁ ସୋସିଆଲ୍ ମିଡିଆ କହୁଛି । କିନ୍ତୁ ବାସ୍ତବରେ ସିନେମା କେମିତି ଚାଲିଛି, ତାହା ପ୍ରଯୋଜକ ଜାଣିଛି । ତା’ ଲୁହ ସେ ପୋଛୁଛି । ହେଲେ ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍ ଓ ଟ୍ୱିଟ୍ରରେ ସିନେମା ଶିଳ୍ପ ବଞ୍ଚିଛି ।