ପ୍ରମୁଖ ଖବର
  • ଭୁବନେଶ୍ୱର: ୪୦ ଡେଇଁଲା ତାପମାତ୍ରା, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ
  • ||
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ଆମେରିକାରେ କଟକ ଝିଅ ଲୌରାଙ୍କ ପ୍ରଶଂସନୀୟ ଉଦ୍ୟମ: ଓଡ଼ିଶାକୁ କୋଭିଡ୍‌ ସହାୟତା ପାଇଁ ବିକୁଛନ୍ତି ସ୍ନାକ୍ସ

କଟକ,୩୧/୦୫: ଆମେରିକାରେ ରହୁଛନ୍ତି, ଷଷ୍ଠ ଶ୍ରେଣୀରେ ପଢୁଛନ୍ତି । ହେଲେ ଭାରତ ତଥା ଓଡ଼ିଶାରେ କରୋନା ସ୍ଥିତିକୁ ନେଇ ତାଙ୍କ ମନରେ ଉଦ୍‌ବେଗ । ନିଜ ଉଦ୍ୟମରେ ଓଡ଼ିଶାକୁ ସହାୟତା ଦେବା ପାଇଁ ଘରକୁ ଘର ବୁଲି ବିକୁଛନ୍ତି ସ୍ନାକ୍ସ । ଭାରତୀୟ ବଜାରରେ ମିଳୁଥିବା ସ୍ନାକ୍ସର ସ୍ୱାଦ ଆମେରିକୀୟଙ୍କୁ ଦେବା ସହ ଲକ୍ଷ୍ୟ ରଖିଛନ୍ତି ସଂଗ୍ରହ କରିବେ ୨ ହଜାର ଡଲାର । ଏହାକୁ କୋଭିଡ୍‌ ପରିଚାଳନା ପାଇଁ ଓଡ଼ିଶାକୁ ପଠାଇବେ । ଓଡ଼ିଶାଠାରୁ ୧୩ ହଜାର କିମି ଦୂରରେ ଥାଇ ବି ଜନ୍ମମାଟି ପ୍ରତି ଏକ ଛୋଟ ପ୍ରତିଦାନ ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ୧୨ ବର୍ଷୀୟା ଲୌରା ମହାପାତ୍ର । କାହାଠାରୁ ମାଗିଯାଚି ନୁହେଁ ଆମେରିକାରେ ବିଦେଶୀଙ୍କୁ ଭାରତୀୟ ଖାଦ୍ୟ ଯୋଗାଇ ଏହି ଫଣ୍ଡ୍‌ ସୃଷ୍ଟି କରିଛନ୍ତି ସେ । ଓଡ଼ିଶା ସୋସାଇଟି ଅଫ୍‌ ଆମେରିକା ଜରିଆରେ ସହାୟତା ରାଶି ପଠାଇବା ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି ।

କଟକ ତେଲେଙ୍ଗାବଜାରର ଡାକ୍ତର ରାମପ୍ରସାଦ ମହାପାତ୍ର ଓ ଡାକ୍ତର ସୁଚିସ୍ମିତା ସ୍ୱାଇଁଙ୍କ ଝିଅ ଲୌରା । ଆମେରିକାରେ ଶ୍ରୀ ମହାପାତ୍ରଙ୍କ ଚାକିରି ଯୋଗୁଁ ସପରିବାର ସେ ମଙ୍କାଟୋ ସହରରେ ରହୁଛନ୍ତି । ଲୌରା ସ୍ଥାନୀୟ ଏକ ସ୍କୁଲ୍‌ରେ ଷ୍ଟାଣ୍ଡାର୍ଡ ୬ରେ ପାଠ ପଢୁଛନ୍ତି । ଛୋଟବେଳୁ ତାଙ୍କ ଭିତରେ ପରୋପକାର ମନୋଭାବ ଦେଖିବାକୁ ପାଇଥିଲେ ଅଭିଭାବକ । ସ୍କୁଲ୍‌ ପଢା ସହ ସେ ନିକଟସ୍ଥ ଏକ ସେବା ଯୋଗାଣକାରୀ ଅନୁଷ୍ଠାନ ସହ ଜଡିତ ହେଲେ । ଗତବର୍ଷ କରୋନା ସମୟରେ ସେ ନିଜର ପିଗି ବ୍ୟାଙ୍କ୍‌ରୁ ନ୍ୟୁୟର୍କରେ କୋଭିଡ୍‌ ପରିଚାଳନା ପାଇଁ ସାହାଯ୍ୟ କରିଥିଲେ ।

କଟକର ଏହି ଓଡ଼ିଆ ଝିଅଙ୍କ ପଦକ୍ଷେପକୁ ଗତବର୍ଷ ନ୍ୟୁୟର୍କରେ ବହୁତ ପ୍ରଶଂସା ମିଳିଥିଲା । ଆମେରିକାର ଏକ ଟିଭି ଚ୍ୟାନେଲରେ ମଧ୍ୟ ଲୌରାଙ୍କୁ ନେଇ ରିପୋର୍ଟ ପ୍ରଦର୍ଶିତ ହୋଇଥିଲା । ହଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଟିନା ଫେ’ ମଧ୍ୟ ଲୌରାଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ । ଚଳିତବର୍ଷ କରୋନା ଦ୍ୱିତୀୟ ଲହରିରେ ସେ ଓଡ଼ିଶା ପାଇଁ କିଛି ସହଯୋଗ ଦେବାର ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶାରେ ରହୁଥିବା ତାଙ୍କର ଅନ୍ୟ ପରିବାର ସଦସ୍ୟ, ବନ୍ଧୁବାନ୍ଧବ କରୋନା ସଂକ୍ରମଣର ଶିକାର ହୋଇଥିବା ବେଳେ ଡା. ରାମପ୍ରସାଦ ମହାପାତ୍ର ଓ ସୁଚିସ୍ମିତା ସ୍ୱାଇଁ ପାରୁପର୍ଯ୍ୟନ୍ତ ସାହାଯ୍ୟ କରୁଛନ୍ତି । ଏ କ୍ଷେତ୍ରରେ ଲୌରା ମଧ୍ୟ ନିଜ ବ୍ୟକ୍ତିଗତ ଉଦ୍ୟମରେ କିଛି ଅନୁଦାନ ଓଡ଼ିଶାରେ କୋଭିଡ୍‌ ପରିଚାଳନା ପାଇଁ ପଠାଇବାକୁ ସ୍ଥିର କରି କିଛି ମାସ ପୂର୍ବରୁ ଏକ ଯୋଜନା କରିଥିଲେ । ପିଗି ବ୍ୟାଙ୍କ୍‌ରେ ସଂଚୟ ରାଶି ନୁହେଁ ବରଂ ନିଜସ୍ୱ କଷ୍ଟ ଉପାର୍ଜିତ କିଛି ଟଙ୍କା ସେ ଓଡ଼ିଶା ପଠାଇବାକୁ ଚାହିଁଥିଲେ ।

ମା'ଙ୍କ ସହିତ ଆଲୋଚନା କରି ଆମେରିକାରେ ଭାରତୀୟ ଖାଦ୍ୟ (ସ୍ନାକ୍ସ)ର ହୋମ୍‌ ଡେଲିଭରି କରିବା ଆରମ୍ଭ କରିଥିଲେ ଲୌରା । ସିଙ୍ଗଡା, ଡାଲି କଚୁଡି, ଆଳୁ ଭୁଜିଆ, ଗୁଲାବ୍‌ଜାମୁ, ମିଲ୍‌କ୍‌ କେକ୍‌ ଆଦି ଡୋର୍‌ ଟୁ ଡୋର୍‌ ହୋମ୍‌ ଡେଲିଭରି କରି ଗତ କିଛି ମାସରେ ୧୨୫୦ ଡଲାର୍‌ ଯୋଗାଡ କରିବାକୁ ସକ୍ଷମ ହୋଇଛନ୍ତି ସେ । ଏହି ଟଙ୍କାକୁ ସେ "ଓଡ଼ିଶା ସୋସାଇଟି ଅଫ୍‌ ଆମେରିକା ହେଲ୍‌ଥ ଆଣ୍ଡ୍‌ ୱେଲ୍‌ନେସ୍‌ ଗ୍ରୁପ୍‌' ରେ ଡିପୋଜିଟ୍‌ କରିସାରିଛନ୍ତି । ବାକି ଟଙ୍କା ସଂଗ୍ରହ ପାଇଁ ନିଜ କାମ ଜାରି ରଖିଛନ୍ତି । ଆମେରିକାରେ ରହୁଥିବା ଓଡ଼ିଆ ଡାକ୍ତରଙ୍କ ଏହି ଗ୍ରୁପ୍‌ ଓଡ଼ିଶା କୋଭିଡ ପରିଚାଳନା ପାଇଁ ସହଯୋଗ କରିବାକୁ ଯୋଜନା କରିଛି । ଲୌରାଙ୍କ ଏଭଳି ସେବା ମନୋଭାବ ଅନେକଙ୍କୁ ପ୍ରେରଣା ଯୋଗାଇବ ବୋଲି କୁହାଯାଉଛି । ଇ-ମେଲ୍‌ ଜରିଆରେ ଏନେଇ ନିଜ ମତ ରଖି ଲୌରା କହିଛନ୍ତି, ମୋ କ୍ଷେତ୍ରରେ ଯାହା ସମ୍ଭବ ମୁଁ ଓଡ଼ିଶା ପାଇଁ କରିପାରିଥିବାରୁ ଗର୍ବିତ ଅନୁଭବ କରୁଛି । କେବଳ କରୋନା ପରିଚାଳନା ପାଇଁ ଟଙ୍କା ଏକଜୁଟ୍‌ କରିବା ନୁହେଁ, ବରଂ ଆମେରିକାରେ ଭାରତୀୟ ଖାଦ୍ୟର ପ୍ରଚାର, ପ୍ରସାର କରିବା ସହ ଏହାର ଲୋକପ୍ରିୟତା ବୃଦ୍ଧି ପାଇଁ ମୋର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଲୌରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.