ରାଜ୍ୟରେ ବାକି ପଡ଼ିଛି ୩୯୩୬ କୋଟିର ଜଳ କର

ଭୁବନେଶ୍ୱର,୨୮/୧୧: ରାଜ୍ୟରେ ୩୯୩୬ କୋଟି ଟଙ୍କାର ଜଳ କର ବାକି ପଡ଼ିଛି । ବିଭିନ୍ନ ଶିଳ୍ପ, ଖଣି, ବ୍ୟବସାୟିକ ସଂସ୍ଥା ଓ ରେଳବାଇ ଉପରେ ଏହି ଅନାଦେୟ କର ରାଶି ଝୁଲୁଛି । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ରଖି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଏହି ଉତ୍ତର ରଖିଛନ୍ତି ।

ମନ୍ତ୍ରୀ ଶ୍ରୀଦାସ କହିଛନ୍ତି, ୨୦୨୦ ମାର୍ଚ୍ଚ ସୁଦ୍ଧା ବକେୟା ଥିବା ଜଳ କରର ପରିମାଣ ୩୯୩୬.୮୬ କୋଟି। ଏଥିରୁ ଅନେକ ସଂସ୍ଥା ଧାର୍ଯ ହୋଇଥିବା ଜଳ କର ପରିମାଣକୁ ନେଇ ଅଦାଲତରେ ମାମଲା କରିଛନ୍ତି । ମାମଲା ରୁଜୁ କରିଥିବା ସଂସ୍ଥାଙ୍କ ଉପରେ ବକେୟା ଥିବା ଜଳ କରର ପରିମାଣ ୩୦୭୫.୫୫ କୋଟି । ତେବେ ମାମଲା ରୁଜୁ କରିଥିବା ଏହି ସଂସ୍ଥାଙ୍କଠାରୁ ଜଳ କର ପରିମାଣର ୫୦ପ୍ରତିଶତ ଆଦାୟ କରିବାକୁ ହାଇକୋର୍ଟରେ ମିସ୍‌ କେସ୍‌ ରୁଜୁ ହୋଇଛି । ବକେୟା ଜଳ କର ଆଦାୟ ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।