ବିଧାନସଭା ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ: ‘୫ ଟି’,‘ ମୋ ସରକାର’ ଗଢ଼ିବ ନୂଆ ଓଡ଼ିଶା

ଭୁବନେଶ୍ୱର ୧୫/୨: ଓଡ଼ିଶା ଏବେ ବିକାଶ ପଥରେ । ରାଜ୍ୟ ଆହୁରି ଆଗକୁ ଯିବ । ‘୫ ଟି’ ଓ ‘ ମୋ ସରକାର’ ଭଳି ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସଶକ୍ତ ଓ ନୂଆ ଓଡ଼ିଶା ଗଠନରେ ଏହା ବେଶ୍‌ ସାହାଯ୍ୟ କରିବ ।
ବିପର୍ଯ୍ୟୟ ମୁକାବିଲାରେ ଆମେ ଆନ୍ତର୍ଜାତିକ ମାନଦଣ୍ଡ ଛିଡ଼ା କରାଇଛୁ । ‘ଜାଗା ମିଶନ’ ଭଳି କାର୍ଯ୍ୟକ୍ରମ ପାଇଁ ଆମକୁ ମିଳିଛି ‘ ୱାଲର୍ଡ ହାବିଟାଟ୍‌ ଆୱାର୍ଡ’ । ପୁରୀକୁ ଐତିହ୍ୟନଗରୀ ଭାବେ ଗଢ଼ି ତୋଳିବାକୁ କାମ ହାତକୁ ନେଇଛି ମୋ ସରକାର ।

ବିଧାନସଭାର ବଜେଟ୍‌ ଅଧିବେଶନରେ ଆଜି ଏମିତି ରାଜ୍ୟ ସରକାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ତୁଣ୍ଡରେ ନିଜର ଆତ୍ମପ୍ରଶଂସା ଗାନ କରିଛନ୍ତି । ନିଜ ପିଠି ନିଜେ ଥାପୁଡ଼େଇଛନ୍ତି । ଗୋଲାପୀ ଓଡ଼ିଶାର ବ୍ଲୁପ୍ରିଣ୍ଟକୁ ନିଜ ଅଭିଭାଷଣରେ ରଖିଛନ୍ତି ରାଜ୍ୟପାଳ । ଚାଷୀ, ମହିଳା, ଜନଜାତିଙ୍କ ବିକାଶ ପାଇଁ ଅଭିନବ ଯୋଜନା ହାତକୁ ନେଇ ଓଡ଼ିଶା ଏବେ ଜାତୀୟସ୍ତରରେ ନୂଆ ଉହାହରଣ ସୃଷ୍ଟି କରିବାକୁ ଯାଉଛି ବୋଲି ରାଜ୍ୟପାଳ ଦାବି କରିଛନ୍ତି ।
ବଜେଟ୍‌ ଅଧିବେଶନର ପ୍ରଥମ ଦିନ ନିଜ ଅଭିଭାଷଣ ରଖି ରାଜ୍ୟପାଳ କହିଲେ, ମୋ ସରକାର ନାଗରିକକୈନ୍ଦ୍ରିକ ଶାସନ ବ୍ୟବସ୍ଥାକୁ ଏବେ ଆପଣାଇଛି । ପ୍ରଶାସନିକ ପ୍ରକ୍ରିୟାରେ ସାଧାରଣ ଲୋକଙ୍କ ଭାଗିଦାରିତା ଉପରେ ଜୋର୍‌ ଦିଆଯାଉଛି। ଓଡ଼ିଶାକୁ ବିକାଶର ନୂଆ ଶିଖରକୁ ନେବାକୁ ‘ ୫ ଟି’ (ଟେକନୋଲୋଜି, ଟ୍ରାନ୍ସପରେନ୍ସି, ଟିମୱାର୍କ, ଟାଇମ୍‌ ଓ ଟ୍ରାନସଫରମେସନ୍‌) ଏବେ ହେଉଛି ମୂଳମନ୍ତ୍ର । ଉତ୍ସର୍ଗୀକୃତ ମନୋଭାବ ନେଇ ରାଜ୍ୟବାସୀଙ୍କ ସାମଗ୍ରିକ ବିକାଶ ପାଇଁ ସରକାର କାମ କରୁଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି ।

ସରକାରଙ୍କ ସଫଳତାର କାହାଣୀକୁ ଅଭିଭାଷଣରେ ରଖି ରାଜ୍ୟପାଳ କହିଲେ, ରାଜ୍ୟରେ ଚାଷୀଙ୍କ ଆୟ ଦୁଇଗୁଣା ଡେଇଁଛି । ଚାଷୀଙ୍କ ଆୟ ବହୁଗୁଣିତ କରିବାକୁ ସରକାର ନୂଆ ପଦକ୍ଷେପ ନେଉଛନ୍ତି । ସରକାର ‘କାଳିଆ’ ଯୋଜନାରେ ଆସନ୍ତା ବର୍ଷ ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର ସହ ୨୫ ଲକ୍ଷ ଭୂମିହୀନ କୃଷକ ପରିବାରଙ୍କୁ ସହାୟତା ଯୋଗାଇ ଦିଆଯିବ । ୧୧ ଜିଲ୍ଲାର ୫୫ ବ୍ଲକରେ ‘ଓଡ଼ିଶା ମିଲେଟ୍‌ ମିଶନ’ର ଶୁଭାରମ୍ଭ ହୋଇଛି । ଚାଷୀଙ୍କ ପାଇଁ ସୌର ଜଳନିଧି କାର୍ଯ୍ୟକାରୀ ହେବା ସହ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ’ ଯୋଜନା କାର୍ଯ୍ୟକାରୀ ହୋଇଛି । ଆସନ୍ତା ଆର୍ଥିକ ବର୍ଷରେ ୧.୮୪ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ । ୨୦୦ କ୍ଷୁଦ୍ର ଜଳସେଚନ ଭଣ୍ଡାରର ଉନ୍ନତୀକରଣ କାର୍ଯ୍ୟ ହାତକୁ ନିଆଯିବ ।

ରାଜ୍ୟପାଳ କହିଲେ, ୨୦୧୮-୧୯ ଖରିଫରେ ସରକାର ରେକର୍ଡ ୬୫.୫୦ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିଛନ୍ତି। ଏ ବାବଦରେ ଚାଷୀଙ୍କ ଆକାଉଣ୍ଟକୁ ୧୧,୪୬୪ କୋଟି ଟଙ୍କା ଜମା କରାଯାଇଛି । ଗ୍ରାମାଞ୍ଚଳରେ ସବୁ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ଅଗ୍ରାଧିକାର ଦିଆଯାଉଛି । ରାଜ୍ୟ ସରକାର ଗରିବଙ୍କ ପାଇଁ ୨୩ ଲକ୍ଷରୁ ଉଧ୍ୱର୍ ପକ୍କାଘର ନିର୍ମାଣ କରିଛନ୍ତି । ରାଜ୍ୟର ସମସ୍ତ ବାସହୀନଙ୍କୁ ଘର ଯୋଗାଇ ଦିଆଯିବ । କଚ୍ଚାଘରକୁ ପକ୍କା କରାଯିବ । ସ୍ୱାସ୍ଥ୍ୟସେବାରେ ମଧ୍ୟ ସରକାର ମାଇଲଖୁଣ୍ଟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । କଟକ ବଡ଼ ମେଡିକାଲକୁ ବିଶ୍ୱସ୍ତରୀୟ ହସପିଟାଲ ଭାବେ ଗଢ଼ିତୋଳିବାକୁ କାମ ହାକତୁ ନିଆଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି । ଖୁବଶୀଘ୍ର ୧୪୦୩ ନୂଆ ଡାକ୍ତର ନିଯୁକ୍ତି ପାଇବେ । ବିଜୁ ସ୍ୱାସ୍ଥ୍ୟ କଲ୍ୟଣେ ଯୋଜନାରେ ମାଗଣା ସ୍ୱାସ୍ଥ୍ୟସେବା ମିଳୁଛି । ମ୍ୟାଲେରିଆ ଦ୍ରୁତ ହ୍ରାସରେ ପ୍ରଚଳିତ ଓଡ଼ିଶା ମଡେଲ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସମଗ୍ର ବିଶ୍ୱରେ ସ୍ୱୀକୃତି ପାଇଛି । ମହିଳା ସଶକ୍ତିକରଣ ସରକାରଙ୍କ ଅଗ୍ରାଧିକାର ତାଲିକାରେ ଅଛି । ୪୮ ଲକ୍ଷ ୩୮ ହଜାର ୫୪୮ ଜଣଙ୍କୁ ସାମାଜିକ ସୁରକ୍ଷା ପେନସନ ଯୋଗାଇ ଦିଆଯାଉଛି ।

ରାଜ୍ୟପାଳ ଗୃହକୁ ଅବଗତ କରି କହିଲେ, ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମବାର୍ଷିକୀକୁ ମୋ ସରକାର ନିଷ୍ଠାର ସହ ପାଳନ କରୁଛନ୍ତି । ବରୁଣେଇ ପାଦଦେଶରେ ପାଇକ ସ୍ମାରକୀ ପାଇଁ ସରକାର ଦେଇଛନ୍ତି ୧୦ ଏକର ଜମି । ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କାମ ହାତକୁ ନିଆଯାଇଛି । ନୂଆକରି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଗଠନ କରାଯାଇଛି । ୨୩, ୮୫୦ କୋଟି ଟଙ୍କାରେ ୧ ଲକ୍ଷ ୫ ହଜାର ଲାପଟପ ମେଧାବୀଙ୍କୁ ବଣ୍ଟନ କରାଯାଇଛି ।

ରାଜ୍ୟ ଋଣଗ୍ରସ୍ତ ଅବସ୍ଥାରୁ ଆସି ଋଣ ସ୍ଥିରତା ହାସଲ କରିପାରିଛି । ରାଜସ୍ୱପ୍ରାପ୍ତି ଓ ଦେୟ ସୁଧ ଅନୁପାତ ୨୦୧୮-୧୯ ବର୍ଷରେ ୫.୮ ପ୍ରତିଶତକୁ ହ୍ରାସ ପାଇଛି । ‘ଫୋନି’ରେ କ୍ଷତିଗ୍ରସ୍ତ ପୁରୀ ସହରକୁ ଐତିହ୍ୟନଗରୀ ଭାବେ ଗଢ଼ି ତୋଳିବାକୁ ୨୩୦୮ କୋଟି ଟଙ୍କା ମୂଲ୍ୟର ୧୫ଟି ପ୍ରକଳ୍ପକୁ ମଞ୍ଜୁର କରାଯାଇଛି । ଆଗକୁ ଆଉ ୯୦୦ କୋଟିରେ ୬ଟି ପ୍ରକଳ୍ପ ନିର୍ମାଣ କରାଯିବ । ମହିଳାମାନଙ୍କ ହାତକୁ କାମଧନ୍ଦା ଯୋଗାଇବାକୁ ସେମାନଙ୍କୁ ଜଳସାଥୀ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସ୍ୱଚ୍ଛସାଥୀ ଭାବେ ନିଯୁକ୍ତି ମିଳିବ । ଇଜ୍‌ ଅଫ ଡୁଇଙ୍ଗ ବିଜିନେସ୍‌କୁ ନିଶ୍ଚିତ କରିବାକୁ ଗୋ ସ୍ୱିଫ୍ଟ, ଗୋ ସ୍ମାଇଲ୍‌, ଗୋ ପ୍ଲସ୍‌ ଓ ଗୋ କେୟାର ଅନଲାଇନ୍‌ ପୋର୍ଟାଲକୁ ବିକଶିତ କରାଯାଇଛି । ମେକ୍‌ ଇନ ଓଡ଼ିଶାର ୩ୟ ସଂସ୍କରଣ ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୨ ଯାଏ ଅନୁଷ୍ଠିତ ହେବ । ଏହା ରାଜ୍ୟକୁ ଅଧିକ ନିବେଶ ଟାଣିବ । ରାଜ୍ୟରେ ୪.୨ ଲକ୍ଷ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଜରିଆରେ ୨୦ ଲକ୍ଷ କୋଟି ନିବେଶରେ ୧୬ ଲକ୍ଷ କର୍ମନିଯୁକ୍ତି ସୃଷ୍ଟି ହୋଇଛି । ବୈଷୟିକ ଶିକ୍ଷାକୁ ଅଗ୍ରାଧିକାର ଦିଆଯିବା ସହ କୃତ୍ରିମ ବୁଦ୍ଧିମତା ଓ ମେସିନ ଲର୍ଣ୍ଣିଂ କ୍ଷେତ୍ରରେ ଏକ ଉତ୍କର୍ଷ ସାଧନ କେନ୍ଦ୍ର ସ୍ଥାପନ କରିଛନ୍ତି ।

ରାଜ୍ୟରେ ରେଳପଥ ବୃଦ୍ଧି, ବିମାନ ଅବତରଣ ପଡ଼ିଆ ଓ ରନୱେର ଉନ୍ନତି ସହ ବନ୍ଦର ନିର୍ମାଣକୁ ମଧ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି । ୨୦୨୦ରେ ‘ ଶାମୁକା ବେଳାଭୂମି ପ୍ରକଳ୍ପ’ କାର୍ଯ୍ୟକାରୀ ହେବ । କୋଣାର୍କରେ ଇକୋ ରିଟ୍ରିଟ୍‌ ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ବହୁ ପ୍ରଶଂସିତ ହୋଇଛି । ଏଣିକି ନିଜସ୍ୱ ସ୍ୱୀକାରୋକ୍ତିରେ ଜାତି ଓ ଆୟ ପ୍ରମାଣପତ୍ର ମିଳୁଛି । ଇ-ପାଉତି ପୋର୍ଟାଲରେ ଏବେ ଅନଲାଇନରେ ଖଜଣା ଦାଖଲ କରିହେଉଛି । ଓଡ଼ିଶା ଲୋକସେବା ଅଧିକାର ନିୟମରେ ୨୫ ବିଭାଗର ୩୪୧ ଜନସେବାକୁ ଲୋକଙ୍କ ସୁବିଧା ପାଇଁ ପ୍ରଦାନ କରାଯାଇଛି ।

ରାଜପାଳ ପ୍ରଫେସର ଲାଲ କହିଲେ, ଓଡ଼ିଶା ଲୋକାୟୁକ୍ତ ନିୟମ ପ୍ରଣୟନ ହେବାଠାରୁ ଜଣେ ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ନେଇ ଓଡ଼ିଶା ଲୋକାୟୁକ୍ତ କାର୍ଯ୍ୟ କରୁଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଏବେ ନୂଆ କୀର୍ତ୍ତିମାନ ସ୍ଥାପନ କରୁଛି । ୨୦୨୩ ବିଶ୍ୱକପ ହକି ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ । ଭୁବନେଶ୍ୱରରେ ଏକ ଆନ୍ତର୍ଜାତିକମାନର ଆକ୍ୱାଟିକ୍‌ ସ୍ପୋର୍ଟସ କଂପ୍ଲେକ୍ସ ସହ ବ୍ରହ୍ମପୁର, ସମ୍ବଲପୁର, କଟକ ଓ ରାଉରକେଲାରେ ସାଟେଲାଇଟ୍‌ ଷ୍ଟାଡିୟମ୍‌ ନିର୍ମାଣ କରାଯିବ ।

ଶେଷରେ ରାଜ୍ୟପାଳ କହିଲେ, ଓଡ଼ିଶାକୁ ଅଧିକ ସମୃଦ୍ଧ କରିବାକୁ ମୋ ସରକାର ସଂକଳ୍ପବଦ୍ଧ ହୋଇ କାମ କରୁଛି । ପ୍ରତ୍ୟେକ ବର୍ଗର ଲୋକଙ୍କୁ ସଶକ୍ତ କରିବା ହେଉଛି ମୋ ସରକାରର ଲକ୍ଷ୍ୟ ।

   ସମ୍ବନ୍ଧିତ ଖବର


ଅଢ଼େଇ ଲକ୍ଷ ଟଙ୍କାର ଧଳାଜହର ଜବତ: ନିଶାରାଣୀ ସାରା ଓ ସହଯୋଗୀ ଗିରଫ

୨୨ ବର୍ଷ ହେଲା ଚମଡ଼ା ନିଗମରେ ତାଲା: ଦୀର୍ଘ ବର୍ଷ ହେବ ପାଉଣା ଅପେକ୍ଷାରେ କର୍ମଚାରୀ

ନନ୍ଦନକାନନ ବ୍ୟାଟେରି ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଦମ୍ପତିଙ୍କୁ ଧକ୍କାଦେଇ ବେଞ୍ଚକୁ ପିଟିଲା, ୬ ପର୍ଯ୍ୟଟକ ଆହତ

ମାଓବାଦୀ କମଳୁ ବେଟିଙ୍କ ଘରବାହୁଡ଼ା, ମୁଣ୍ଡ ଉପରେ ଥିଲା ୫ଲକ୍ଷ ଟଙ୍କାର ପୁରସ୍କାର