ନବ ନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ୨୧ରେ, ସରକାରଙ୍କୁ ମାଟ୍ରିକ ପରୀକ୍ଷା ଚିନ୍ତା

source:www.dnaindia.com
ଭୁବନେଶ୍ୱର,୧୯ ।୨(ବ୍ୟୁରୋ): ଆମକୁ ଦିଅ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ । ଏମିତି ଦାବିରେ ଆସନ୍ତା ୨୧ (ଗୁରୁବାର) ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ନବନିର୍ମାଣର ଏ ବନ୍ଦ ଡାକରାକୁ ବିରୋଧୀ କଂଗ୍ରେସ ଓ ବିଜେପି ସମର୍ଥନ ଦେଇଛନ୍ତି । ତେଣୁ ଓଡ଼ିଶା ବନ୍ଦର ପ୍ରଭାବ ଯେ ଅନୁଭୂତ ହେବ ତାହା ସ୍ପଷ୍ଟ । ମାତ୍ର ପରଦିନ ୨୨ (ଶୁକ୍ରବାର)ରେ ଗୁରୁତ୍ୱପୂର୍ଣ୍ଣ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଅଛି । ତେଣୁ ସରକାର ଚିନ୍ତାରେ ପଡ଼ିଛନ୍ତି । ସୁରୁଖୁରୁରେ କିଭଳି ମାଟ୍ରିକ ପରୀକ୍ଷା ସଂପନ୍ନ ହେବ, କେନ୍ଦ୍ରରେ ଠିକ୍ ସମୟରେ ପ୍ରଶ୍ନପତ୍ର ପହଞ୍ଚିବ ଏହାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚାପରେ ଅଛି । ପରୀକ୍ଷାର୍ଥୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜ୍ୟ ସରକାର ରବିବାର ଅନୁରୋଧ କରିଥିଲେ । ମାତ୍ର ପ୍ରତ୍ୟାହାରର ପ୍ରଶ୍ନ ଉଠୁନି ବୋଲି ସଂଗଠନ ରୋକଠୋକ୍ କହିବା ପରେ ଆଜି ସରକାର ନାଲିଆଖି ଦେଖାଇଛନ୍ତି । ସଂଗଠନ ଯଦି ବନ୍ଦ ଡାକରାରେ ଅଟଳ ରୁହେ ତେବେ ସରକାର ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚେତାବନୀ ଦେଇଛନ୍ତି ।
ନବ ନିର୍ମାଣ ସଂଗଠନର ବନ୍ଦ ଡାକରା ରାଜ୍ୟର ୬ ଲକ୍ଷ ପରୀକ୍ଷାର୍ଥୀଙ୍କ ସହ ଖେଳ ବୋଲି ବିଜେଡି ଅଭିଯୋଗ କରିଛି । ଚାଷୀଙ୍କ ନାଁରେ ବିଜେପି ଓ କଂଗ୍ରେସ କେବଳ ଲୁଚକାଳି ଖେଳୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ବିଜେପି କହିଛି, ସବୁ ସମୟରେ ବିଜେପି ସରକାର ଚାଷ ଓ ଚାଷୀଙ୍କୁ ପ୍ରାଧାନ୍ୟ ଦେଇ ଆସିଛି । ତେଣୁ ଆମେ ନବ ନିର୍ମାଣ ସଂଗଠନର ବନ୍ଦ ଡାକରାକୁ ସମର୍ଥନ ଦେଉଛୁ । ଚାଷୀଙ୍କ ସ୍ୱାର୍ଥ ପାଇଁ ବନ୍ଦ ଡାକରାକୁ ସମର୍ଥନ ଦେଉଥିବା କଂଗ୍ରେସ ମଧ୍ୟ ସ୍ପଷ୍ଟ କରିଛି ।
ନିଜ ହକ୍ ନେଇ ନବ ନିର୍ମାଣ କୃଷକ ସଂଗଠନ ୨୧ରେ ଓଡ଼ିଶା ବନ୍ଦ ଡାକରା ଦେଇଛି । ସମଗ୍ର ରାଜ୍ୟରେ ସଂଗଠନ ପକ୍ଷରୁ ଆନ୍ଦୋଳନକୁ ତୀବ୍ରତର କରାଯିବ । ସାରା ରାଜ୍ୟରେ ରାସ୍ତା ଅବରୋଧ ସହ ଯାନବାହନ, ରେଳ ଚଳାଚଳ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବାକୁ ସଂଗଠନ ଘୋଷଣା କରିଛି । ହେଲେ ମାଟ୍ରିକ ପରୀକ୍ଷା ପରିଚାଳନା ପାଇଁ ଏହାର ପୂର୍ବଦିନ ଅର୍ଥାତ୍ ୨୧ ରେ ପରୀକ୍ଷାର ପ୍ରଶ୍ନପତ୍ର ଓ ଉତ୍ତର ଖାତା ସମସ୍ତ କେନ୍ଦ୍ରକୁ ପଠାଯିବାର କାର୍ଯ୍ୟକ୍ରମ ରହିଛି । ପ୍ରାୟ ୬ ଲକ୍ଷ ପରୀକ୍ଷାର୍ଥୀ, ଅଭିଭାବକ ଓ ଶିକ୍ଷାନୁଷ୍ଠାନର କର୍ମଚାରୀମାନେ ପରୀକ୍ଷା କେନ୍ଦ୍ରକୁ ଯାତାୟାତ କରାଯିବ । ବନ୍ଦ ଡାକରା ଯୋଗୁଁ ଏହା ପ୍ରଭାବିତ ହୋଇପାରେ । ତେଣୁ ପରୀକ୍ଷାର୍ଥୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସଂଗଠନ ବନ୍ଦ ଡାକରାରୁ ନିବୃତ୍ତ ରହିବାକୁ ସରକାର ଅନୁରୋଧ କରିଥିଲେ । ମାତ୍ର ଏହାକୁ ନବ ନିର୍ମାଣ କୃଷକ ସଂଗଠନ ନେତା ଅକ୍ଷୟ କୁମାର ଖାରଜ କରିଛନ୍ତି । ସେ କହିଛନ୍ତି, ସରକାରଙ୍କ ଏହା ଏକ ବାହାନା । ଚାଷୀଙ୍କ ଧମକରେ ସରକାର ଡରିଯାଇଛନ୍ତି । ଓଡି଼ଶା ବନ୍ଦ ଦିନ ସରକାରଙ୍କ ନିବେଦନକୁ ଆମେ ଧ୍ୟାନ ଦେବୁ । ସମସ୍ତ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ଗାଡ଼ିକୁ ବାଟରେ ଅଟକାଯିବନି । ପରୀକ୍ଷାର୍ଥୀ ଓ ତାଙ୍କ ଅଭିଭାବକଙ୍କୁ ମଧ୍ୟ ଛଡାଯିବ । ତେବେ ତଳସ୍ତରରେ କେତେଦୂର ଏହା କାର୍ଯ୍ୟକାରୀ ହେବ ତାହାକୁ ନେଇ ସରକାର ଆଶଙ୍କାରେ ଅଛନ୍ତି । ତେଣୁ ମଙ୍ଗଳବାର ସରକାର ଆନ୍ଦୋଳନରୁ ନିବୃତ୍ତ ରହିବାକୁ ଧମକ ଦେଇଛନ୍ତି ।
ବାରମ୍ବାର ମାଟ୍ରିକ୍ ପରୀକ୍ଷାରେ ବିଭ୍ରାଟକୁ ରୋକିବାକୁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଚଳିତ ମାଟ୍ରିକ୍ ପରୀକ୍ଷାକୁ ସୁରୁଖୁରରେ ସାରିବାକୁ ଆକ୍ସନ ପ୍ଲାନ ତିଆରି କରିଛନ୍ତି । ଏଣିକି ଆଗୁଆ ପ୍ରଶ୍ନପତ୍ର କେନ୍ଦ୍ରକୁ ନପଠାଇ ପରୀକ୍ଷା ଦିନ ସକାଳୁ ପଠାଯିବ ବୋଲି ନିଷ୍ପତ୍ତି ହୋଇଛି । ମାତ୍ର ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ପହଞ୍ଚିବା ସହ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀଙ୍କ ଯିବା ନେଇ ସମସ୍ୟା ଉପୁଜିପାରେ ।
ଏ ବନ୍ଦ ଡାକରାକୁ ବିଜେଡି ସାଂସଦ ପ୍ରତାପ କେଶରୀ ଦେବ ସମାଲୋଚନା କରି କହିଛନ୍ତି, ପ୍ରଧାନମନ୍ତ୍ରୀ ମାଟ୍ରିକ ପରୀକ୍ଷା ନେଇ ପିଲାଙ୍କୁ ଟିପ୍ସ ଦେଉଛନ୍ତି । ମାତ୍ର ଏପଟେ ୬ ଲକ୍ଷ ପିଲାଙ୍କ ପରୀକ୍ଷା ବେଳେ ବିଜେପି ଆନ୍ଦୋଳନକୁ ସମର୍ଥନ ଦେଉଛି । ବିଜେପି ସରକାର ଚାଷୀଙ୍କ ଦାବି ପ୍ରାଇସ୍ ନେଇ ବିଚାର କରୁନି କାହିଁକି? ଆମେ ଧାନର ଏମ୍ଏସ୍ପି ବୃଦ୍ଧି ନେଇ ପ୍ରସ୍ତାବ ଦେଇଥିଲା ବେଳେ କେନ୍ଦ୍ର ବିଚାର କରୁନି । ତେଣୁ ଏ ଚାଷୀ ଆନ୍ଦୋଳନର ଏବେ ରାଜନୀତିକରଣ ହୋଇଛି । ବିଜେପି ଓ କଂଗ୍ରେସ ନବ ନିର୍ମାଣ ସହ ରହି ରାଜନୀତି କରୁଛନ୍ତି । ଚାଷୀଙ୍କ ପାଇଁ ମିଛ କୁମ୍ଭୀରକାନ୍ଦଣା କାନ୍ଦି ମାଟ୍ରିକ ପରୀକ୍ଷାର୍ଥୀଙ୍କ କ୍ୟାରିୟର ସହ ଖେଳୁଛନ୍ତି ।
ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ଚାଷୀଙ୍କ ସହ ବିଜେପି ଥିଲା ଓ ଅଛି । ବିଜେଡି ସରକାର କୃଷକମାନଙ୍କ ହିତରେ ଅଛି କହିବା ହାସ୍ୟାସ୍ପଦ ଘଟଣା । ଚାଷୀ ଯେତେବେଳେ ତାର ଦାବି ଜଣାଇବାକୁ ଚାହୁଁଛି ରାଜ୍ୟ ସରକାର ସେମାନଙ୍କୁ ରାଜଧାନୀ ଭିତରେ ପୂରାଇ ଦେଉନାହାଁନ୍ତି । ଏଭଳି ସ୍ତରରେ ବିଜେପି ନୈତିକ ସମର୍ଥନ ଦେଉଛି । କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଛନ୍ତି, ରାଜ୍ୟ ସରକାର ଚାଷୀଙ୍କ ସହ ଖେଳୁଛନ୍ତି । ତେଣୁ କଂଗ୍ରେସ ଏ ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ଦେଉଛି ।