PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

୧୪ ଶିଳ୍ପ ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ପୂର୍ବଭାରତର ଉତ୍ପାଦନ ହବ୍‌ ହେବାକୁ ଧାଉଁଛି ଓଡ଼ିଶା

ଭୁବନେଶ୍ବର: ମୋ ସରକାରର ସ୍ଥିର ନୀତି ଏବଂ ଅନୁକୂଳ ବାତାବରଣ ଯୋଗୁ ଓଡ଼ିଶାରେ ଶିଳ୍ପ ସଂସ୍ଥାଗୁଡ଼ିକ ଅଭିବୃଦ୍ଧି ହାସଲ କରୁଛନ୍ତି । ‘ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌’ ପାଇଁ ବିଭିନ୍ନ ବିଭାଗ ନେଉଥିବା ସଂସ୍କାର ବ୍ୟବସାୟିକ ଉଦ୍ୟୋଗଗୁଡ଼ିକର ନିରନ୍ତର ପ୍ରଗତିକୁ ସୁନିଶ୍ଚିତ କରୁଛି । ଏ ସବୁ ଦୃଷ୍ଟିରୁ ଓଡ଼ିଶା ଏକ ପ୍ରମୁଖ ନିବେଶ ସ୍ଥଳରେ ପରିଣତ ହୋଇଛି । ସେହିଭଳି ପୂର୍ବଭାରତର ଏକ ପ୍ରମୁଖ ଉତ୍ପାଦନ ହବ୍‌ ହେବା ପାଇଁ ଦ୍ରୁତ ଗତିରେ ଧାଉଁଛି ଓଡ଼ିଶା ।

ରାଜ୍ୟର ବିଭିନ୍ନ ସ୍ଥାନରେ ୧୪ଟି ଶିଳ୍ପ ପ୍ରକଳ୍ପକୁ ଶୁକ୍ରବାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କହିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ମୁଖ୍ୟମନ୍ତ୍ରୀ ୩ଟିକୁ ଉଦ୍‌ଘାଟନ କରିଥିବା ବେଳେ ୧୧ଟିର ଶିଳାନ୍ୟାସ କରିଛନ୍ତି । ଏ ସବୁ ପ୍ରକଳ୍ପରେ ମୋଟ ୧,୫୩୭ କୋଟି ଟଙ୍କା ନିବେଶ ହେବ । ରାଜ୍ୟରେ ଏହାଦ୍ୱାରା ୩,୭୭୩ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ୩ଟି ପ୍ରକଳ୍ପରେ ମୋଟ ୪୩୬ କୋଟି ଟଙ୍କା ନିବେଶ ହୋଇଥିବା ବେଳେ ଅନ୍ୟ ୧୧ଟି ପ୍ରକଳ୍ପରେ ୧,୧୦୦ କୋଟି ଟଙ୍କା ନିବେଶ ହେବ । ଏହି ୧୪ଟି ପ୍ରକଳ୍ପ ବୟନଶିଳ୍ପ, ପୋଷାକପତ୍ର, ସାର, ଅକ୍ଷୟ ଶକ୍ତି, ଖାଦ୍ୟ ପ୍ରକ୍ର୍ରିୟାକରଣ ଏବଂ ଆବର୍ଜନା ପରିଚାଳନା କ୍ଷେତ୍ର ଅଧୀନରେ ଆସୁଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିଳ୍ପ ସଂସ୍ଥାଗୁଡ଼ିକୁ ଧନ୍ୟବାଦ ଜଣାଇଛନ୍ତି । ବର୍ତ୍ତମାନର କୋଭିଡ ମହାମାରୀ ସ୍ଥିତିରେ ସଂସ୍ଥାଗୁଡ଼ିକର ଏ ପ୍ରକାର ସହଯୋଗ ପାଇଁ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଆମ ଶିଳ୍ପ ସଂସ୍ଥାଗୁଡ଼ିକ କେବଳ ଅର୍ଥନୈତିକ ବିକାଶ ଦିଗରେ ରାଜ୍ୟ ସରକାରଙ୍କ ସହ ସକ୍ରିୟ ଭାବେ ଜଡ଼ିତ ରହିନାହାନ୍ତି । ବରଂ ସେମାନେ ସାମାଜିକ ଦାୟିତ୍ୱ ବି ନିର୍ବାହ କରୁଛନ୍ତି । ମହାମାରୀର ଦ୍ୱିତୀୟ ଲହରରେ ସମଗ୍ର ଦେଶରେ ମେଡିକାଲ ଅକ୍ସିଜେନ୍‌ର ଘୋର ଅଭାବ ପରିଲକ୍ଷିତ ହୋଇଥିଲା ।

ଏଭଳି ପରିସ୍ଥିତିରେ ଓଡ଼ିଶା ସକ୍ରିୟ ଭାବେ ଆଗକୁ ଆସି ଅନ୍ୟ ରାଜ୍ୟଗୁଡ଼ିକୁ ସହାୟତାର ହାତ ବଢ଼ାଇଥିଲା । ରାଜ୍ୟଗୁଡ଼ିକୁ ପାରୁପର୍ଯ୍ୟନ୍ତ ମେଡିକାଲ ଅକ୍ସିଜେନ୍‌ ଯୋଗାଇଥିଲା । ଏହି ସମୟରେ ବିଭିନ୍ନ ଶିଳ୍ପ ସଂସ୍ଥା ଆଗେଇ ଆସି ମେଡିକାଲ ଅକ୍ସିଜେନ୍‌, ଟ୍ୟାଙ୍କର, ଜେନେରେଟର, ସିଲିଣ୍ଡର ଓ ଜରୁରି ଉପକରଣ ଆଦି ଯୋଗାଇଥିଲେ । ଏଭଳି ପରୀକ୍ଷା ସମୟରେ ଆମକୁ ସହଯୋଗ କରିଥିବା ତମାମ କର୍ପୋରେଟ୍‌ଗୁଡ଼ିକୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ନିବେଶକଙ୍କ ପାଇଁ ଉନ୍ନତ ବ୍ୟବସାୟିକ ବାତାବରଣ ପ୍ରଦାନ ଲାଗି ସରକାର ପ୍ରତିଶ୍ରୁତିବଦ୍ଧ । ସେମାନେ ଯେମିତି ସୁରୁଖୁରୁରେ ବ୍ୟବସାୟ କରିବେ, ସେଥିପାଇଁ ଆମେ ଅହରହ ଉଦ୍ୟମ ଚଳାଇଛୁ । ଏମିତି କି ବର୍ତ୍ତମାନର କୋଭିଡ ମହାମାରୀର ପ୍ରତିକୂଳ ପରିସ୍ଥିତିରେ ରାଜ୍ୟ ଆଖିଦୃଶିଆ ନିବେଶ ଟାଣିଛି ଏବଂ ନିବେଶକଙ୍କ ବିଶ୍ୱାସ ହାସଲ କରିଛି । ଆଜିର କାର୍ଯ୍ୟକ୍ରମରେ ଆମେ ବିଭିନ୍ନ କ୍ଷେତ୍ରରେ ନୂଆ ଶିଳ୍ପ ପ୍ରକଳ୍ପ ଶୁଭାରମ୍ଭ କରିଛୁ । ଅକ୍ଷୟ ଶକ୍ତିଠାରୁ ଆରମ୍ଭ କରି ଖାଦ୍ୟ ପ୍ରକ୍ର୍ରିୟାକରଣ, ଆବର୍ଜନା ପରିଚାଳନା ପର୍ଯ୍ୟନ୍ତ କ୍ଷେତ୍ରରେ ଏହି ପ୍ରକଳ୍ପଗୁଡ଼ିକ ଲମ୍ବିଛି । ବିଭିନ୍ନ କ୍ଷେତ୍ରରୁ ନିବେଶ ହାସଲ ପାଇଁ ଆମେ ଯେଉଁ ନିରନ୍ତର ଉଦ୍ୟମ ଚଳାଇଛୁ ଏବଂ ସେହି ଅନୁସାରେ ଯେଉଁ ପଦକ୍ଷେପ ନେଉଛୁ, ଏହା ତାହାର ପ୍ରତିଫଳନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଜି ଉଦ୍‌ଘାଟିତ ୩ଟି ପ୍ରକଳ୍ପ ମଧ୍ୟରେ ବଲାଙ୍ଗିରରେ ଆଦିତ୍ୟ ବିର୍ଲା ରିନ୍ୟୁଏବଲ୍ସ ଲିମିଟେଡ୍‌ର ସୌର ଶକ୍ତି ପ୍ଲାଣ୍ଟ ରହିଛି । ଏଥିରେ ନିବେଶ ପରିମାଣ ୩୫୨.୫୦ କୋଟି ଟଙ୍କା ଥିବା ବେଳେ ୮୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ନେଇ ଆଶା କରାଯାଉଛି । ସେହିଭଳି ଝାରସୁଗୁଡ଼ାର ବଞ୍ଜାରିରେ ରୁନାୟା ରିଫାଇନିଙ୍ଗ୍‌ ଏଲ୍‌ଏଲ୍‌ପିର ଏକ ଆଲୁମିନିୟମ୍‌ ଡ୍ରସ୍‌ ରିଫାଇନିଂ ୟୁନିଟ୍‌ ଉଦ୍‌ଘାଟନ କରାଯାଇଛି । ଏଥିରେ ନିବେଶ ପରିମାଣ ୬୪.୪୩ କୋଟି ଟଙ୍କା ଥିବାବେଳେ ଏହା ଦ୍ୱାରା ୧୭୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ତୃତୀୟ ପ୍ରକଳ୍ପଟି ହେଉଛି ୱାଇଲ୍‌ଡ ଲୋଟସ୍‌ ଫ୍ୟାସନ୍ସ ପ୍ରା. ଲି.ର ପୋଷାକପତ୍ର ଉତ୍ପାଦନ ୟୁନିଟ୍‌ । ଖୋର୍ଦ୍ଧାର ଛତାବରଠାରେ ସ୍ଥାପିତ ଏହି ୟୁନିଟ୍‌ରେ ୨୦ କୋଟି ଟଙ୍କା ନିବେଶ ହୋଇଥିବା ବେଳେ ୭୮୩ ଜଣଙ୍କୁ ନିଯୁକ୍ତି ମିଳିପାରିବ ।

ଏହାବ୍ୟତୀତ ଅନ୍ୟ ୧୧ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ । ତନ୍ମଧ୍ୟରେ ଇଫ୍‌କୋର ସଲ୍‌ଫ୍ୟୁରିକ୍‌ ଏସିଡ୍‌ ସମ୍ପ୍ରସାରଣ ୟୁନିଟ୍‌ ରହିଛି । ଜଗତ୍‌ସିଂହପୁରର ପାରାଦୀପରେ ହେବାକୁ ଥିବା ଏହି ପ୍ରକଳ୍ପରେ ୪୦୦ କୋଟି ଟଙ୍କା ନିବେଶ ହେବ ଏବଂ ୨୧ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସୁନ୍ଦରଗଡ଼ର ଲହୁଣିପଡ଼ାରେ କେଏଆଇ ଇଣ୍ଟରନ୍ୟାସନାଲ୍‌ ପ୍ରା. ଲି.ର ୧.୫୦ ଏମ୍‌ଟିପିଏ ଆଇରନ୍‌ ଓର୍‌ ବେନିଫିସିଏସନ୍‌ ପ୍ଲାଣ୍ଟ ଏବଂ ୧.୨୦ ଏମ୍‌ଟିପିଏ ପେଲେଟ୍‌ ପ୍ଲାଣ୍ଟ ରହିଛି । ଏଥିରେ ୨୬୫.୭୨ କୋଟି ଟଙ୍କା ନିବେଶ ହେବାକୁ ଥିବା ବେଳେ ୪୭୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।

କଟକର ଖୁଣ୍ଟୁଣିରେ ସୁପ୍ରିମ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଦ୍ୱାରା ୧୫୧.୩୦ କୋଟି ଟଙ୍କା ପୁଞ୍ଜିନିବେଶରେ ଏକ ପ୍ଲାଣ୍ଟ ସ୍ଥାପନ ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ଏଥିଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ଲାଣ୍ଟରେ ପ୍ଲାଷ୍ଟିକ୍‌ ପାଇପ୍‌, ପିଭିସି ୱାଟର ଷ୍ଟୋରେଜ ଟ୍ୟାଙ୍କ ଓ ଆନୁଷଙ୍ଗିକ ପ୍ଲାଷ୍ଟିକ୍‌ ସାମଗ୍ରୀ ଉତ୍ପାଦନ କରାଯିବ । ଏଥିରେ ୩୨୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ବିସ୍କୁଟ୍‌, କେକ୍‌ ଓ ଅନ୍ୟାନ୍ୟ ବେକରି ଉତ୍ପାଦ ବିନିର୍ମାଣ ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ ଶିଳାନ୍ୟାସ କରାଯାଇଛି । ଏଥିରେ ୯୩.୬୦ କୋଟି ଟଙ୍କା ନିବେଶ ହେବ ଏବଂ ୩୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିଭଳି ଖୋର୍ଦ୍ଧାର ଚମ୍ପାଝରରେ ନିରେନ୍‌ କୁମାର ଆନନ୍ଦଙ୍କ ଫୁଟୱେର ଉତ୍ପାଦନ ୟୁନିଟ୍‌ ପାଇଁ ଶିଳାନ୍ୟାସ ହୋଇଛି ଏବଂ ଏଥିରେ ୬୨.୪୪ କୋଟି ଟଙ୍କା ନିବେଶ ପ୍ରସ୍ତାବ ରହିଛି । ମୋଟ ୬୨୦ ଲୋକଙ୍କ ପାଇଁ ଏଥିରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । କଟକର ରାମଦାସପୁରରେ ଆଜି ଦୁଇଟି ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି ।

ତନ୍ମଧ୍ୟରେ ଗୋଟିଏ ଆଷ୍ଟ୍ରାଲ ପଲିଟେକ୍‌ନିକ୍‌ ଲିମିଟେଡ୍‌ (ୟୁନିଟ୍‌-୨)ର ଏଚ୍‌ଡିପିଇ ଓ ଥର୍ମୋପ୍ଲାଷ୍ଟିକ୍‌ ପାଇପ୍‌ ଉତ୍ପାଦନ ୟୁନିଟ୍‌ ରହିଥିବା ବେଳେ ଅନ୍ୟଟି ଜୟଭାରତ ସ୍ପାଇସେସ୍‌ ପ୍ରା. ଲି.ର ରେଡି-ଟୁ-ଇଟ୍‌ ଏବଂ ଶୀତଳ ଭଣ୍ଡାର ବ୍ୟବସ୍ଥା ରହିଛି । ଏହି ଦୁଇଟି ପ୍ରକଳ୍ପରେ ଯଥାକ୍ରମେ ୬୦.୦୬ କୋଟି ଓ ୫୦.୧୦ କୋଟି ଟଙ୍କା ନିବେଶ ପ୍ରସ୍ତାବ ରହିଥିବା ବେଳେ ୧୫୦ ଓ ୫୫୦ ନିଯୁକ୍ତି ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।

ଏତଦ୍‌ବ୍ୟତୀତ ଖୋର୍ଦ୍ଧାର ଜୟମଙ୍ଗଳଠାରେ ପ୍ରିଣ୍ଟେକ୍‌ ଅଫ୍‌ସେଟ୍‌ (ପ୍ରା) ଲି.ର ଅଫ୍‌ସେଟ୍‌ ପ୍ରିଣ୍ଟିଙ୍ଗ୍‌ ଓ ବୁକ୍‌ ବାଇଣ୍ଡିଙ୍ଗ୍‌ ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ଏଥିରେ ୬.୭୪ କୋଟି ଟଙ୍କା ନିବେଶ ହେବ ଏବଂ ୬୪ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ । କଟକର ଚୌଦ୍ୱାରରେ ଏକାଥରେ ୩ଟି ପ୍ରକଳ୍ପର ଆଜି ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି । ତନ୍ମଧ୍ୟରେ ରିନ୍ୟୁୱାଲ ଏନ୍‌ଭିରୋଜିକ୍‌ (ପ୍ରା) ଲି.ର ୫.୩୩ କୋଟି ଟଙ୍କା ନିବେଶରେ ବାୟୋମେଡିକାଲ ଆବର୍ଜନା ପରିଚାଳନା ପ୍ରକଳ୍ପ ରହିଛି, ଯେଉଁଥିରେ ୧୦୨ ନିଯୁକ୍ତି ସୃଷ୍ଟି ହେବ । ଦ୍ୱିତୀୟରେ ଅର୍ଣ୍ଣବ କେୟାର ଆଣ୍ଡ୍‌ ଫୁଡ୍‌ର ୨.୨୦ କୋଟି ନିବେଶରେ ଜୈବିକ ସାର ଓ ଖତ ପ୍ରକଳ୍ପ ରହିଥିବା ବେଳେ ଏଥିରେ ୩୪ ନିଯୁକ୍ତି ସୃଷ୍ଟି ହେବ । ତୃତୀୟରେ ପ୍ରତିଷ୍ଠା ଭେଞ୍ଚର୍ସ ଦ୍ୱାରା ନୁଡୁଲ୍ସ, ପାମ୍ପଡ଼ ଓ ଆଚାର ତିଆରି ପ୍ରକଳ୍ପ ରହିଛି । ଏଥିରେ ୪୯ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଭିଡିଓ କନ୍‌ଫରେନ୍ସିଙ୍ଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ଶିଳ୍ପ ସଂସ୍ଥା ପାଇଁ ଓଡ଼ିଶା ଏକ ଅଗ୍ରଣୀ ନିବେଶ ସ୍ଥଳ ପାଲଟିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱକୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍‌ର ପରିଚାଳନା ନିର୍ଦ୍ଦେଶକ ବରୁଣ ବେରି, ବେଦାନ୍ତର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ନବୀନ ଅଗ୍ରୱାଲ, ୱାଇଲ୍ଡଲୋଟସ୍‌ ଟେକ୍ସଟାଇଲ୍‌ ନିର୍ଦ୍ଦେଶକ ପି ଏଲ୍‌ ମହାନ୍ତି ଏବଂ ଆଦିତ୍ୟ ବିର୍ଲା ରିନ୍ୟୁଏବଲ୍‌ସର ସଭାପତି (ଅପରେସନ୍ସ) ଅମିତାଭ ବର୍ମାଙ୍କ ଭଳି ଶିଳ୍ପ ପ୍ରତିନିଧିମାନେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ୫ଟି ସଚିବ ଭି କେ ପାଣ୍ଡିଆନ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିଳ୍ପ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଇପିକଲ୍‌ ପରିଚାଳନା ନିର୍ଦ୍ଦେଶକ ବି ଏସ୍‌ ପୁନିଆ ଧନ୍ୟବାଦ ଅର୍ପଣ କରିଥିଲେ ।