ବାତ୍ୟା ଭୂମି ‘ଓଡ଼ିଶା’: ଗତ ୧୧୧ ବର୍ଷରେ ୯୮ଟି ବାତ୍ୟା, ମେ’ ମାସରେ ହୋଇଛି ୫ ଥର…

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ଭାରତ ସମ୍ମୁଖୀନ ହୋଇଥିବା ସାମୁଦ୍ରିକ ଝଡ଼ ବା ବାତ୍ୟା ମଧ୍ୟରୁ ସର୍ବାଧିକ ଓଡ଼ିଶାରେ ଦେଖିବାକୁ ମିଳିଛି । ଗତ ୧୧୧ ବର୍ଷ ମଧ୍ୟରେ ଓଡ଼ିଶା ୯୮ଟି ବାତ୍ୟାର ସାକ୍ଷୀ ପାଲଟିଛି । ଏଣୁ ଓଡ଼ିଶାକୁ ବାତ୍ୟା ଭୂମି କହିଲେ ଅତ୍ୟୁକ୍ତି ହେବନାହିଁ ।

ଏକ ତଥ୍ୟ ମୁତାବକ, ବିଶ୍ୱର ୩୫ଟି ଭୟାନକ ଉଷ୍ମମଣ୍ଡଳୀୟ ବାତ୍ୟା (ଟ୍ରପିକାଲ୍‌ ସାଇକ୍ଲୋନ୍‌) ମଧ୍ୟରୁ ୨୬ଟି ବଙ୍ଗୋପସାଗରରେ ସୃଷ୍ଟି ହୋଇଛି । ବାତ୍ୟା ଯୋଗୁ ବାଂଲାଦେଶରେ ସର୍ବାଧିକ କ୍ଷୟକ୍ଷତି ଘଟିଛି । ବାତ୍ୟା ଯୋଗୁ ବିଶ୍ୱରେ ଯେତିକି ଲୋକଙ୍କ ମୃତ୍ୟୁ ଘଟିଛି, ତାହାର ୪୦% କେବଳ ବାଂଲାଦେଶୀ ।
ବାତ୍ୟା କାରଣରୁ ବାଂଲାଦେଶ ପରେ ଭାରତ ଅଧିକ ପ୍ରଭାବିତ ହୋଇଛି । ବିଗତ ୨୦୦ ବର୍ଷ ମଧ୍ୟରେ ୨୫ ଭାଗ ଉଷ୍ମମଣ୍ଡଳୀୟ ବାତ୍ୟା ଭାରତରେ ମାଡ଼ ହୋଇଛି । ଓଡ଼ିଶା ସବୁଠୁ ଅଧିକ ସଂଖ୍ୟକ ବାତ୍ୟା ଦେଖିଛି । ୧୮୯୧ରୁ ୨୦୦୨ ମଧ୍ୟରେ ଏହି ପୂର୍ବ ଉପକୂଳ ରାଜ୍ୟ ୯୮ ଥର ବାତ୍ୟାର ସାମ୍ନା କରିଛି । କିନ୍ତୁ ବାତ୍ୟାଜନିତ କ୍ଷୟକ୍ଷତିରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ।

ସୂଚନା ଥାଉକି, ଆରବ ସାଗର ତୁଳନାରେ ବଙ୍ଗୋପସାଗରରେ ଅଧିକ ସଂଖ୍ୟକ ବାତ୍ୟା ସୃଷ୍ଟି ହୋଇଥାଏ । ଯଦିଓ ଏହି ବାତ୍ୟାଗୁଡ଼ିକ ପଶ୍ଚିମ ଉପକୂଳରେ ସୃଷ୍ଟି ହୋଇଥାଏ, ତନ୍ମଧ୍ୟରୁ ଅଧିକାଂଶ ଭାରତ ଛୁଇଁବା ପରିବର୍ତ୍ତେ ଓମାନ ଆଡ଼କୁ ମୁହାଁଇଥାଏ । କିନ୍ତୁ ପୂର୍ବ ଉପକୂଳରେ ସୃଷ୍ଟି ହେଉଥିବା ବାତ୍ୟା ଅଧିକ ଭୟଙ୍କର ଓ ପ୍ରଭାବଶାଳୀ ହୋଇଥାଏ ।

ମେ’ ମାସରେ ୫ ଥର ବାତ୍ୟା

ଓଡ଼ିଶାମୁହାଁ ବାତ୍ୟା ‘ଫୋନି’କୁ ନେଇ ଚାରିଆଡ଼େ ଚର୍ଚ୍ଚା । ଖରାଦିନେ ବା ମେ’ ମାସରେ ବାତ୍ୟା ଦେଖାଯିବା ବିଲକ୍ଷଣ ବୋଲି ଅନେକ କହୁଛନ୍ତି । କିନ୍ତୁ ତଥ୍ୟ କହୁଛି, ପୂର୍ବରୁ ୫ ଥର ଓଡ଼ିଶା ନିଦାଘ ମେ’ ମାସରେ ବାତ୍ୟାର ସମ୍ମୁଖୀନ ହୋଇଛି ।
ସାଧାରଣତଃ ଭାବେ ବର୍ଷର ଶେଷ ୪ ମାସ ଅର୍ଥାତ୍‌ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ବଙ୍ଗୋପସାଗରରେ

ଅଧିକାଂଶ ବାତ୍ୟା ସୃଷ୍ଟି ହୁଏ । ପ୍ରତି ବର୍ଷେ ଦି’ ବର୍ଷରେ ଥରେ ଓଡ଼ିଶା ଏହି ସାମୁଦ୍ରିକ ଝଡ଼ ଯୋଗୁ ପ୍ରଭାବିତ ହୋଇଛି । ନିକଟ ଅତୀତରେ ମେ’ ମାସରେ କେବେ ବି ବାତ୍ୟା ଦେଖିବାକୁ ମିଳିନାହିଁ ।

ଏ ସମ୍ପର୍କରେ ପାଣିପାଗ ବିଶାରଦ ତଥା ସୋଆ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର୍‌ ଏନ୍‌ଭିରନ୍‌ମେଣ୍ଟ ଆଣ୍ଡ କ୍ଲାଇମେଟ୍‌ (ସିଇସି) ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି, ମେ’ ମାସରେ ବାତ୍ୟା ଦେଖାଦେବା ବିରଳ । କିନ୍ତୁ ଅତୀତରେ ୧୮୯୩, ୧୯୧୪, ୧୯୧୭, ୧୯୮୨ ଓ ୧୯୮୯ର ମେ’ ମାସରେ ଓଡ଼ିଶା ବାତ୍ୟା ସହିଛି ।