ଓଡ଼ିଶା ଏଫ୍‌ସି ଓ ଜାମସେଦପୁର ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ମୁକାବିଲା ୨-୨ ଗୋଲ୍‌ରେ ଡ୍ର’

ISL odisha fc

ପାଣାଜୀ: ଚଳିତ ଇଣ୍ଡିଆନ୍ସ ସୁପର ଲିଗ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଏଫ୍‌ସି ଓ ଜାମସେଦପୁର ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ମୁକାବିଲା ୨-୨ ଗୋଲ୍‌ରେ ଡ୍ର’ ରହିଛି । ମ୍ୟାଚ୍‌ ଆରମ୍ଭରୁ ଜାମସେଦପୁର ଏଫ୍‌ସି ପ୍ରଭାବ ବିସ୍ତାର କରି ଖେଳିଥିଲା । ୧୧ତମ ମିନିଟ୍‌ରେ ଜାମସେଦପୁର ଏକ ସୁଯୋଗ ସୃଷ୍ଟି କରିଥିଲା । ନେରିଜସ ଭାଲ୍ସକିସଙ୍କ ସଟ୍‌କୁ ଓଡ଼ିଶା ଏଫ୍‌ସି ଡିଫେଣ୍ଡର ଗୌରବ ବୋରା ଅଟକାଇ ଦେଇଥିଲେ । ହେଲେ ବକ୍ସ ଭିତରେ ବଲ୍‌ ତାଙ୍କ ହାତରେ ବାଜିଥିବାରୁ ଜାମସେଦପୁରକୁ ପେନାଲ୍ଟି ମିଳି ଯାଇଥିଲା ।

ଭାଲ୍ସକିସ୍‌ ତ୍ରୁଟି ନକରି ପେନାଲ୍ଟିକୁ ଗୋଲ୍‌ରେ ପରିଣତ କରିଥିଲେ । ଜାମସେଦପୁର ୧-୦ ଗୋଲ୍‌ରେ ଅଗ୍ରଣୀ ହାସଲ କରିଥିଲା ।୨୭ତମ ମିନିଟ୍‌ରେ ଓଡ଼ିଶା ଏଫ୍‌ସି ଡିଫେଣ୍ଡର ଶୁଭମ ଷଡ଼ଙ୍ଗୀ ତ୍ରୁଟି କରିଥିଲେ । ଏକ ପାସ୍‌କୁ ସେ ସାଥୀ ଖେଳାଳିଙ୍କ ନିକଟକୁ ପଠାଇବାକୁ ପ୍ରସ୍ତୁତ ହେଉଥିବା ବେଳେ ଜାମସେଦପୁର ଫରୱାର୍ଡ ଭାଲ୍ସକିସ୍‌ ତାଙ୍କଠୁ ବଲ୍‌ ଛଡ଼ାଇ ନେଇଥିଲେ । ଗୋଲ୍‌ କିପର ମଧ୍ୟ ଏଭଳି ଅତର୍କିତ ଆକ୍ରମଣ ପ୍ରତି ସଜାଗ ନଥିଲେ ।

ଭାଲ୍ସକିସଙ୍କ ସଟ୍‌କୁ ଅଟକାଇବାରେ ସେ ବିଫଳ ହୋଇଥିଲେ । ଜାମସେଦପୁର ୨-୦ ଗୋଲରେ ଅଗ୍ରଣୀ ହାସଲ କରିଥିଲା । ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଜାମସେଦପୁର ଏଫ୍‌ସିର ଆଧିପତ୍ୟ ରହିଥିଲା । ହେଲେ ଧିରେ ଧିରେ ଓଡ଼ିଶା ଏଫ୍‌ସି ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲା । ୬୦ତମ ମିନିଟ୍‌ରେ ମାଇକେଲ୍‌ ଓନଉଙ୍କ ସ୍ଥାନରେ ଡିଏଗୋ ମରିସିଓ ଗ୍ରାଉଣ୍ଡ୍‌କୁ ଓହ୍ଲାଇବା ପରେ ସ୍ଥିତି ପଲଟି ଯାଇଥିଲା । ଓଡ଼ିଶାର ଆକ୍ରମଣ ଜୋରଦାର ହୋଇଥିଲା । ୭୭ତମ ମିନିଟ୍‌ରେ ଦଳକୁ ଏକ ଫ୍ରି କିକ୍‌ ମିଳିଥିଲା । ମରିସିଓ ଏହାକୁ ଗୋଲରେ ପରିଣତ କରିଥିଲେ ।୯୦ତମ ମିନିଟ୍‌ରେ ଓଡ଼ିଶା ଏଫସି ପକ୍ଷରୁ ମରିସିଓ ଦ୍ୱିତୀୟ ଗୋଲ୍‌ କରିଥିଲେ ।

ଡାନିଏଲ୍‌ଙ୍କ ଏକ ପାସ୍‌କୁ ସେ ଗୋଲ୍‌ରେ ପରିଣତ କରିବା ଫଳରେ ଓଡ଼ିଶା ଏଫ୍‌ସି ପରାଜୟରୁ ବର୍ତ୍ତି ଯାଇଥିଲା । ମ୍ୟାଚ୍‌ ଡ୍ର’ ହେବା ଫଳରେ ଓଡ଼ିଶା ଏଫ୍‌ସି ପଏଣ୍ଟ ଖାତା ଖୋଲିଛି । ପ୍ରଥମ ମ୍ୟାଚ୍‌ରେ ହାଇଦ୍ରାବାଦ ଏଫ୍‌ସିଠୁ ପରାଜିତ ହୋଇଥିବା ଓଡ଼ିଶା ୨ଟି ମ୍ୟାଚ୍‌ରୁ ୧ ପଏଣ୍ଟ ହାତେଇବାରେ ସଫଳ ହୋଇଛନ୍ତି ।