PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ପ୍ରକାଶିତ ହେଲା ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥା ରିପୋର୍ଟ: ଓଡ଼ିଶାରେ ଜଙ୍ଗଲ ବଢ଼ିଛି ୨୭୩ ବର୍ଗ କିମ

ଭୁବନେଶ୍ୱର ୩୧/୧୨: ରାଜ୍ୟରେ ଜଙ୍ଗଲ ପରିମାଣ ଲଗାତାର ବଢ଼ି ଚାଲିଛି। ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟ ମୁତାବକ ୨ ବର୍ଷ ମଧ୍ୟରେ ରାଜ୍ୟରେ ଜଙ୍ଗଲ ପରିମାଣ ୨୭୩.୫୧ ବର୍ଗ କିଲୋମିଟର ବଢ଼ିଛି। ଜଙ୍ଗଲ ବଢ଼ିବା ହାର କ୍ଷେତ୍ରରେ ନବରଙ୍ଗପୁର ଜିଲ୍ଲା ସର୍ବାଗ୍ରେ ରହିଛି । ତେବେ ମାଲକାନଗିରି ଜିଲ୍ଲାରେ ଜଙ୍ଗଲ ପରିମାଣ ପୂର୍ବ ଅପେକ୍ଷା କମିଛି । ଜଙ୍ଗଲ ଭଳି ରାଜ୍ୟରେ ବୃକ୍ଷ ଆଚ୍ଛାଦିତ ଅଞ୍ଚଳର ପରିମାଣ ମଧ୍ୟ ଢେର ବଢ଼ିଯାଇଛି । ଚଳିତ ସର୍ଭେରେ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ପୂର୍ବ ଅପେକ୍ଷା ୬୫୫ ବର୍ଗ କିମି ବଢ଼ିଛି । ଉତ୍ତମ ସଂରକ୍ଷଣ, ବ୍ୟାପକ ବୃକ୍ଷରୋପଣ ଓ ସର୍ବୋପରି ଜନସଚେତନା ଯୋଗୁ ଏହା ସମ୍ଭବ ହୋଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ପ୍ରତି ୨ ବର୍ଷରେ ଦେଶରେ ଜଙ୍ଗଲ ପରିମାଣର ସର୍ଭେ କରାଯାଏ। ଉପଗ୍ରହ ଜରିଆରେ ଅତ୍ୟାଧୁନିକ ମ୍ୟାପିଂ କରାଯାଇ ଜଙ୍ଗଲ ହ୍ରାସ ବୃଦ୍ଧିର ଠିକଣା ତଥ୍ୟ ହାସଲ କରାଯାଏ। ୨୦୧୭ରେ ହୋଇଥିବା ସର୍ଭେ ମୁତାବକ ରାଜ୍ୟରେ ଜଙ୍ଗଲ ପରିମାଣ ୫୧ ହଜାର ୩୪୫ ବର୍ଗ କିମି ଥିଲା । ୨୦୧୫ ସର୍ଭେ ଠାରୁ ଏଥିରେ ୮୮୫ ବର୍ଗ କିମି ଜଙ୍ଗଲ ବଢ଼ିଥିଲା। ୨୦୧୯ରେ ପ୍ରକାଶିତ ରିପୋର୍ଟରେ ଜଙ୍ଗଲ ପରିମାଣ ବଢ଼ି ୫୧ ହଜାର ୬୧୮.୫୧ ବର୍ଗ କିମିରେ ପହଞ୍ଚିଛି । ଅର୍ଥାତ୍‌ ୨ ବର୍ଷରେ ୨୭୩.୫୧ ବର୍ଗ କିମି ବଢ଼ିଛି।

ରାଜ୍ୟରେ ଘନ ଅରଣ୍ୟର ପରିମାଣ ଏବେ ୬,୯୬୯.୭୧ ବର୍ଗ କିମି ଥିବା ବେଳେ ମଧ୍ୟମ ଧରଣର ଜଙ୍ଗଲର ପରିମାଣ ୨୧ ହଜାର ୫୫୨ ବର୍ଗ କିମି ରହିଛି । ଅଳ୍ପ ବୃକ୍ଷରାଜି ଥିବା ଖୋଲା ଜଙ୍ଗଲର ପରିମାଣ ୨୩,୦୯୭ ବର୍ଗ କିମି । ସେହିଭଳି ବୁଦୁବୁଦୁକିଆ ଜଙ୍ଗଲ ୪,୩୨୬ ବର୍ଗ କିମି ରହିଛି। ଓଡ଼ିଶାର ମୋଟ ଆୟତନ ୧ଲକ୍ଷ ୫୫ ହଜାର ୭୦୭ ବର୍ଗ କିମି ହୋଇଥିବା ବେଳେ ଏହାର ୩୩.୧୫ ପ୍ରତିଶତ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳରେ ପରିଣତ ହୋଇଛି ।
ଓଡ଼ିଶା ଜଙ୍ଗଲ ୧୯୨ ପ୍ରଜାତି ବୃକ୍ଷ, ୯୦ ପ୍ରକାର ଲଟାବୁଦା ଏବଂ ୧୦୫ ରକମର ଔଷଧୀୟ ବୃକ୍ଷରେ ଭରପୂର । ବୃକ୍ଷ ଭିତରେ ଜଙ୍ଗଲରେ ଶାଳ ଗଛ ସଂଖ୍ୟାରେ ସବୁଠାରୁ ଅଧିକ ଥିବା ବେଳେ ଅନ୍ୟ ବଡ଼ ଗଛ ମଧ୍ୟରେ ଅର୍ଜୁନ, ମଇ, କରଞ୍ଜ ଓ ଶାଗୁଆନ ଗଛ ଜଙ୍ଗଲରେ ଭର୍ତ୍ତି ହୋଇଛି। ସେହିଭଳି ବାଉଁଶ ମଧ୍ୟ ସମଗ୍ର ଜଙ୍ଗଲର ୧.୬୩ ପ୍ରତିଶତ ଅଞ୍ଚଳକୁ ଆଚ୍ଛାଦିତ କରୁଛି।

ଜିଲ୍ଲାୱାରି ଜଙ୍ଗଲ ବଢ଼ିବା କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ନବରଙ୍ଗପୁର। ଏହି ଜିଲ୍ଲାରେ ୨ ବର୍ଷ ମଧ୍ୟରେ ୪୩.୬୨ ବର୍ଗ କିମି ଜଙ୍ଗଲ ବଢ଼ିଛି । ଦ୍ୱିତୀୟ ସ୍ଥାନରେ ଢେଙ୍କାନାଳ ଜିଲ୍ଲା ରହିଛି । ଏଠି ୨୮.୬୧ ବର୍ଗ କିମି ଜଙ୍ଗଲ ବଢ଼ିଛି । ସେହିଭଳି ୨୭.୬୩ ବର୍ଗ କିମି ଜଙ୍ଗଲ ବଢ଼ି ଅନୁଗୁଳ ଜିଲ୍ଲା ତୃତୀୟ ସ୍ଥାନରେ ରହିଛି । ତେବେ ମାଲକାନଗିରି ଜିଲ୍ଲାରେ ୨୦୧୭ ହିସାବ ଠାରୁ ୫.୮୩ ବର୍ଗ କିମି ଜଙ୍ଗଲ କମିଛି । ଅନୁରୂପ ଭାବେ ଗଜପତି, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ଜଗତସିଂହପୁର ଆଦି ଜିଲ୍ଲାରେ ଜଙ୍ଗଲ ବଢ଼ିବା ସ୍ଥିତି ନୈରାଶ୍ୟଜନକ। ଏହି ଜିଲ୍ଲା ଗୁଡ଼ିିକରେ ଜଙ୍ଗଲ ବୃଦ୍ଧି ୩ ବର୍ଗ କିମିକୁ ଛୁଇଁ ପାରିନି । ଏହାବ୍ୟତୀତ ଅନ୍ୟ ଜିଲ୍ଲା ଗୁଡ଼ିକରେ ଜଙ୍ଗଲ ବୃଦ୍ଧି ହାର ସନ୍ତୋଷଜନକ ବୋଲି କୁହା ଯାଇପାରେ।

ତେବେ ଜଙ୍ଗଲ ବାହାରେ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ବେଶ୍‌ ଉତ୍ସାହଜନକ । ରାଜସ୍ୱ ବିଭାଗ ଅଧୀନରେ ଥିବା ଗ୍ରାମ୍ୟଜଙ୍ଗଲ, ତୋଟା ଓ ଖାଲି ସ୍ଥାନରେ ବୃକ୍ଷରାଜିର ପରିମାଣ ବହୁତ ବଢ଼ିଛି । ୨୦୧୭ ଠାରୁ ୨ ବର୍ଷରେ ଜଙ୍ଗଲ ବାହାରେ ସବୁଜିମା ଅଞ୍ଚଳ ୬୫୫ ବର୍ଗ କିମି ବଢ଼ି ଏହା ୪ ହଜାର ୬୪୮ ବର୍ଗ କିମିରେ ପହଞ୍ଚିଛି । ଜଙ୍ଗଲ ବାହାରେ ଥିବା ସବୁଜିମା ଅଞ୍ଚଳରେ ମୁଖ୍ୟତଃ ଆମ୍ବ, ଶାଳ, ହରିଡ଼ା, ବାହାଡ଼ା, ନିମ୍ବ, କାଜୁ ଗଛ ରହିଛି । ତେବେ ଜଙ୍ଗଲ ଓ ଅନ୍ୟାନ୍ୟ ଖାଲି ସ୍ଥାନରେ ବିଦେଶୀ ଗଛ ମଧ୍ୟ ନିଜର ପ୍ରଭାବ ଜାହିର କରିଛି । ମେକ୍ସିକୋ ଦେଶର ଏକ ପୋକଶୁଙ୍ଘା ଜାତୀୟ ବୃକ୍ଷ ପ୍ରାୟ ୬୬୮ ବର୍ଗ କିମି ଅଞ୍ଚଳରେ ମାଡ଼ି ଯାଇଛି । ସେହିଭଳି ଲାଣ୍ଟାନା ନାମକ ଏକ ବିଦେଶୀ ଗୁଳ୍ମ ଜାତୀୟ ଗଛ ୨୩୬ ବର୍ଗ କିମି ଜଙ୍ଗଲରେ ବହୁଳ ପରିମାଣରେ ଦେଖିବାକୁ ମିଳିଛି । ଅନ୍ୟ ବିଦେଶୀ ଗୁଳ୍ମ ଓ ଗଛ ମାନଙ୍କ ମଧ୍ୟରେ ଆକାଶିଆ ୧୦୭ ବର୍ଗ କିମି ଅଞ୍ଚଳ ମାଡ଼ି ବସିଥିବା ବେଳେ ଡିଓସ୍କୋରିଆ ନାମକ ଏକ ଲଟା ସମୁଦାୟ ୧୫ କିମି ଜଙ୍ଗଲରେ ମାଡ଼ି ଯାଇଛି।

ସମ୍ବନ୍ଧିତ ଖବର