ସୂର୍ଯ୍ୟମନ୍ଦିର ପରିସରରୁ ବାଲି ଉଭାନ୍ ଘଟଣା: ଏସ୍ପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କୋଣାର୍କ,୧୭/୦୧: ସୂର୍ଯ୍ୟମନ୍ଦିର ପରିସରରୁ ବାଲି ଚୋରି ଘଟଣାରେ ୪ସପ୍ତାହ ମଧ୍ୟରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହି ଘଟଣା ସମ୍ପର୍କରେ କୋଣାର୍କ ଆଂଚଳିକ ବିକାଶ ପରିଷଦ ସଭାପତି ସୁବାଷ ନାୟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଗତ ଡିସେମ୍ବର ୮ତାରିଖ ବିଳମ୍ବିତ ରାତିରେ ସୂର୍ଯ୍ୟମନ୍ଦିର ପରିସରରୁ ବାଲି ଓ ମୂଲ୍ୟବାନ ପଥର ଚୋରା ଚାଲାଣ ହୋଇଥିବା କୋଣାର୍କ ଥାନାରେ ଅଭିଯୋଗ ହୋଇଥିଲା । କୋଣାର୍କ ସୁରକ୍ଷା ସମିତି ଓ କୋଣାର୍କ ଆଂଚଳିକ ବିକାଶ ପରିଷଦ ଏହି ଅଭିଯୋଗ ଆଣିଥିଲେ। ସୂର୍ଯ୍ୟମନ୍ଦିର ପରିସରରୁ ପ୍ରାୟ ଦୁଇ ଶହ ଟ୍ରିପରୁ ଅଧିକ ବାଲି ମେସିନ ସାହାଯ୍ୟରେ ଚୋରା ଚାଲାଣ ହୋଇଥିଲା । ଏଏସ୍ଆଇର ଜଣେ କର୍ମଚାରୀ ୩ଟି ଡୋଜର ଓ ୨୦ଟା ଟ୍ରାକ୍ଟରରେ ନିଜ ବାସଭବନ ପରିସରରେ ଏହି ବାଲି ଓ ମୂଲ୍ୟବାନ ପଥର ପକାଇଥିବା ଜଣାପଡ଼ିଥିଲା ।
ଅଭିଯୋଗ ଅନୁଯାୟୀ ଗୋପ ତହସିଲଦାର ପ୍ରାଥମିକ ତଦନ୍ତ କରିଥିଲେ । ଗତ ଡିସେମ୍ବର ୧୧ତାରିଖରେ ସୁରକ୍ଷା ସମିତି ଓ ବିକାଶ ପରିଷଦ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ, ଏଏସ୍ଆଇ ଡିଜି, ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ଭିଆଇପି ପାର୍କିଂ ନିମନ୍ତେ ଏଠାରୁ ବାଲି କଢ଼ାଯାଇ ସମତୁଲ କରାଯାଇଥିବା ଏଏସ୍ଆଇ ଅଧିକାରୀ କହିଥିଲେ । ଏହି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା ।