ଦଳରେ ଅଣଦେଖା ଅଭିଯୋଗ ଆଣିଲେ ସାଲେପୁର ବିଧାୟକ ପ୍ରକାଶ ବେହେରା, କଂଗ୍ରେସରୁ ଦେଲେ ଇସ୍ତଫା

ଭୁବନେଶ୍ୱର ୧୬।୩: ସାଲେପୁରର କଂଗ୍ରେସ ବିଧାୟକ ପ୍ରକାଶ ବେହେରା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାଯାଇଛି। ସେ ନିଜର ଇସ୍ତଫା ପତ୍ରରେ ଦଳରେ ତାଙ୍କୁ ଅଣଦେଖା କରାଯାଉଥିବାର ଅଭିଯୋଗ କରିଛନ୍ତି। ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଖକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି।
ଟିଏମସି ସଭାପତି ଆର୍ଯ୍ୟ ଜ୍ଞାନେନ୍ଦ୍ର କହିଛନ୍ତି, ବହୁ ପୂବର୍ରୁ ଶୁଣାଯାଉଥିଲା ପ୍ରକାଶ ବେହେରା ଦଳ ଛାଡ଼ିବେ ବୋଲି। ମାତ୍ର ଏହା ସ୍ପଷ୍ଟ ହୋଇନଥିଲା। ଆଜି ସେ ଦଳରୁ ଇସ୍ତଫା ଦେଇଛନ୍ତି। ମାତ୍ର ଏହା ଦଳ ଉପରେ କୈାଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଶ୍ରୀ ଜ୍ଞାନେନ୍ଦ୍ର କହିଛନ୍ତି।
ପ୍ରକାଶ ଦୀର୍ଘ ୨୦ ବର୍ଷ ଧରି କଂଗ୍ରେସ ଦଳରେ ରହିଆସିଥିଲେ। ଗତ ବିଧାନସଭା ନିର୍ବାଚନରେ ପ୍ରକାଶ ବେହେରା ସାଲେପୁର ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ଲାଗି ନିର୍ବାଚିତ ହୋଇଥିଲେ।
ତାଙ୍କୁ କଟକ ଜିଲ୍ଲା ସଭାପତି ପଦରୁ ମଧ୍ୟ ହଟାଇ ଦିଆଯାଇଥିଲା। ତାଙ୍କ ଅଭିଯୋଗକୁ ପିସିସି ସଭାପତି ଶୁଣୁ ନଥିଲେ ବୋଲି ପ୍ରକାଶ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି। ଏଥିସହ ସେ ଲେଖିଛନ୍ତି କି ୨୦ ବର୍ଷ ଧରି ସେ କଂଗ୍ରେସ ପାଇଁ କାମ କରିଛନ୍ତି । କିନ୍ତୁ ଦଳ ତାଙ୍କୁ ଅବହେଳା କରିଛି। ସେଥିପାଇଁ ଦୁଃଖର ସହିତ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି।