ମେ ଶେଷ ସପ୍ତାହରେ +୨ ବିଜ୍ଞାନ ଫଳ, ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ଇ-ମୂଲ୍ୟାୟନ ଆରମ୍ଭ

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌) ଦ୍ୱାରା ପରିଚାଳିତ +୨ ବିଜ୍ଞାନ ପରୀକ୍ଷା ଫଳ ମେ ଶେଷ ସପ୍ତାହରେ ପ୍ରକାଶ ପାଇବ । ସେହିପରି ବାଣିଜ୍ୟ, କଳା ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଜୁନ୍‌ ପ୍ରଥମ ସପ୍ତାହରେ ବାହାରିବ । ହେଲେ ଏନେଇ ପରିଷଦ ପକ୍ଷରୁ କୌଣସି ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇନାହିଁ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ୧୦ରୁ ୧୨ ତାରିଖ ଭିତରେ ଶେଷ ହୋଇଯିବ । ପରେ ଛାତ୍ରଛାତ୍ରୀଙ୍କ ନମ୍ବରକୁ ୱେବ୍‌ସାଇଟ୍‌ରେ ଅପଲୋଡ୍‌ କରାଯିବ । ଏଥିପାଇଁ ୩ରୁ ୪ ଦିନ ସମୟ ଲାଗିବ । ମେ ଶେଷ ସପ୍ତାହ ସୁଦ୍ଧା ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଫଳ ବାହାରିବ । ପରେ ପରେ ବାଣିଜ୍ୟ, କଳା ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ବାହାରିବ ।

ପରୀକ୍ଷାଫଳ ପ୍ରକାଶ ସମ୍ପର୍କରେ ପରିଷଦର ଡେପୁଟି କଣ୍ଟ୍ରୋଲର ପ୍ରଶାନ୍ତ ମହାନ୍ତି କହିଛନ୍ତି, ପରୀକ୍ଷା ଫଳ ବାହାରିବା ନେଇ ଏଯାଏ କୌଣସି ସମୟ ଧାର୍ଯ୍ୟ ହୋଇନାହିଁ । କିନ୍ତୁ ମେ ଶେଷ ସୁଦ୍ଧା ଫଳ ପ୍ରକାଶ କରିବାକୁ ଚେଷ୍ଟା ଚାଲିଛି । ଖାତା ଦେଖା ମଧ୍ୟ ଠିକ୍‌ ଭାବେ ପରିଚାଳିତ ହେଉଛି । ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ସରିବା ପରେ ଫଳ ପ୍ରକାଶର ତାରିଖ ଘୋଷଣା କରାଯିବ । ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଇ-ମୂଲ୍ୟାୟନ ବର୍ତ୍ତମାନ ପର୍ଯ୍ୟନ୍ତ ବହୁ କେନ୍ଦ୍ରରେ ଚାଲିଛି । ପାଖାପାଖି ୮୦ ପ୍ରତିଶତ ଖାତା ଦେଖା ସରିଲାଣି । ଆଉ ଦୁଇ-ତିନି ଦିନ ଭିତରେ ପ୍ରଥମ ପର୍ଯ୍ୟାୟ ଇ-ମୂଲ୍ୟାୟନ ସରିଯିବ । ଆସନ୍ତାକାଲିଠୁ ଦ୍ୱିତୀୟ ପର୍ଯ୍ୟାୟ ଇ-ମୂଲ୍ୟାୟନ ଆରମ୍ଭ ହେବ । ଯେଉଁ କେନ୍ଦ୍ରରେ ଦୁଇଟି ସିଫ୍ଟରେ ପରୀକ୍ଷା ଚାଲିଛି ସେଠାରେ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ପାଇଁ ଅଧିକ କମ୍ପ୍ୟୁଟର ଯୋଗାଇ ଦିଆଯିବ । ମେ ୧୦ ତାରିଖ ସୁଦ୍ଧା ଇ-ମୂଲ୍ୟାୟନ ଶେଷ କରିବାକୁ ବିଭାଗ ପକ୍ଷରୁ ସମୟ ରଖାଯାଇଛି । ଅନ୍ୟପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ଅଫଲ୍‌ାଇନ୍‌ ଖାତା ଦେଖା ୫୮ଟି କେନ୍ଦ୍ରରେ ଚାଲିଛି । ନିର୍ବାଚନ ପାଇଁ ଜଗତସିଂହପୁର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ହୋଇଥିବା କେନ୍ଦ୍ରଗୁଡ଼ିକରେ ୩ ଦିନ ହେବ ଖାତା ଦେଖା ବନ୍ଦ ରହିଛି । ୧ ତାରିଖରୁ ଏହି ସବୁ ଜିଲ୍ଲାରେ ଖାତା ଦେଖା ଆରମ୍ଭ ହେବ । ୬ ତାରିଖ ଭିତରେ ସବୁ କେନ୍ଦ୍ରରେ ଅଫଲାଇନ୍‌ ଖାତା ଦେଖା ଶେଷ ହେବ ।

   ସମ୍ବନ୍ଧିତ ଖବର


ପଞ୍ଚୁକ ପ୍ରଥମ ଦିନରେ ଘଟିଲା ବିଭ୍ରାଟ: ଶ୍ରୀଅଙ୍ଗ ଛୁଇଁବାରୁ ମହାପ୍ରଭୁଙ୍କ ହେଲା ମହାସ୍ନାନ

ଆଜି ମହାପ୍ରଭୁଙ୍କ ବାମନ ବେଶ

ଭିଜିଲାନ୍ସ ଜାଲରେ କୁବେର ଆଇଏଫ୍‌ଏସ୍: ୧୨ଟି ସ୍ଥାନରେ ଚଢଉ, ୩ଟି ରାଜ୍ୟରେ ରହିଛି ଘର, ଜମି ଓ ଫ୍ଲାଟ୍

ଲୁଣ ବୋଝେଇ ଟ୍ରକ୍‌ରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା: ଓଡ଼ିଶାକୁ ଥରାଇଲା କୋହଲା ପାଗ

ଆଜି ଭାରତ ବନ୍ଦ, କେନ୍ଦ୍ରୀୟ ଶ୍ରମିକ ସଂଗଠନର ଦେଶବ୍ୟାପୀ ବନ୍ଦ ଡାକରାକୁ ସମର୍ଥନ ଜଣାଇଲା କଂଗ୍ରେସ