PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଓଡ଼ିଶା ହେବ ବିପର୍ଯ୍ୟୟ, ମହାମାରୀ ପ୍ରତିରୋଧୀ ରାଜ୍ୟ; ପ୍ରତି ଘରୁ ତିଆରି ହେବେ ଯୋଦ୍ଧା

ପାଠ୍ୟକ୍ରମରେ ରହିବ ବିପର୍ଯ୍ୟୟ ପରିଚାଳନା ଓ ମହାମାରୀ ମୁକାବିଲା

ଭୁବନେଶ୍ୱର,୩୦/୦୫: ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା କରୋନା ଭଳି ମହାମାରୀ, ଓଡ଼ିଶା ଦମ୍ଭର ସହ ଲଢ଼ିବ । ସଫଳତାର ସହ ମୁକାବିଲା କରିବ । ସ୍ୱଳ୍ପକାଳୀନ ନୁହେଁ ପ୍ରସ୍ତୁତ ହେବ ଦୀର୍ଘମିଆଦି ଯୋଜନା । ଓଡ଼ିଶାକୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରତିରୋଧ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ସରକାର ପଦକ୍ଷେପ ନେବେ । କରୋନା ଭଳି ମହାମାରୀ ସଂକ୍ରମଣ ରୋକିବାକୁ ନିରୋଧକ ବ୍ୟବସ୍ଥା ହେବ । ଏଥିପାଇଁ ସ୍ୱତନ୍ତ୍ର ଭାବେ ରାଜ୍ୟ ସରକାର ଗଢ଼ିବେ ଟାସ୍କଫୋର୍ସ । ବିଜେଡି ସରକାରର ୫ମ ପାଳିର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଆଜି ଏ ସଂକଳ୍ପ ପାରିତ ହୋଇଯାଇଛି ।

ଏହାଛଡ଼ା ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ଓ ମହାମାରୀ ମୁକାବିଲା ସ୍ଥାନିତ ହେବ । ବିପର୍ଯ୍ୟୟ ଓ ମହାମାରୀ ବିରୋଧରେ ଲଢ଼ିବାକୁ ପ୍ରତି ଘରୁ ତିଆରି ହେବେ ଯୋଦ୍ଧା । ସରକାରୀ ଚାକିରି ଏବଂ ନିଯୁକ୍ତିରେ ବିପର୍ଯ୍ୟୟ ପରିଚାଳନା ସହ ମହାମାରୀ ମୁକାବିଲା ବିଷୟ ବାଧ୍ୟତାମୂଳକ କରାଯିବ । ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଏ ସଂପର୍କରେ ତାଲିମ ନେବେ । ସରକାର ଏଥିପାଇଁ ସ୍ୱତନ୍ତ୍ର ଭାବେ ପଦକ୍ଷେପ ହାତକୁ ନେବେ ଏବଂ ଏହାକୁ ମିଶନ ମୋଡ୍‌ରେ କାର୍ଯ୍ୟକାରୀ କରିବେ । ରାଜ୍ୟ ମନ୍ତ୍ରୀ ପରିଷଦ ଆଜି ଏ ନିଷ୍ପତ୍ତି ନେଇଛି ।

ସରକାରଙ୍କ କ୍ରମାଗତ ୫ମ ପାଳିକୁ ଆଜି ଦୁଇବର୍ଷ ପୂରିଛି । ଏ ପୂର୍ତ୍ତି ଅବସରରେ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରିପରିଷଦର ଏକ ବୈଠକ ବସିଥିଲା । ଏ ବୈଠକରେ ଆଗାମୀ ଦିନରେ ରାଜ୍ୟକୁ କିଭଳି ବିପର୍ଯ୍ୟୟ ଓ କରୋନା ଭଳି ମହାମାରୀ ବିପତ୍ତିରୁ ସୁରକ୍ଷା ଦେଇହେବ ସେ ସଂପର୍କରେ ଆଲୋଚନା ହୋଇଥିଲା । ସଂକଳ୍ପ ପ୍ରସ୍ତାବ ଆଣି ମୁଖ୍ୟମନ୍ତ୍ରୀ କହିଲେ, ଆମ ସରକାରଙ୍କର ମନ୍ତ୍ର ହେଉଛି- ପ୍ରତ୍ୟେକ ଜୀବନ ମୂଲ୍ୟବାନ । ଏହା ହିଁ ହେଉଛି ଏହି ପରିବର୍ତ୍ତନର ମୁଖ୍ୟ ଆଧାର । ଆମେ ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟର ସମ୍ମୁଖୀନ ହେଉଛୁ । ଆମର ବିପର୍ଯ୍ୟୟ ପରିଚାଳନାରେ ଗୋଷ୍ଠୀ ସଂପୃକ୍ତିର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ତେବେ କୋଭିଡ-୧୯ ଆମ ସମସ୍ତଙ୍କ ପାଇଁ ଏକ ନୂଆ ବାସ୍ତବତା । ବାତ୍ୟା ଆସେ ଏବଂ ଯାଏ । କିନ୍ତୁ ଏ ମହାମାରୀ ମାନବ ଜାତି ପାଇଁ ସଂକଟର ଦୁଇଟି ନୂଆ ଦିଗ ଆଣିଛି । ଏ ସଂକଟ କେତେବେଳେ ଆସିବ, କେତେବେଳେ ଯିବ, କେହି କହିପାରିବେ ନାହିଁ । ଏ ମହାମାରୀ କେତେବେଳେ କି ରୂପ ନେବ ତାହା ମଧ୍ୟ ଆକଳନ କରିବା ଅସମ୍ଭବ । ତେଣୁ ଆମକୁ ଲମ୍ବା ଲଢ଼େଇ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ ।

ମୁଖ୍ୟମନ୍ତ୍ରୀ ମତ ରଖିଥିଲେ, ଗତ ଦୁଇ ଦଶନ୍ଧି ମଧ୍ୟରେ ବିପର୍ଯ୍ୟୟ ମୁକାବିଲାରେ ଓଡିଶାର ଦକ୍ଷତା ସଂପର୍କରେ ସାରା ବିଶ୍ୱର ଦୃଷ୍ଟିଭଙ୍ଗୀ ବଦଳିଛି । ଦିନ ଥିଲା ଆମେ ଦୟାର ପାତ୍ର ଥିଲୁ । ଆଜି ଓଡ଼ିଶା ବିପର୍ଯ୍ୟୟ ପରିଚାଳନାରେ ଏକ ମଡେଲ ପାଲଟି ସାରା ବିଶ୍ୱରୁ ପ୍ରଶଂସା ସାଉଁଟୁଛି । ବିପର୍ଯ୍ୟୟ ପରେ ମହାମାରୀ ଆମ ଆଗରେ ଆହ୍ୱାନ ଛିଡ଼ା କରାଇଛି ।ବର୍ତ୍ତମାନ ଆମ ପାଇଁ ସମୟ ଆସିଛି, ଆମକୁ ରାଜ୍ୟରେ ଜ୍ଞାନର ଏକ ବିସ୍ତୃତ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ହେବ । ଏହାଦ୍ୱାରା ଆମେ ସମସ୍ତେ ନିଜକୁ ଜଣେ ଜଣେ ଯୋଦ୍ଧା ଭାବରେ ଗଢିପାରିବା । ଆଗାମୀ ଦିନରେ ଏହିଭଳି ଜରୁରୀ ପରିସ୍ଥିତିର ଆମେ କିପରି ମୁକାବିଲା କରିବା ସେ ବିଷୟରେ ଆମେ ଆମର ସବୁ ଲୋକଙ୍କୁ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛୁ । ବର୍ତ୍ତମାନଠାରୁ ପ୍ରତି ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ମହାମାରୀ ପରିଚାଳନା ଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ ଯାଏ ସବୁ ବିଷୟରେ ଜ୍ଞାନ ଆହରଣ କରିବେ । ଏହା ସେମାନଙ୍କ ପାଠ୍ୟକ୍ରମର ଅଂଶବିଶେଷ ହେବ । ମହାମାରୀ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ ମୌଳିକ ଦିଗ ଉପରେ ପ୍ରତି ସରକାରୀ କର୍ମଚାରୀଙ୍କୁ ତାଲିମ ଦିଆଯିବ । ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ଏଣିକି ସରକାରୀ ଚାକିରୀ ଓ ନିଯୁକ୍ତି ପାଇଁ ଏକ ବାଧ୍ୟତାମୂଳକ ବିଷୟ ହେବ ।

ବିପର୍ଯ୍ୟୟ ସମୟରେ ଆମର ନିର୍ବାଚିତ ପ୍ରତିନିଧିଙ୍କର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏଣିକି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ୱାର୍ଡମେମ୍ବର ପର୍ଯ୍ୟନ୍ତ ସମସ୍ତ ନିର୍ବାଚିତ ପ୍ରତିନଧି ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ବିଷୟରେ ତାଲିମ ନେବେ । ଏହାଛଡ଼ା ଆମର ମିଶନ ଶକ୍ତି ଗୋଷ୍ଠୀ, ବନ ସୁରକ୍ଷା ସମିତି ଓ ଅନ୍ୟ ଗୋଷ୍ଠୀଭିତ୍ତିକ ସଂଗଠନ ଗୁଡିକୁ ମଧ୍ୟ ଏ ସଂପର୍କରେ ତାଲିମ ଦିଆଯିବ । ମନ୍ତ୍ରୀ ପରିଷଦ ଏହି ପ୍ରସ୍ତାବରେ ପୂର୍ଣ୍ଣ ସହମତ ହେବା ସହ ଏହି ଲକ୍ଷ୍ୟ ପୂରଣ ପାଇଁ ସଂକଳ୍ପ ପାରିତ କରିଛି ।

ରାଜ୍ୟର ଜନସାଧାରଣଙ୍କୁ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ସଂପର୍କରେ ଉପଯୁକ୍ତ ଜ୍ଞାନ ଓ ଦକ୍ଷତାରେ ସଶକ୍ତ କରିବା ପାଇଁ ଏକ ସୁବ୍ୟବସ୍ଥିତ ତଥା ବିସ୍ତୃତ ତାଲିମ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ । ଏହା ଓଡ଼ିଶାକୁ ବିପର୍ଯ୍ୟୟ ପରିଚାଳନାରେ ଏକ ଅଗ୍ରଣୀ ରାଜ୍ୟ ଭାବରେ ଗଢି ତୋଳିବ । ଜୈବିକ ବିପର୍ଯ୍ୟୟ ହେଉ ଅବା ଜଳବାୟୁ, ତାର ମୁକାବିଲା ପାଇଁ ଓଡ଼ିଶା ଭବିଷ୍ୟତରେ ସବୁବେଳେ ପ୍ରସ୍ତୁତ ରହିବ । ମିଶନ ମୋଡ୍‌ରେ କାମ ହାତକୁ ନିଆଯାଇ ରାଜ୍ୟକୁ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ପ୍ରତିରାଧୀ ରାଜ୍ୟ ଭାବରେ ଗଢି ତୋଳିବାକୁ ଟାସ୍କଫାର୍ସ ଗଠନ ହେବ । ଭବିଷ୍ୟତରେ ଯେକୌଣସି ଜରୁରୀ ପରିସ୍ଥିତି ପାଇଁ ଏହା ହେବ ରାଜ୍ୟର ସର୍ବ ବୃହତ ପ୍ରସ୍ତୁତି ।