ଓଡ଼ିଶା ସୁପର ମଡେଲ ଗ୍ରାଣ୍ଡ୍ ଫିନାଲେ: ସେଫାଳି ଓ ଅଙ୍କିତ୍ଙ୍କୁ ଓଡ଼ିଶା ସୁପରମଡେଲ କ୍ରାଉନ୍

ଭୁବନେଶ୍ୱର,୨୧ ।୪(ବ୍ୟୁରୋ): ଡିଲାଇଟ୍ ଶପର୍ସ ପ୍ରାଇଭେଟ ଲିମିଟେଡ(ଡିଏସ୍ପିଏଲ୍) ସହଯୋଗରେ ୟୁ ଫଙ୍କି ଇନ୍ ଷ୍ଟୋର୍ (ଟ୍ରେଣ୍ଡି ଆଣ୍ଡ୍ ଟ୍ରାଡିସନାଲ୍) ଦ୍ୱାରା ଆୟୋଜିତ ‘ଫ୍ୟାଶନ୍-ଜେଡ୍-୧୯ ଓଡ଼ିଶା ସୁପର୍ମଡେଲ୍’ ଗ୍ରାଣ୍ଡ ଫିନାଲେ ରବିବାର କିଟ୍ ଅଡିଟୋରିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୁଷ ବର୍ଗରେ ଅଙ୍କିତ୍ ମହାନ୍ତି ଓ ମହିଳା ବର୍ଗରେ ସେଫାଳି ଓଡ଼ିଶା ସୁପରମଡେଲ ଟାଇଟଲ୍ ବିଜେତା ହୋଇଛନ୍ତି । ସେହିପରି ପୁରୁଷ ବର୍ଗରେ ଅଙ୍କିତ୍ ମହାନ୍ତି ଓ ମହିଳା ବର୍ଗରେ ନୁପୂର ମହାନ୍ତି ଫଟୋଜନିକ୍ କ୍ରାଉନ୍ର ବିଜେତା ହୋଇଛନ୍ତି । ଜ୍ୟୋତ୍ସ୍ନା ସାହୁ ଓ ଅଭିନବ ସିଂହ ଯଥାକ୍ରମେ ବେଷ୍ଟ କ୍ୟାଟ୍ ୱାକ୍ ଓ ବେଷ୍ଟ ର୍ୟାମ୍ପ ୱାକ୍ ଟାଇଟଲ୍ ବିଜେତା ହୋଇଛନ୍ତି । ବୈଦ୍ୟନାଥ ନାରାୟଣ ସିଂହ ଓ ଯାଜ୍ଞସେନୀ ନାୟକ ଫେସ୍ ଅଫ୍ ଅଥେନ୍ଟିକ୍ ଓଡ଼ିଶା ଟାଇଟଲ୍ର ବିଜେତା ହୋଇଛନ୍ତି । ବେଷ୍ଟ ହେୟାର୍ ଭାବେ ପୁରୁଷରେ ଅଭିନବ ସିଂହ, ମହିଳାରେ କୁମୁଦିନୀ ପର୍ତ୍ତୀ ଓ ବେଷ୍ଟ ସ୍କିନ୍ ଭାବେ ପୁରୁଷରେ ମୁଜାହିଦ୍ ଖାନ୍, ମହିଳାରେ ଲିପିତା ମହାନ୍ତି ଙ୍କୁ ପୁରସ୍କୃତ କରାଯାଇଛି ରାଧା ନାଚେ ଶ୍ୟାମ୍ ବିନା ଗୀତର ତାଳେ ତାଳେ ମଞ୍ଚକୁ ଓହ୍ଲାଇଥିଲେ ମଡେଲ । ସମସ୍ତଙ୍କ ପରିଧାନରେ ବାରିହୋଇପଡିଥିଲା ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ କାରିଗରୀ ।

୪ଟି ପର୍ଯ୍ୟାୟରେ ନାମୀଦାମୀ ଡିଜାଇନରମାନଙ୍କ ଦ୍ୱାରା ପ୍ରସ୍ତୁତ ଡିଜାଇନ୍ ପିନ୍ଧି ମଞ୍ଚକୁ ଓହ୍ଲାଇଥିଲେ ଓଡ଼ିଶା ସୁପରମଡେଲର ପ୍ରତିଯୋଗୀମାନେ । ପ୍ରଥମ ପର୍ଯ୍ୟାୟରେ ନାମ ଥିଲା ପଟ୍ଟଶ୍ରୀ ପଟ୍ଟଚିତ୍ର । ଯେଉଁଥିରେ ବିଶ୍ୱଜିତ୍ ବାରିକଙ୍କ ଦ୍ୱାରା ପ୍ରସ୍ତୁତ ଡିଜାଇନ୍ ପିନ୍ଧି ମଞ୍ଚକୁ ଓହ୍ଲାଇଥିଲେ ମଡେଲମାନେ । ବିଶେଷ କରି ସିଲ୍କ, ଟସର ଓ କଟନ୍ ଉପରେ ପଟ୍ଟଚିତ୍ରର ସୁନ୍ଦର କାରିଗରୀ ବାରି ହୋଇପଡିଥିଲା ଏସବୁ ଡିଜାଇନ୍ରେ । ଦ୍ୱିତୀୟ ରାଉଣ୍ଡରେ ଡିଜାଇନର ବ୍ରୁଜ୍ଙ୍କ ଡିଜାଇନ୍ ପିନ୍ଧି ମଡେଲମାନେ ମଞ୍ଚକୁ ଓହ୍ଲାଇଥିଲେ । ୧୨ ଜଣ ପରୁଷ ମଡେଲ ସମ୍ବଲପୁରୀ ପ୍ରସ୍ତୁତ ଡିଜାଇନ୍ ପିନ୍ଧି ର୍ୟାମ୍ପରେ ଚାଲିଥିଲେ । ତୃତୀୟ ପର୍ଯ୍ୟାୟରେ ମଡେଲମାନେ ଏଥିନିକ୍ ଜିଓ ଥିମ୍ରେ ର୍ୟାମ୍ପରେ ଓହ୍ଲାଇଥିଲେ । ବେନୋଦିତା ଦାଶଙ୍କ ଦ୍ୱାରା ପ୍ରସ୍ତୁତ ଏହି ଡିଜାଇନ୍ରେ ସମ୍ବଲପୁରୀ ଇକ୍କତକୁ ଏକ ଭିନ୍ନ ଢ଼ଙ୍ଗରେ ଉପସ୍ଥାପିତ କରାଯାଇଛି ।

ପୂରବୀ ମିଶ୍ର କହିଛନ୍ତି, ୟୁ ଫଙ୍କି ଇନ୍ ଷ୍ଟୋର୍(ଟ୍ରେଣ୍ଡି ଆଣ୍ଡ୍ ଟ୍ରାଡିସନାଲ୍) ପକ୍ଷରୁ ଗତବର୍ଷ ଏହିଭଳି ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ୟୁ ଫଙ୍କି ଇନ୍ ଷ୍ଟୋର୍ ନବାଗତ ଡିଜାଇନ୍ରମାନଙ୍କ ହସ୍ତତନ୍ତକୁ ନେଇ ନୂଆ ନୂଆ ଡିଜାଇନ୍ କରିବାର ସୁଯୋଗ ଦେଉଛି । ଯେଉଁମାନଙ୍କ ଡିଜାଇନ୍କୁ ଲୋକଲୋଚନକୁ ଆଣିବା ପାଇଁ ମଡେଲରଙ୍କ ଆବଶ୍ୟକତା ବେଶୀ ରହିଛି । ସେଥିପାଇଁ ଷ୍ଟୋର୍ ପକ୍ଷରୁ ଅନଲାଇନ୍ରେ ଏକ କ୍ୟାମ୍ପେନ୍ କରାଯାଇଥିଲା । ଯେଉଁଥିରେ ବିଭିନ୍ନ କ୍ଷେତ୍ରରୁ ୭୦ଜଣ ପ୍ରତିଯୋଗୀ ଆବେଦନ କରିଥିଲେ ।
