
ଭୁବନେଶ୍ୱର,୧୪/୦୧: କୋଭିସିଲ୍ଡ ପରେ କୋଭାକ୍ସିନ୍ ଓଡ଼ିଶାରେ ପହଞ୍ଚିଛି। କୋଭିସିଲ୍ଡକୁ ଜିଲ୍ଲାକୁ ପଠାଯାଇ ସାରିଛି। ଜିଲ୍ଲା ଭ୍ୟାକସିନ୍ ସେଣ୍ଟରରେ ଟିକା ୨ରୁ ୮ ଡିଗ୍ରୀ ସେଲ୍ସିଅସ୍ରେ ସଂରକ୍ଷିତ ରଖାଯାଇଛି। ଟିକାଦେବାକୁ ଥିବା ଅଧିକାରୀ ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟ ତାଲିମ ନେଇଛନ୍ତି । ସବୁ ପ୍ରସ୍ତୁତି ସରିଛି । ମଝିରେ ଆଉ ମାତ୍ର ଦୁଇଟି ଦିନ । ଆସନ୍ତା ୧୬ ତାରିଖ ଅର୍ଥାତ ଶନିବାରଠୁ ରାଜ୍ୟରେ ଟିକାଦାନ ଆରମ୍ଭ ହେବ । ୧୬୦ ଟିକାକରଣ କେନ୍ଦ୍ରରେ ସକାଳ ୯ଟାରୁ ୫ ଯାଏ ଟିକାକରଣ ଚାଲିବ ।
ବୁଧବାର ସକାଳ ୯ଟାରେ ହାଇଦ୍ରାବାଦ ଭାରତ ବାୟୋଟେକ ଟିକା ଉତ୍ପାଦନକାରୀ ୟୁନିଟ୍ରୁ ସ୍ୱତନ୍ତ୍ର ବିମାନରେ ଆସିଥିଲା ଟିକା । ବିମାନ ବନ୍ଦରରୁ ରାଜ୍ୟ ଭ୍ୟାକ୍ସିନ୍ ଷ୍ଟୋରକୁ ଅଣାଯାଇଥିଲା ଟିକା । ଗତକାଲିଠାରୁ ଆସିଥିବା କୋଭିସିଲଡ୍ ଟିକାକୁ ଜିଲ୍ଲା ଟିକାକରଣ କେନ୍ଦ୍ରକୁ ସ୍ୱତନ୍ତ୍ର ଗାଡ଼ିରେ ପଠାଯାଇଛି । ଅଧିକାଂଶ ଜିଲ୍ଲାରେ ଟିକା ପହଞ୍ଚି ସାରିଛି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ସବୁ ଜିଲ୍ଲାରେ ଆଜି ପହଞ୍ଚିବ ଟିକା ।
ସବୁଠୁ ବେଶି ଟିକା କଟକ ଜିଲ୍ଲାକୁ ଯିବ । ଜିଲ୍ଲା ପାଇଁ ୧୯,୧୦୦ ଡୋଜ୍ କୋଭିସିଲ୍ଡ ପଠାଯାଇଛି। କ୍ୟାପିଟାଲ ହସ୍ପିଟାଲକୁ ସ୍ୱତନ୍ତ୍ର ଭାବେ ୧୬,୧୨୦ ଡୋଜ୍ କୋଭାକ୍ସିନ୍ ଟିକା ଦେବାକୁ ସ୍ଥିର ହୋଇଛି। ଏହାବାଦ୍ ଖୋର୍ଦ୍ଧା ଜିଲ୍ଲା ପାଇଁ ୮,୧୦୦ ଡୋଜ୍ କୋଭିସିଲଡ୍ ଡୋଜ୍ ଯାଇଛି । ଗଞ୍ଜାମକୁ ୧୬,୨୫୦ କୋଭିସିଲ୍ଡ ଟିକା ଯାଇଛି । ମୟୂରଭଞ୍ଜ ଜିଲ୍ଲାକୁ ୧୧,୯୦୦ ଓ ସୁନ୍ଦରଗଡ଼ ଜିଲ୍ଲାକୁ ୧୧,୫୫୦ ଟିକା ଯାଇଛି । ଦେବଗଡ଼ ଜିଲ୍ଲାକୁ ୧୬୫୦, ବୌଦ୍ଧକୁ ୧୯୫୦, ଝାରସୁଗୁଡ଼ାକୁ ୩୨୦୦, ନୂଆପଡ଼ାକୁ ୩,୬୦୦, ମାଲକାନଗିରିକୁ ୩,୬୦୦ ଓ ସୁବର୍ଣ୍ଣପୁରକୁ ୩,୬୫୦ ଡୋଜ୍ ଟିକା ଯାଇଛି ।
ଟିକାକରଣ ସମ୍ପର୍କରେ ଥିବା ଭୟ ଦୂର କରିବାକୁ ସ୍ୱାସ୍ଥ୍ୟ ବିଭାଗ ସାମ୍ବାଦିକ ସମ୍ମିଳନୀ କରିଛି । ବିଭାଗର ବୈଷୟିକ ପରାମର୍ଶଦାତା ପ୍ରଫେସର ଜୟନ୍ତ ପଣ୍ଡା କହିଛନ୍ତି, ଗୋଟିଏ ଦିନରେ ପ୍ରତ୍ୟେକ କେନ୍ଦ୍ରରେ ସର୍ବାଧିକ ୧୦୦ ଜଣଙ୍କୁ ଟିକା ଦିଆଯିବ । କମ୍ ହିତାଧିକାରୀ ଥିଲେ, ୨/୩ କେନ୍ଦ୍ରକୁ ମିଶାଇ ଗୋଟିଏ କରିଦିଆଯିବ । ତେବେ ହିତାଧିକାରୀ କମିଲେ, ଅନ୍ୟ କେନ୍ଦ୍ରରୁ ହିତାଧିକାରୀ ଆଣି ଟିକା ଦିଆଯାଇ ପାରିବନି । ଅର୍ଥାତ ସବୁଦିନ ନିର୍ଦ୍ଦିଷ୍ଟ ଟିକାକରଣ କେନ୍ଦ୍ରରେ କିଏ କିଏ ଟିକା ନେବେ, ତାହା ଆଗୁଆ ଚୂଡ଼ାନ୍ତ ହେବ । ପୂର୍ବରୁ ଯେଉଁମାନେ ହିତାଧିକାରୀ ଭାବେ ପଞ୍ଜୀକୃତ ହୋଇଛନ୍ତି, ସେମାନେ ଠିକ୍ ସମୟରେ ଆସି ଟିକା ନେବା ଦରକାର ।
ପଞ୍ଜିକରଣ ସମୟରେ ଯେଉଁ ପରିଚୟପତ୍ର ଦେଇଛନ୍ତି, ହେଲେ ଟିକାଦାନ କେନ୍ଦ୍ରକୁ ଗଲାବେଳେ ସମାନ ପରିଚୟପତ୍ର ନେଇ ଯିବା ଦରକାର । ଯଦି କୌଣସି କାରଣବଶତଃ ଉକ୍ତ ପରିଚୟପତ୍ର ନମିଳେ, ତେବେ ଟିକାକରଣ କେନ୍ଦ୍ରରେ ଥିବା ଅଧିକାରୀ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । କୌଣସି କାରଣ ପାଇଁ ଯଦି ନିର୍ଦ୍ଦିଷ୍ଟ ତାରିଖରେ ଟିକା ନନେଲେ, ଅନ୍ୟଦିନ ଟିକା ନେଇ ପାରିବେନି । ଟିକାକରଣ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଆଗୁଆ ଅବଗତ କରାଇଲେ ଯାଇ ଅନ୍ୟଦିନ ଧାର୍ଯ୍ୟ କରି ଟିକା ଦିଆଯାଇପାରିବ । ଟିକାଦାନ ପରେ ପାଶ୍ୱର୍ ପ୍ରତିକ୍ରିୟା ହେଲେ, ଡାକ୍ତର କିମ୍ବା ନର୍ସଙ୍କୁ ଯୋଗାଯୋଗ କରିବେ । ଗୁରୁତର ହେଲେ ରୋଗୀଙ୍କୁ ଆମ୍ବୁଲାନ୍ସରେ ଆଣି ଚିକିତ୍ସା କରିବାର ବ୍ୟବସ୍ଥା କରାଯାଇଛି । ଜଣେ ବ୍ୟକ୍ତି ଟିକା ନେବାର ପ୍ରଥମ ଡୋଜ୍ ପରେ କୋଭିଡ୍ ଚିହ୍ନଟ ହେଲେ, ଦ୍ୱିତୀୟ ଡୋଜ୍ ୨୮ ଦିନ ପରେ ନେବେନି । ଦ୍ୱିତୀୟ ଡୋଜ୍ ନେବାକୁ ହେଲେ, ତାଙ୍କୁ ଲକ୍ଷଣ ମୁକ୍ତ ହେବାକୁ ପଡିବ । ଲକ୍ଷଣ ଯିବାର ଅତିକମ୍ରେ ୧୪ ଦିନ ପରେ ଯାଇ ଦ୍ୱିତୀୟ ଡୋଜ୍ ଦିଆଯିବ ।
ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଟିକାକରଣ ପାଇଁ ୪ ଲକ୍ଷ ୨୮ ହଜାର ଡୋଜ୍ ଆସି ପହଞ୍ଚିଛି । ୧ ଲକ୍ଷ ୯୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ନିଷ୍ପତ୍ତି ହୋଇଛି । ୧୬ ତାରିଖ ପରେ ଆବଶ୍ୟକ ହେଲେ, ଅଧିକ ସଂଖ୍ୟାରେ କେନ୍ଦ୍ର ଖୋଲିବ । ସପ୍ତାହ ମଧ୍ୟରେ ଟିକାକରଣ ସାରିବାକୁ ନିଷ୍ପତ୍ତି ହୋଇଛି । ଟିକାଦାନ ସମୟରେ ବୟସ୍କଙ୍କୁ ଅଗ୍ରାଧିକାର ଦିଆଯିବ । ପଞ୍ଜିକୃତ ମୋବାଇଲ୍ ନମ୍ବରରେ ଟିକାଦାନ ସମ୍ପର୍କରେ ସୂଚନା ଦିଆଯିବ । ଏହାବାଦ୍ ଅଧିକ ଜାଣିବାକୁ ୧୦୪କୁ ମଧ୍ୟ ଯୋଗାଯୋଗ କରିପାରିବେ । ସରକାରୀ ଓ ବେସରକାରୀ ସ୍ତରରେ ଗୁରୁତର ରୋଗୀଙ୍କୁ ଚିକିତ୍ସା କରୁଥିବା ଅନୁଷ୍ଠାନକୁ ଆଗୁଆ ଚିହ୍ନଟ କରାଯାଇଛି । ପରବର୍ତ୍ତୀ ସମୟରେ ଦ୍ୱିତୀୟ ଓ ପ୍ରାଥମିକ ଚିକିତ୍ସା ଦେଉଥିବା ଅନୁଷ୍ଠାନକୁ ସାମିଲ କରାଯିବ ।
ଟିକାକରଣରେ ଡାଟାବେସ୍ରେ ପୂର୍ବରୁ ସରପଞ୍ଚଙ୍କ ନାମ ରହିଥିବା ବେଳେ ଏବେ ପଞ୍ଚାୟତ ସମିତିସଭ୍ୟଙ୍କୁ ମଧ୍ୟ ସାମିଲ କରାଯିବ । ଏ ନେଇ ଡାଟାବେସ୍ ତୁରନ୍ତ ପ୍ରଦାନ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓସ୍ଡମା ଜିଏମ୍ ।