ରସଗୋଲା ଜିଆଇ ଟ୍ୟାଗ୍ ଲଢ଼େଇ: ଏପ୍ରିଲ ସୁଦ୍ଧା ପ୍ରମାଣ ରଖିବ ଓଡ଼ିଶା

source:www.youtube.com
ଭୁବନେଶ୍ୱର,୫ା୩(ବ୍ୟୁରୋ): ରସଗୋଲାର ଭୌଗଳିକ ଉତ୍ପତ୍ତି ସ୍ଥଳ (ଜିଆଇ) ଟ୍ୟାଗ୍ ନେଇ ଓଡ଼ିଶା-ପଶ୍ଚିମବଙ୍ଗ ଭିତରେ ଚାଲିଥିବା ଲଢ଼େଇ ନୂଆ ମୋଡ଼ ନେଇଛି । ଜିଆଇ ଟ୍ୟାଗ୍ ଜାରି କରୁଥିବା ଚେନ୍ନାଇସ୍ଥିତ ସଂସ୍ଥା ନିକଟରେ ଓଡ଼ିଶା ସରକାର ଏପ୍ରିଲ ମାସ ସୁଦ୍ଧା ରସଗୋଲାର ଦାବିଦାରୀ ନେଇ ସମସ୍ତ ଦସ୍ତାବିଜ ଓ ପ୍ରମାଣ ଦାଖଲ କରିବେ । ଏପ୍ରିଲରେ ହିଁ ଏହି ମାମଲାର ବିଚାର ହେବ । ୨୦୧୫ରୁ ରସଗୋଲାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ଭିତରେ ବିବାଦ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ କହୁଛି, ରସଗୋଲାର ଜନ୍ମ ପଶ୍ଚିମବଙ୍ଗରୁ । ଓଡ଼ିଶା ବି ଦାବି କରୁଛି, ରସଗୋଲା ଆମର । ଜଗନ୍ନାଥ ପରମ୍ପରାରେ କେଉଁ ଯୁଗରୁ ରସଗୋଲା ଭୋଗ ଲାଗି ଆସୁଛି । ତେବେ ରସଗୋଲା କାହାର? ଏହାକୁ ନେଇ ଭଭୟ ରାଜ୍ୟ ଭିତରେ ବିବାଦ ଲାଗିଥିବାବେଳେ ୨୦୧୭ ନଭେମ୍ବରରେ ରସଗୋଲା ଲଢ଼େଇରେ ବାଜି ମାରି ପ.ବଙ୍ଗ । ହାତେଇ ନେଇଥିଲା ଜିଆଇ ଟ୍ୟାଗ୍ । ଏହା ପରେ ଓଡ଼ିଶାର ଚେତା ପଶିଥିଲା ।
ରାଜ୍ୟ କ୍ଷୁଦ୍ର ଶିଳ୍ପ ନିଗମ (ଓଏସ୍ଆଇସି) ରସଗୋଲାର ଜିଆଇ ଟ୍ୟାଗ୍ ପାଇଁ ଦାବିଦାରୀ ରଖିଥିଲା । ପିଟିସନ୍ ଦାଖଲ କରିଥିଲା ଚେନ୍ନାଇସ୍ଥିତ ଜିଆଇ ଟ୍ୟାଗ୍ ଜାରି କରୁଥିବା ସଂସ୍ଥା ନିକଟରେ । ଏହି ମାମଲାରେ ଉକ୍ତ ସଂସ୍ଥା ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଏପ୍ରିଲରେ ଏହି ପିଟିସନ୍ ଉପରେ ଶୁଣାଣି ହେବ । ଏହା ପୂର୍ବରୁ ରସଗୋଲାର ଉତ୍ପତ୍ତି ସ୍ଥଳ ନେଇ ଓଡ଼ିଶା ନିଜର ପ୍ରମାଣ ଓ ଦସ୍ତାବିଜ୍ ଦାଖଲ କରୁ । ନଚେତ୍ ଓଡ଼ିଶା କରିଥିବା ଆବେଦନକୁ ଖାରଜ କରାଯିବ ।