କୋଭିଡ୍‌- ୧୯ ମୁକାବିଲା ପାଇଁ ଓଡ଼ିଶା ଖୋଲିବ ଦେଶର ବୃହତ୍‌ କରୋନା ହସ୍ପିଟାଲ: ସମ୍‌ରେ ୫୦୦ ଶଯ୍ୟା ସହ ଆଇସିୟୁ ସୁବିଧା, କିମ୍ସରେ ରହିବ ୪୫୦ ଶଯ୍ୟା

ଭୁବନେଶ୍ୱର୨୭/୩ : ଓଡ଼ିଶା ତିଆରି କରିବ ୧୦୦୦ ବେଡ୍‌ ବିଶିଷ୍ଟ କରୋନା ହସ୍ପିଟାଲ । ମାରାତ୍ମକ କୋଭିଡ୍‌- ୧୯ ଚିକିତ୍ସା ପାଇଁ ରାଜ୍ୟ ସରକାର ଏଭଳି ବଡ଼ ପଦକ୍ଷେପ ନେଇଛନ୍ତି । ଏହି ହସ୍ପିଟାଲ ଦେଶରେ ସର୍ବବୃହତ ସ୍ୱତନ୍ତ୍ର କରୋନା ହସ୍ପିଟାଲ ହେବ । ସମ୍‌ ଓ କିମ୍ସ ସହିତ ସରକାର ଏଥିପାଇଁ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରିଛନ୍ତି । ଆସନ୍ତା ୧୫ ଦିନ ମଧ୍ୟରେ ଏହି ହସ୍ପିଟାଲ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ପ୍ରସ୍ତୁତ ହୋଇଯିବ । ହସ୍ପିଟାଲ ନିର୍ମାଣ ପାଇଁ ମହାନଦୀ କୋଲ୍ଡ ଫିଲ୍ଡ ଲିଃ (ଏମ୍‌ସିଏଲ୍‌) ଏବଂ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ସିଏସ୍‌ଆର୍‌ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦେବ ।

କରୋନା ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନେଇ ଉଦାହରଣ ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି । କରୋନା ଚିକିତ୍ସା ପାଇଁ ସମ୍‌ ହସ୍ପିଟାଲ ପକ୍ଷରୁ ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ହସ୍ପିଟାଲ ଖୋଲିବ । ଏହା ସହିତ ଆଇସିୟୁର ଅତିରିକ୍ତ ଶଯ୍ୟା ରହିବ । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ-୨ କନ୍‌ଭେନସନ ସେଣ୍ଟରରେ ସମ୍‌ ୫୦୦ ଶଯ୍ୟାର ହସ୍ପିଟାଲ ଚଳାଇବ । ସମସ୍ତ ବେଡ୍‌ରେ ଆଇସୋଲସନ ସୁବିଧା ରହିବ। ତ୍ରିପାକ୍ଷିକ ବୁଝାମଣାପତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ସମ୍‌ ହସ୍ପିଟାଲ ପକ୍ଷରୁ ଅଧୀକ୍ଷକ ପ୍ରଫେସର ଡକ୍ଟର ପୁଷ୍ପରାଜ ସାମନ୍ତସିଂହାର ଓ ଏମ୍‌ସିଏଲ୍‌ ପକ୍ଷରୁ ଏସ୍‌.ଏସ୍‌ ପଣ୍ଡା ସ୍ୱାକ୍ଷର କରିଛନ୍ତି । ଏହି ଅବସରରେ ସୋଆ କୁଳପତି ପ୍ରଫେସର ଅଶୋକ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ । ଏହାବାଦ୍‌ ସମ୍‌ ହସ୍ପିଟାଲ ପକ୍ଷରୁ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି । କେନ୍ଦ୍ରାପଡ଼ା ଓ ଅନୁଗୁଳଠାରେ ସ୍ୱତନ୍ତ୍ର ଭାବେ ଦୁଇଟି ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ୧୯ ହସ୍ପିଟାଲ ଆରମ୍ଭ କରିବ ସମ୍‌ ।

ବୁଝାମଣାପତ୍ର ସ୍ୱାକ୍ଷର ପରେ ସୋଆ କୁଳପତି ପ୍ରଫେସର ଅଶୋକ ମହାପାତ୍ର କହିଛନ୍ତି, ରାଜ୍ୟ ସରକାର କରୋନା ନିୟନ୍ତ୍ରଣ ପାଇଁ ନେଇଥିବା ପଦକ୍ଷେପ ପ୍ରଶଂସନୀୟ । ଏବେ ରାଜ୍ୟରେ କରୋନା ଚିକିତ୍ସା ପାଇଁ ଦୁଇଟି ସ୍ୱତନ୍ତ୍ର କରୋନା ହସ୍ପିଟାଲ ଖୋଲିବ, ଯେଉଁଠି କେବଳ କରୋନା ରୋଗୀ ଚିକିତ୍ସିତ ହେବେ । ଲକ୍ଷଣ ଥିବା ରୋଗୀମାନେ ସ୍ୱତନ୍ତ୍ର ହସ୍ପିଟାଲକୁ ଆସିଲେ, ସେମାନଙ୍କୁ ଓପିଡିଠୁ ସୁବିଧା ଦିଆଯିବ । ଏହା ସହ ଗୁରୁତର ରୋଗୀଙ୍କୁ ସମସ୍ତ ଚିକିତ୍ସା ମିଳିପାରିବ। ହସ୍ପିଟାଲ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଓ ପରାମେଡିକ୍ସଙ୍କୁ ମୁତୟନ କରାଯିବ । କରୋନା ମୁକାବିଲା ପାଇଁ ସମ୍‌ ହସ୍ପିଟାଲକୁ ସୁଯୋଗ ଦିଆଯାଇଥିବାରୁ ରାଜ୍ୟ ସରକାରଙ୍କୁ ସୋଆ ପ୍ରତିଷ୍ଠାତା ପ୍ରଫେସର ମନୋଜ ରଂଜନ ନାୟକ ଧନ୍ୟବାଦ ଜଣାଇଛନ୍ତି ।

ସେହିଭଳି କିମ୍ସ ସହ ହୋଇଥିବା ବୁଝାମଣାପତ୍ର ଅନୁଯାୟୀ କରୋନା ଚିକିତ୍ସା ପାଇଁ କିମ୍ସ ୪୫୦ ବେଡ୍‌ର ସ୍ୱତନ୍ତ୍ର ହସ୍ପିଟାଲ କରିବ । ଓଏମ୍‌ସି ଏଥିପାଇଁ କିମ୍ସକୁ ସହାୟତା ଦେବ । ଏଠି ମଧ୍ୟ ହସ୍ପିଟାଲ ସ୍ୱତନ୍ତ୍ର ଭାବେ କାମ କରିବ । ଡାକ୍ତର ଓ ପରାମେଡିକ୍ସ ସ୍ୱତନ୍ତ୍ର ଭାବେ ମୁତୟନ ହେବେ ।

ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ସମ୍‌ , କିମ୍ସ ଓ କର୍ପୋରେଟ୍‌ ସଂସ୍ଥା ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହ ଲୋକଙ୍କ ପାଇଁ ହୋଇଥିବା ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

କୋଭିଡ ୧୯ ଏବେ ସାରା ବିଶ୍ୱରେ ମହାମାରୀ ରୂପ ନେଇଛି । ଉନ୍ନତ ସ୍ୱାସ୍ଥ୍ୟସେବା ସୁବିଧା ଥିବା ଆମେରିକା ଓ ଇଟାଲୀ ଏଭଳି ସମୟରେ ସଙ୍କଟରେ ପଡ଼ିଛନ୍ତି । ସେମାନଙ୍କଠାରୁ ଆମକୁ ଯାହା ଶିଖିବାକୁ ମିଳିଛି, ତାହା ହେଲା କୋଭିଡ୍‌ ଆକ୍ରାନ୍ତଙ୍କ ପାଇଁ ସ୍ୱତନ୍ତ୍ର ହସ୍ପିଟାଲର ଆବଶ୍ୟକତା । ସ୍ୱତନ୍ତ୍ର ହସ୍ପିଟାଲ ହେଲେ କରୋନା ସନ୍ଦିଗ୍ଧ ଓ ରୋଗୀ ଅନ୍ୟ ହସ୍ପିଟାଲକୁ ନ ଯାଇ ସ୍ୱତନ୍ତ୍ର ହସ୍ପିଟାଲକୁ ଯିବେ । ଫଳରେ ଅନ୍ୟମାନଙ୍କୁ ଏହା ସଂକ୍ରମଣ ହେବାର ଆଶଙ୍କା ହ୍ରାସ ପାଇବ । ଏଥିପାଇଁ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ।

ଭୁବନେଶ୍ୱର ପରେ ରାଜ୍ୟର ଅନ୍ୟ ସହରରେ ମଧ୍ୟ କୋଭିଡ ୧୯ର ସ୍ୱତନ୍ତ୍ର ହସ୍ପିଟାଲ ଖୋଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏମ୍‌ଓୟୁ ସ୍ୱାକ୍ଷର ସମୟରେ ସାଂସଦ ଅଚ୍ୟୁତ ସାମନ୍ତ, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପରାମର୍ଶଦାତା ଆର୍‌.ବାଲାକ୍ରିଷ୍ଣନ, ୫-ଟି ସଚିବ ଭି.କେ.ପାଣ୍ଡିଆନ, ଓଏମ୍‌ସି ଚେୟାରମ୍ୟାନ ସଂଜୀବ ଚୋପ୍ରା, ସୋଆ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।

   ସମ୍ବନ୍ଧିତ ଖବର


କରୋନା ସହ ଲଢ଼ିବା ପାଇଁ Google Doodle ର ନୂତନ ଅବତାର : ମହାମାରୀକୁ କିପରି ରୋକି ହେବ ଜାଣନ୍ତୁ

ନନ୍ଦନକାନନରେ ଶାଗୁଣା ମୃତ: ରଣପୁରରୁ ହୋଇଥିଲା ଉଦ୍ଧାର

ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ମାଗିଲେ ୯ ମିନିଟ… ସମର୍ଥନରେ ବଲିଉଡ୍‌ ସେଲିବ୍ରିଟି

କର୍ତ୍ତବ୍ୟ ଆଗ, ନାହିଁ କରୋନାକୁ ଡର : ସଂକ୍ରମଣକୁ ଖାତିର ନକରି କାମ କରିଚାଲିଛନ୍ତି ସଫେଇ କର୍ମଚାରୀ