ଓଲା, ଉବର ପାଇଁ ନୂଆ ଗାଇଡ୍‌ଲାଇନ ଜାରି: କ୍ୟାବ୍‌ ଡ୍ରାଇଭର ପାଇବେ ୮୦% ଭଡ଼ା, ମୋଟ ଭଡ଼ାର ୨୦% ରଖିପାରିବେ ଆଗ୍ରିଗେଟର

ନୂଆଦିଲ୍ଲୀ,୨୮/୧୧:ଓଲା ଏବଂ ଉବର ଭଳି କ୍ୟାବ୍‌ ଆଗ୍ରିଗେଟରଙ୍କ ପାଇଁ ନୂଆ ନିୟମ ଜାରି କରିଛି ପରିବହନ ମନ୍ତ୍ରାଳୟ । ଦେଶର ରାଇଡ୍‌-ହେଲିଂ ସେବା ପାଇଁ ଜାରି ହୋଇଛି ଏହି ନିୟମ । ଏହା ଅନ୍ତର୍ଗତ ଆଗ୍ରିଗେଟରଗୁଡିକ ମୋଟ ଭଡ଼ାର ୨୦% ହିଁ ନେଇପାରିବେ । ନୂଆ ମୋଟର ଯାନ ଏଗ୍ରିଗେଟର ଗାଇଡ୍‌ଲାଇନରେ ଅନେକ ସଂଶୋଧିତ ନିୟମ ଅଣାଯାଇଛି ।

ନୂଆ ନିୟମ ଅନୁସାରେ, ପ୍ରତି ଡ୍ରାଇଭ୍‌ରେ ଡ୍ରାଇଭରଙ୍କୁ ୮୦% ଭଡ଼ା ମିଳିବ । ଅନ୍ୟପକ୍ଷରେ, ଆଗ୍ରିଗେଟରଙ୍କ ନିକଟକୁ ଭଡ଼ାର ୨୦% ହିଁ ଯିବ । ଏଗ୍ରିଗେଟରକୁ ମୂଳ ଭଡ଼ାରୁ ୫୦% କମ୍‌ ଭଡ଼ା ଚାର୍ଜ କରିବାର ଅନୁମତି ମିଳିବ । ବର୍ଦ୍ଧିତ ଦରକୁ ମୂଳ ଭଡ଼ାର ୧.୫ ଗୁଣ ମଧ୍ୟରେ ସୀମିତ ରଖାଯିବ । କ୍ୟାନ୍‌ସେଲସନ୍‌ ଫି’କୁ ମୋଟ ଭଡ଼ାର ୧୦% କରାଯାଇଛି। ଯାତ୍ରୀ ଏବଂ ଚାଳକ ଉଭୟଙ୍କ ପାଇଁ ଏହା ୧୦୦ ଟଙ୍କାରୁ ଅଧିକ ହେବ ନାହିଁ । ମୂଳ ଭଡ଼ା ସର୍ବନିମ୍ନ ୩ କିଲୋମିଟର ପାଇଁ ଧାର୍ଯ୍ୟ ହେବ ।

ଏଗ୍ରିଗେଟରଙ୍କୁ ଡାଟା ସ୍ଥାନୀୟକରଣ ନେଇ ସୁନିଶ୍ଚିତ କରିବାକୁ ପଡ଼ିବ । ଡାଟାକୁ ଭାରତ ସରକାରଙ୍କ ନିୟମ ଅନୁସାରେ ସୁଲଭ କରିବାକୁ ହେବ । ଆପ୍‌ରୁ ସଂଗୃହିତ ଡାଟା ଯେପରି ଭାରତୀୟ ସର୍ଭରରେ ରହିବ ତାହା ନିଶ୍ଚିତ କରିବାକୁ ପଡ଼ିବ । ଏହି ଡାଟା ସର୍ବନିମ୍ନ ୩ ମାସ ଏବଂ ସର୍ବାଧିକ ୪ ମାସ ପର୍ଯ୍ୟନ୍ତ ଷ୍ଟୋର ରଖାଯାଇପାରିବ । କିନ୍ତୁ ଗ୍ରାହକଙ୍କ ତଥ୍ୟକୁ ୟୁଜରଙ୍କ ବିନା ସହମତିରେ ସେୟାର କରାଯାଇପାରିବ ନାହିଁ ।କ୍ୟାବ୍‌ ଆଗ୍ରିଗେଟରଙ୍କୁ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ସ୍ଥାପନ କରିବାକୁ ହେବ ଏବଂ ସମସ୍ତ ଡ୍ରାଇଭରଙ୍କୁ ପ୍ରତି ସମୟରେ କଣ୍ଟ୍ରୋଲ ରୁମ୍‌ ସହ ଜଡ଼ିତ ରହିବାକୁ ପଡ଼ିବ । ଏହାକୁ ଅନିବାର୍ଯ୍ୟ କରାଯାଇଛି । ଯାନ ପିଛା ଗୋଟିଏ କ୍ୟାଲେଣ୍ଡର ଦିନରେ ସର୍ବାଧିକ ୪ଟି ରାଇଡ୍‌ ସେୟାରିଂ ଇଣ୍ଟ୍ରା-ସିଟି ଟ୍ରିପ୍‌ ଏବଂ ପ୍ରତି ସପ୍ତାହରେ ସର୍ବାଧିକ ୨ଟି ରାଇଡ୍‌-ସେୟାରିଂ ଇଣ୍ଟର୍‌ ସିଟି ଟ୍ରିପ୍‌ର ଅନୁମତି ରହିବ ।

ଏହାବ୍ୟତୀତ ରାଜ୍ୟ ସରକାର ସରକାରୀ ରାଜକୋଷ ପାଇଁ ବିଜ୍ଞପ୍ତି ମାଧ୍ୟମରେ ମୋଟ ଭଡ଼ାର ୨% କିମ୍ବା ଏହାଠାରୁ ଅଧିକ ଟିକସ ଅସୁଲ କରିପାରିବେ । କରୋନା ମହାମାରୀର ତାଣ୍ଡବଲୀଳା ମଧ୍ୟରେ କ୍ୟାବ୍‌ ବ୍ୟବସାୟ ବୃହତ୍‌ ମାତ୍ରାରେ ପ୍ରଭାବିତ ହୋଇଥିବାବେଳେ ଏ ନିଷ୍ପତ୍ତି ସେମାନଙ୍କ ପାଇଁ ନୂଆ ସମସ୍ୟା ଛିଡାକରିବ । ଏପ୍ରିଲ-ମେ’ ଲକ୍‌ଡାଉନ୍‌ ମଧ୍ୟରେ ଉବର ଏବଂ ଓଲା ଭଳି କମ୍ପାନିଗୁଡିକର ବ୍ୟବସାୟ ବୃହତ୍‌ ମାତ୍ରାରେ ପ୍ରଭାବିତ ହୋଇଛି । ୨୦୧୯ରେ ଉବର ଗୋଟିଏ ସପ୍ତାହରେ ୧ କୋଟି ୪୦ ଲକ୍ଷ ରାଇଡ୍‌ ଦେଇଥିବାବେଳେ ଆଲୋଚ୍ୟ ସମୟରେ ଓଲା ୨.୮ କୋଟି ରାଇଡ୍‌ ଦେଇଥିବା ପ୍ରକାଶ କରିଛି ।