Ola-Uber ଉପରେ ସରକାରଙ୍କ କଟକଣା, ଆଉ ନେଇ ପାରିବେନି ଅଧିକ ଭଡ଼ା

ନୂଆଦିଲ୍ଲୀ,୨୮/ ୧୧: ଓଲା ଓ ଉବେର ଭଳି କ୍ୟାବ ଏଗ୍ରିଗେଟର କମ୍ପାନୀ ଗୁଡ଼ିକ ଶିଖର ସମୟ ମଧ୍ୟରେ ଭଡ଼ାର ମୂଲ୍ୟକୁ ବହୁଗୁଣା କରି ଦେଇଥାନ୍ତି। ଯାହାକୁ ନଜରରେ ରଖି କେନ୍ଦ୍ର ସରକାର ଏହି ସବୁ କମ୍ପାନୀଗୁଡ଼ିକ ଉପରେ କଟକଣା ଲଗାଇବାକୁ ପ୍ରସ୍ତୁତି କରୁଛନ୍ତି। ଓଲା ଉବେର ଭଳି କ୍ୟାବ୍‌ ଏଗ୍ରିଗେଟର କମ୍ପାନୀ ଗୁଡ଼ିକ ଆଉ ମନଇଚ୍ଛା ଭଡ଼ାର ମୂଲ୍ୟ ବୃଦ୍ଧି କରି ପାରିବେ ନାହିଁ। କାରଣ ସରକାର ଶୁକ୍ରବାର ଦିନ ଏନେଇ ଏକ ସୀମା ଧାର୍ଯ୍ୟ କରିଛନ୍ତି। ଏବେ ଏହି ସବୁ କମ୍ପାନୀଗୁଡ଼ିକ ମୂଳ ଭଡ଼ାର ଦେଢ଼ଗୁଣା ପର୍ଯ୍ୟନ୍ତ ହିଁ ଅଧିକ ଭଡ଼ା ନେଇ ପାରିବେ ବୋଲି କୁହାଯାଇଛି।

ସରକାରଙ୍କ ଏହି ପଦକ୍ଷେପ ଗୁରୁତ୍ବପୂର୍ଣ୍ଣ ମଧ୍ୟ। କାରଣ ବହୁ ସମୟରୁ କ୍ୟାବରେ ଯାତ୍ରା କରୁଥିବା ଯାତ୍ରୀ ମାନେ କମ୍ପାନିର ଅଧିକା ଭଡ଼ା ଉପରେ ଲଗାମ ଲଗେଇବାକୁ ଦାବି କରି ଆସୁଥିଲେ। ସୂଚନାଥାଉକି, ପ୍ରଥମଥର ପାଇଁ ଭାରତରେ ଓଲା, ଉବେର ଭଳି କ୍ୟାବ ଏଗ୍ରିଗେଟରମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ସରକାର ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ଦ୍ବାରା ଶୁକ୍ରବାର ଜାରି ହୋଇଥିବା ମୋଟର ଭେକିଲ ଏଗ୍ରିଗେଟରସ ଗାଇଡଲାଇନ୍‌ ୨୦୨୦ ଅନୁସାରେ ଏଗ୍ରିଗେଟର କମ୍ପାନୀଗୁଡ଼ିକ ମୂଳ ଭଡ଼ାର ସର୍ବନିମ୍ନ ଭଡ଼ା ୫୦ ପ୍ରତିଶତ ଓ ସର୍ବୋଚ୍ଚ ଭଡ଼ା ଦେଢ଼ ଗୁଣ ଅଧିକ ଅଧିକ ନେଇ ପାରିବେ ନେଇ ମଞ୍ଜୁରୀ ପ୍ରଦାନ କରାଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ, ଯେଉଁ ରାଜ୍ୟରେ ସହରରେ ଚଳପ୍ରଚଳ କରୁଥିବା ଟ୍ୟାକ୍ସିର ଭଡ଼ା ରାଜ୍ୟ ସରକାର ନିର୍ଦ୍ଧାରିତ କରି ନାହାନ୍ତି। ସେହି ସବୁ ସ୍ଥାନରେ ୨୫ରୁ ୩୦ ଟଙ୍କା ପର୍ଯ୍ୟନ୍ତ ମୂଳ ଭଡ଼ା ଭାବେ ବିବେଚନା କରାଯିବ। ରାଜ୍ୟ ସରକାର ଏଗ୍ରିଗେଟର ଦ୍ବାରା ଯୋଡ଼ି ହୋଇଥିବା ଅନ୍ୟ ଗାଡ଼ି ଗୁଡ଼ିକ ନୂଆ ନିର୍ଦ୍ଦେଶାବଳୀ ଅନୁସାରେ ଭଡ଼ା ନିର୍ଦ୍ଧାରିତ କରିପାରିବେ।