ପହିଲାରୁ ନୂଆ ମୋଟର ଯାନ ଆଇନ: ଓଲା, ଉବେର୍‌ ଉପରେ ଲାଗିବ ଲଗାମ୍‌

କଟକ,୨୯ା୮(ବ୍ୟୁରୋ): ଆସନ୍ତା ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ଲାଗୁ ହେବାକୁ ଯାଉଛି ନୂତନ ମୋଟର ଯାନ ଆଇନ । ଦୁର୍ଘଟଣା ହ୍ରାସ କରିବା ପାଇଁ ଏହି ଆଇନରେ ରାଜ୍ୟ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ କଠୋର ନିଷ୍ପତ୍ତି ଗ୍ରହଣ କରୁଛନ୍ତି । ଏଥିରେ ବିଭିନ୍ନ ଆଇନ ଉଲ୍ଲଂଘନ ପାଇଁ ଅର୍ଥଦଣ୍ଡ ଜରିମାନା ରାଶିକୁ ସର୍ବନିମ୍ନ ୧ହଜାର ଟଙ୍କା କରାଯାଇଛି । ବିଶେଷକରି କିଛି ଗାଡି ଡିଲର୍‌ ମନମୁଖି ଭାବେ ଗାଡ଼ି ବିକ୍ରି, ଖରିଦ୍‌ କରୁଥିଲା ବେଳେ ଏହି ଆଇନରେ ସେମାନଙ୍କ ଉପରେ ଅଙ୍କୁଶ ଲଗାଯାଇଛି । କୌଣସି ଗାଡ଼ି ଡିଲର୍‌ ଗାଡ଼ି ବିକ୍ରି କଲା ବେଳେ ଯଦି କୌଣସି ଆଇନର ଉଲ୍ଲଂଘନ କରନ୍ତି ତାହେଲେ ଏଥିପାଇଁ ସର୍ବନିମ୍ନ ୧ ଲକ୍ଷ ଟଙ୍କାର ଜରିମାନା ଦେବେ । ଓଲା, ଉବେର୍‌ ଭଳି ସଂସ୍ଥାର ଗାଡ଼ିଗୁଡ଼ିକୁ ଏହି ଆଇନ ବଳରେ ପ୍ରଥମ ଥର ଲାଗି ରାଜ୍ୟ ସରକାର ନିଜ ନିୟନ୍ତ୍ରଣକୁ ନେଉଛନ୍ତି । ଏଣିକି ଓଲା, ଉବେର୍‌ ଗାଡ଼ି ଆଉ ମନମୁଖି ଭାବେ ଚାଲିପାରିବ ନାହିଁ । ଯେକୌଣସି କାର୍ଯ୍ୟ ପାଇଁ ସେସବୁ ଗାଡ଼ି ସରକାରଙ୍କ ନିକଟରେ ଉତ୍ତରଦାୟୀ ରହିବେ ।

ଆଜି ଏ ନେଇ ରାଜ୍ୟ ସରକାର ଏକ ଚୂଡ଼ାନ୍ତ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଏବଂ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ଶ୍ରୀନିବାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଆଇନ କାର୍ଯ୍ୟକାରୀ ହେବାକୁ ଯାଉଛି । ନୂଆ ଆଇନରେ କୁହାଯାଇଛି ଯେ, ଯଦି କୌଣସି ଗାଡ଼ି ଡିଲର ବିନା ପଞ୍ଜୀକରଣରେ, ବିନା ନମ୍ବର ପ୍ଲେଟ୍‌ରେ ଗାଡ଼ି ବିକ୍ରି କରୁଥାନ୍ତି ଏବଂ ପଞ୍ଜୀକରଣ ପାଇଁ ବିଳମ୍ବ କରୁଥାନ୍ତି ତାହେଲେ ଉକ୍ତ ଗାଡ଼ି ପାଇଁ ସରକାରଙ୍କୁ ଯେତିକି ଟିକସ ଦେବାକୁ ପଡ଼େ ତାହାର ୧୫ ଗୁଣା ଅଧିକ ଜରିମାନା ଗାଡି ମାଲିକଙ୍କୁ ଦେବାକୁ ପଡ଼ିବ । ସେହିପରି ଗାଡ଼ି ପଞ୍ଜୀକରଣ ପାଇଁ ଗାଡ଼ି ଡିଲର ଯଦି ଭୁଲ୍‌ କାଗଜପତ୍ର ଦେଇଥାନ୍ତି ତାହେଲେ ଗାଡ଼ି ଟିକସର ୧୦ଗୁଣା ଅଧିକ ଅର୍ଥ ତାଙ୍କୁ ଜରିମାନା ଆକାରରେ ଦେବାକୁ ପଡିବ । ଗୋଟିଏ ଗାଡ଼ି ଯଦି ପ୍ରସ୍ତୁତକାରୀ କମ୍ପାନୀରୁ ଆସିବା ପରେ ଡିଲର୍‌ ତାହାର ମୂଳ ଢାଞ୍ଚାରେ କୌଣସି ପରିବର୍ତ୍ତନ କରନ୍ତି ତାହେଲେ ଏଥିପାଇଁ ତାଙ୍କୁ ପ୍ରତି ଗାଡ଼ି ପିଛା (ଯେତିକିଟି ଗାଡ଼ିର ଢାଞ୍ଚାରେ ପରିବର୍ତ୍ତନ ହୋଇଥିବ) ୧ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିବ । ଅର୍ଥାତ ଗାଡ଼ିର କୌଣସି ପାର୍ଟକୁ ବଦଳାଇ ଏହାକୁ ଅନ୍ୟ ଏକ ଢାଞ୍ଚା କରି ଲଗାଇଥିଲେ ଜରିମାନା ଦେବେ । ସେହିପରି କୌଣସି ଗାଡ଼ିର ଆକାରରେ ଯଦି କୌଣସି ପରିବର୍ତ୍ତନ କରିଥିବେ ତାହେଲେ ଏଥିପାଇଁ ମଧ୍ୟ ୧ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିବ । ଗୋଟିଏ ଗାଡ଼ିର ତିଆରି ବେଳେ ୪ଟି ସିଟ୍‌ ରହିଛି, କିନ୍ତୁ ଗାଡି ଡିଲର ଏଥିରେ ୫ଟି କିମ୍ବା ତଦୁଧ୍ୱର୍ ସିଟ୍‌ ବୃଦ୍ଧି କଲେ ଜରିମାନା ଦେବାକୁ ପଡିବ ।

ଏପର୍ଯ୍ୟନ୍ତ ଭୁବନେଶ୍ୱର-କଟକ ସହରରେ ଦୌଡୁଥିବା ଓଲା, ଉବେର ଗାଡ଼ି ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ନଥିଲା । କିନ୍ତୁ ଏହି ନୂତନ ମୋଟର ଯାନ ଆଇନରେ ରାଜ୍ୟ ସରକାରଙ୍କୁ ଏହି ଗାଡ଼ି ଉପରେ ନିୟନ୍ତ୍ରଣ ରଖିବାକୁ ସମ୍ପୂର୍ଣ୍ଣ କ୍ଷମତା ମିଳିଛି । ଏସବୁ ଗାଡ଼ି ଏଣିକି ରାଜରାସ୍ତାରେ ଗଡ଼ିବା ପୂର୍ବରୁ ସରକାରଙ୍କ ଠାରୁ ଲାଇସେନ୍ସ ନେବାକୁ ବାଧ୍ୟ । ଏହି ଗାଡ଼ିଗୁଡ଼ିକ ଆଉ ମନମୁଖି ଭାବେ ଭଡା ଧାର୍ଯ୍ୟ କରିପାରିବେ ନାହିଁ । ଏଥିପାଇଁ ସ୍ଥାନୀୟ ଆର୍‌ଟିଓ ଭଡ଼ା ଧାର୍ଯ୍ୟ କରିବେ । ଉକ୍ତ ଗାଡିଗୁଡିକ ଲାଗି ନିୟମାବଳୀ ମଧ୍ୟ ଧାର୍ଯ୍ୟ କରାଯିବ । ଏହି ନୂତନ ଆଇନରେ ଟ୍ରାଫିକ୍‌ ନିୟମ ମାନୁନଥିବା ଗାଡ଼ି ଚାଳକଙ୍କ ପାଇଁ କଡ଼ା ପଦକ୍ଷେପ ନିଆଯାଇଛି । ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ଆଉ ୧୦୦ ଟଙ୍କା ଜରିମାନାରେ ଛାଡ଼ି ଦିଆଯିବ ନାହିଁ । ଏହିଭଳି ଗାଡି ଚାଳକଙ୍କ ପାଇଁ ୧ ହଜାର ଟଙ୍କା ଜରିମାନା କରାଯାଇଛି । ଯଦି ଚାରି ଚକିଆ ଗାଡ଼ି ଚାଳକ ସିଟ୍‌ ବେଲଟ୍‌ ବାନ୍ଧିନଥିବେ ଏଥିପାଇଁ ତାଙ୍କୁ ୧ ହଜାର ଟଙ୍କା ଜରିମାନା କରାଯିବ । ୧୪ ବର୍ଷରୁ କମ୍‌ ବୟସର ପିଲା ଯଦି ଗାଡି ଚଳାଉଥିବେ ତାହେଲେ ତାଙ୍କୁ ଜୁଭେନାଇଲ୍‌ ଆଇନରେ ୨୫ ହଜାର ଟଙ୍କା ଜରିମାନା କରାଯିବା ସହ ତାଙ୍କ ବାପାଙ୍କୁ ଜେଲ୍‌ଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ହୋଇଛି ।

ଦୁଇ ଚକିଆ ଯାନରେ ଯଦି ୩ଜଣ ଯାତ୍ରା କରୁଥାନ୍ତି ଏଥିପାଇଁ ମଧ୍ୟ ୧ ହଜାର ଟଙ୍କା ଜରିମାନା କରାଯିବାକୁ ବ୍ୟବସ୍ଥା ହୋଇଛି । ବିନା ଲାଇସେନ୍ସରେ ଯଦି କେହି ଗାଡ଼ି ଚାଳକ ଗାଡ଼ି ଚଳାଉଥାନ୍ତି ତାହେଲେ ଏଥିପାଇଁ ୫ ହଜାର ଟଙ୍କା, ଧାର୍ଯ୍ୟ ବେଗଠାରୁ ଅଧିକ ବେଗରେ କେହି ଗାଡ଼ି ଚଳାଉଥିଲେ ତାଙ୍କୁ ୨ ହଜାର ଟଙ୍କା, ବିପଦପୂର୍ଣ୍ଣ ବା ଅତ୍ୟନ୍ତ ସାଂଘାତିକ ଭାବେ ଗାଡ଼ି ଚଳାଉଥିଲେ ଏଥିପାଇଁ ୫ ହଜାର ଟଙ୍କା, ମୋବାଇଲ୍‌ ଫୋନ୍‌ରେ କଥା ହୋଇ ଗାଡ଼ି ଚଳାଉଥିଲାବେଳେ ୫ ହଜାର ଟଙ୍କା, ରେଡ୍‌ ଲାଇଟ୍‌ ଜଳୁଥିବାବେଳେ ଯଦି ଟ୍ରାଫିକ୍‌ ଅତିକ୍ରମ କେହି କରୁଥାଏ ତାହେଲେ ୫ ହଜାର, ଟ୍ରାଫିକ୍‌ ବନ୍ଦ ଥିବା ସତ୍ତେ୍ୱ ରାସ୍ତା ଅତିକ୍ରମ କଲେ ୫ ହଜାର, ଯେଉଁଠି ଓଭରଟେକିଂ ପାଇଁ ନିୟମ ନଥିବ ସେଠି ଯଦି କେହି ଓଭରଟେକ କରୁଥିବ ତାହେଲେ ୫ ହଜାର, ମଦ ପିଇ ଗାଡ଼ି ଚଳାଇଲେ ୧୦ହଜାର ଟଙ୍କା ଜରିମାନା କରାଯାଇଛି । ରାଜ୍ୟରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିଲାବେଳେ ଏହାକୁ ହ୍ରାସ କରିବା ଲାଗି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ଗଠିତ କମିଟି ରାଜ୍ୟ ସରକାରଙ୍କୁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ରାଜ୍ୟ ସରକାର ଏହି ନୂତନ ଆଇନ ଆଣି ସଡ଼କ ଦୁର୍ଘଟଣାକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

   ସମ୍ବନ୍ଧିତ ଖବର


ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ, ଆଜି କ୍ରାଇମବ୍ରାଞ୍ଚ କର୍ତ୍ତୃପକ୍ଷଙ୍କୁ ଭେଟିବେ ଆଦିତ୍ୟଙ୍କ ମା’

ପୁଣି ଏକ ସାଙ୍ଘାତିକ ଅଭିଯୋଗ : ଏଥର ୪ ଶ୍ରମିକଙ୍କ ନାଁରେ ଜିଏସ୍‌ଟି ଠକେଇ !

ଏବର୍ଷ ହେବନି ପ୍ରସିଦ୍ଧ ବାଲିଯାତ୍ରା, କୋଭିଡ ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି

ଛୁଟିରେ ୩ ଦିନ ଖୋଲା ରହିବ ଆର୍‌ଟିଓ: ଜାଣନ୍ତୁ କେଉଁ କେଉଁ ଦିନ..

ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ : ବାଇକ୍‌ରେ ଆସି ନିଆଁ ଲଗାଇଦେଲେ ୧୦ରୁ ୧୨ ଯୁବକ, ଅଳ୍ପକେ ବର୍ତ୍ତିଲେ ଗାଡ଼ିରେ ଥିବା ୩ ବ୍ୟକ୍ତି