ପୁଣି ରାଜଧାନୀରେ ଚାଞ୍ଚଲ୍ୟ ! ବୃଦ୍ଧଙ୍କୁ ଗଳାକାଟି ହତ୍ୟା

ଭୁବନେଶ୍ୱର ୧୯/୧୧: ରାଜଧାନୀରେ ଘଟିଛି ପୁଣି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ରେଳବାଇର ଅବସରପ୍ରାପ୍ତ କର୍ମଚାରୀ ଟି.ବି ରାଓ(୬୨)ଙ୍କୁ ଅତି ନିର୍ମମ ଭାବେ ତଣ୍ଟି କାଟି ହତ୍ୟା କରିଛି ଜଣେ ଯୁବକ। ଏହି ଜଘନ୍ୟ କାଣ୍ଡ ଘଟିଛି ଲକ୍ଷ୍ମୀସାଗର ଥାନା ପୁରୁଣା ଷ୍ଟେସନ୍‌ ବଜାରରେ ଥିବା ସୁକାନ୍ତି ଡର୍ମିଟୋରିରେ। ପୁଲିସ୍‌, ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହିତ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରଛି। ସାଇଣ୍ଟିଫିକ୍‌ ଟିମ୍‌ ଉକ୍ତ ରୁମ୍‌ରୁ ଏକ ଛୁରି, ମୋଜା, ରକ୍ତ ନମୂନା, ୧୫ ଶହ ଟଙ୍କା, କଣ୍ଡୋମ ଓ ଅନ୍ୟ କିଛି ଜିନିଷ ଜବତ କରିଛି। ହେଲେ ହତ୍ୟାକାରୀ ବିଷୟରେ କିଛି ଟେର ମିଳିପାରି ନାହିଁ। ଶ୍ରୀ ରାଓଙ୍କ ଘର ଜଟଣୀ ଥାନା ଅଧୀନ ମାଣିଆ ଛକ ଅଞ୍ଚଳରେ।

ଲଜ୍‌ ମ୍ୟାନେଜର ବାବନା ମହାଲିକଙ୍କ ଠାରୁ ମିଳିଥିବା ସୂଚନା ମୁତାବକ, ସୋମବାର ଅପରାହ୍ଣ ସାଢ଼େ ୧ଟା ବେଳେ ଶ୍ରୀ ରାଓ ଲଜ୍‌କୁ ଆସିଥିଲେ। ତାଙ୍କ ସହ ଥିଲେ ୩୦ରୁ ୩୨ ବର୍ଷର ଜଣେ ଯୁବକ। ମ୍ୟାନେଜର ତାଙ୍କୁ ପଚାରିଥିଲେ କେତେ ଦିନ ରହିବ। ସେମାନେ କହିଥିଲେ ଗାଧୁଆପାଧୁଆ ସାରି ପଳାଇଯିବେ। ମ୍ୟାନେଜର କହିଥିଲେ ଏଥିପାଇଁ ୧୫୦ ଟଙ୍କା ଲାଗିବ। ଏଥିରେ ଉଭୟେ ରାଜି ହୋଇଥିଲେ। ରୁମ୍‌ ଦେଖିବା ପାଇଁ ଉପରମହଲାକୁ ଯାଇଥିଲେ। ଏହି ସମୟରେ ମ୍ୟାନେଜର ତାଙ୍କୁ ଆଧାରକାର୍ଡ ମାଗିଥିଲେ। ଯୁକବ ଜଣକ କହିଥିଲେ ବ୍ୟାଗ୍‌ ଭିତରେ ଅଛି, ମୁଁ ୧୦ ମିନିଟ୍‌ ଭିତରେ ଦେଉଛି। ଏହାପରେ ମ୍ୟାନେଜର ତଳମହଲାକୁ ଆସିଥିଲେ। ୧୫ରୁ ୨୦ ମିନିଟ୍‌ ପରେ ଉକ୍ତ ଯୁବକ ବାହାରକୁ ଯାଉଥିଲେ। ଏହି ସମୟରେ ମ୍ୟାନେଜର ପଚାରିଥିଲେ ଗାଧୁଆ ସରି ଗଲାଣି? ଯୁବକ କହିଥିଲେ, ନାଇଁ ମୁଁ ସାବୁନ ପାଇଁ ଯାଉଛି। ଏହାପରେ ଲଜ୍‌ ପାଖରେ ଥିବା ହୋଟେଲ୍‌କୁ ଖାଇବା ପାଇଁ ଯାଇଥିଲେ ମ୍ୟାନେଜର। ଲଜ୍‌ରେ କୌଣସି କର୍ମଚାରୀ ନଥିଲେ । କିଛି ସମୟ ପରେ ମ୍ୟାନେଜର ଲଜ୍‌କୁ ଆସି ଆଧାର କାର୍ଡ ମାଗିବାକୁ ଉପରମହଲାକୁ ଯାଇଥିଲେ। ଏହି ସମୟରେ ଦେଖିଥିଲେ ବିବସ୍ତ୍ର ଅବସ୍ଥାରେ ବେକ ଧରି ଛଟପଟ ହେଉଛନ୍ତି ଶ୍ରୀ ରାଓ। ଘର ସାରା ରକ୍ତ ଭାସୁଛି । ପାଖରେ ଏକ ବ୍ୟାଗ୍‌ ପଡିଛି। ଏହା ଦେଖି ସେ ସଙ୍ଗେ ସଙ୍ଗେ ଲଜ୍‌ ମାଲିକ ବଡ଼ଗଡ଼ର ବୁଲୁ ବେହେରାଙ୍କୁ ଫୋନ୍‌ କରିଥିଲେ। ଲଜ୍‌ ମାଲିକ ପୁଲିସ୍‌କୁ ଜଣାଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଶ୍ରୀ ରାଓଙ୍କ ମୃତ୍ୟୁ ହୋଇ ସାରିଥିଲା। ଏହା ପରେ ପୁଲିସ୍‌ ଆରମ୍ଭ କରିଥିଲା ତନାଘନା। ଲଜରେ ସିସିଟିଭ ନାହିଁ। ତେଣୁ ଆଖପାଖରେ ଲାଗିଥିବା ସିସିଟିଭ ଫୁଟେଜ୍‌ ଯାଞ୍ଚ କରିଥିଲା ପୁଲିସ୍‌ । ହେଲେ ସେଥିରେ କିଛି ସୁରାକ ମିଳି ନଥିଲା ।
 

ସାଇଣ୍ଟିଫିକ୍‌ ଟିମ୍‌ ଉକ୍ତ ରୁମ୍‌ରୁ ଏକ ଛୁରି, ମୋଜା, ରକ୍ତ ନମୁନା, ୧୫ ଶହ ଟଙ୍କା, କଣ୍ଡୋମ ଓ ଅନ୍ୟ କିଛି ଜିନିଷପତ୍ର ଜବତ କରିଛନ୍ତି। ସନ୍ଧାନୀ କୁକୁର ମୋଜା ଶୁଙ୍ଘି ଷ୍ଟେସନ୍‌ର ୫ ନମ୍ବର ପ୍ଲାଟ୍‌ଫର୍ମରେ ପହିଥିଲା। ସେଠାରେ କୁକୁର ରହି ଯାଇଥିଲା। ଏଥିରୁ ପୁଲିସ୍‌ ଅନୁମାନ କରୁଛି ହତ୍ୟାକାରୀ ୫ ନମ୍ବର ପ୍ଲାଟ୍‌ଫର୍ମରୁ ଟ୍ରେନ୍‌ ଚଢ଼ି କେଉଁ ଆଡ଼େ ଚାଲିଯାଇଛି। ପୁଲିସ୍‌ ପ୍ଲାଟ୍‌ଫର୍ମ ନମ୍ବର ୬ ଓ ୫ରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରୁଛି। ହତ୍ୟାକାରୀ ଶ୍ରୀ ରାଓଙ୍କୁ ଏମିତି ମାରିବାର କାରଣ କ’ଣ ସେ ବିଷୟରେ ପୁଲିସ୍‌ କିଛି ସୁରାକ ପାଇନି। ଯଦି ପୂର୍ବ ଶତ୍ରୁତା କି ଟଙ୍କା ଦେଣନେଣ ହତ୍ୟାର କାରଣ, ତେବେ ଉଭୟେ ଲଜ୍‌କୁ କ’ଣ ପାଇଁ ଯାଇଥିଲେ। ଅନ୍ୟ ପକ୍ଷରେ ଉକ୍ତ ରୁମ୍‌ରେ ମିଳିଥିବା କଣ୍ଡୋମକୁ ନେଇ ପୁଲିସ୍‌ ଅଡୁଆରେ ପଡିଛି। ଶ୍ରୀ ରାଓଙ୍କ ହତ୍ୟା ଖବର ଶୁଣି ଘଟଣାସ୍ଥଳରେ ତାଙ୍କର ଜଣେ ବନ୍ଧୁ ପହଞ୍ଚିଥିଲେ । ତାଙ୍କ ଠାରୁ ପୁଲିସ୍‌ କିଛି ତଥ୍ୟ ପାଇଥିବା ଜଣାପଡିଛି। ଶ୍ରୀ ରାୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁଲିସ୍‌ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଛି।

ଯୋଜନାବଦ୍ଧ ହତ୍ୟା
ରେଳବାଇର ଅବସର ପ୍ରାପ୍ତ କର୍ମଚାରୀ ଟି.ବି ରାଓଙ୍କୁ ଲଜ୍‌କୁ ଡାକି ଆଣି ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ହତ୍ୟାକାରୀକୁ ଶ୍ରୀ ରାଓ ଭଲ ଭାବେ ଜାଣିଥିବା ପୁଲିସ୍‌ ତାଙ୍କ ସିଡିଆର (କଲ୍‌ ଡିଟେଲ୍ସ ରେକର୍ଡ)ରୁ ଜାଣିବାକୁ ପାଇଛି। ସେପଟେ ଲଜ୍‌ ମ୍ୟାନେଜରଙ୍କ ଠାରୁ ପୁଲିସ୍‌ ଜାଣିବାକୁ ପାଇଛି ଦୁଇ ଜଣ ରୁମ ନେବା ପୂର୍ବରୁ ନିଜକୁ ବାପ ପୁଅର ପରିଚୟ ଦେଇଥିଲେ। ସେମାନଙ୍କ କଥାବାର୍ତ୍ତରୁ ପରସ୍ପର କିଛି ଶତ୍ରୁତା ଥିବା ଜଣାପଡ଼ୁ ନଥିଲା। ଉଭୟେ ଭଦ୍ରତାର ସହ ମ୍ୟାନେଜରଙ୍କ ସହ କଥା ହୋଇଥିଲେ। କମ୍‌ ସମୟ ମଧ୍ୟରେ ଲଜ୍‌ରେ କାମ ସାରି ଯିବାକୁ କହିଥିଲେ । ହେଲେ ହତ୍ୟାକାରୀ ଯୁବକ ଜଣଙ୍କ ତାଙ୍କୁ ଲଜ୍‌ରେ ମାରିବା ପାଇଁ ଯୋଜନା କରିଥିଲେ। କୌଣସି ଲୋଭନୀୟ କଥା କହି ଶ୍ରୀ ରାଓଙ୍କୁ ଲଜ୍‌କୁ ଡାକିଛି ହତ୍ୟାକାରୀ। ତା’ପରେ ସେଠାରେ ତାଙ୍କ ଗଳାକାଟି ହତ୍ୟା କରିଛି । ରୁମ୍‌ ଭିତରୁ ଜବତ ହୋଇଥିବା ଛୁରି ନୂଆ କିଣା ହୋଇଛି ବୋଲି ସାଇଣ୍ଟିଫିକ୍‌ ଟିମ୍‌ ଜାଣିବାକୁ ପାଇଛି।

   ସମ୍ବନ୍ଧିତ ଖବର


ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ୧.୩ ଲକ୍ଷ ଲୋକ ଡାଉନ୍ ଲୋଡ୍ କରିଛନ୍ତି ଏହି ଆପ୍, ମାତ୍ର ୭ ସେକେଣ୍ଡରେ ପୋଲିସ ପାଇପାରିବ ସୂଚନା

ଭଙ୍ଗାହେଲା ଏମଏଲଏ କ୍ୱାର୍ଟର୍ସ, ନିର୍ମାଣ ହେବ ଅତ୍ୟାଧୂନିକ ସୁବିଧା ସୁଯୋଗ ଥିବା ବହୁତଳ କୋଠା

ଗର୍ଭବତୀ ଦୁଷ୍କର୍ମ ପୀଡିତାଙ୍କୁ ଜୀଅନ୍ତା ଜଳାଇଲା ଅଭିଯୁକ୍ତ, ହସ୍ପିଟାଲ ଯିବା ବେଳେ ଅଧା ବାଟରେ ଆଖିବୁଜିଲେ ପୀଡିତା

ଉନ୍ନାଓ ଗଣଦୁଷ୍କର୍ମ ଓ ହତ୍ୟାମାମଲା: ମୁଖ୍ୟ ଅଭିଯୁକ୍ତ ଶୁଭମ୍ ନିଜକୁ ନିର୍ଦୋଷ ପ୍ରମାଣିତ କରିବାକୁ କୋର୍ଟରେ ଦେଖାଇଲା ଡାକ୍ତରୀ ସାର୍ଟିଫିକେଟ୍, ହସ୍ପିଟାଲ ପକ୍ଷରୁ କୁହାଗଲା…